ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ସେକ୍ଟରରେ ଆଉ ଥରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଦେଶର ଟେଲିକମ୍ ମାର୍କେଟରେ ଜିଓ ଏବଂ ଭାରତୀ ଏୟାରଟେଲର ବଢ଼ୁଥିବା ଦବଦବା ମଧ୍ୟରେ ଦୁଇଟି ବଡ଼ କମ୍ପାନି ବିଏସଏନଏଲ୍ ଏବଂ ଘରୋଇ କମ୍ପାନି ଭୋଡାଫୋନ୍ ଆଇଡିଆ (ଭିଆଇ) ଏକାଠି ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଦୁଇ ପ୍ରମୁଖ କମ୍ପାନି ସାରା ଦେଶରେ ନେଟୱାର୍କ ଏବଂ ଭିତ୍ତିଭୂମି ସେୟାରିଂକୁ ନେଇ ଏକ ବଡ଼ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଦୁଇ କମ୍ପାନି ଏବେ ସାରା ଦେଶରେ ଅର୍ଥାତ୍ ସମସ୍ତ ଟେଲିକମ୍ ସର୍କଲରେ ନିଜର ନେଟୱାର୍କ ଓ ଭିତ୍ତିଭୂମି ସେୟାର କରିବେ ।

ସିଏନବିସି ଆୱାଜ୍ ରିପୋର୍ଟ ଅନୁସାରେ, ଭିଆଇର ସିଇଓ ଅଭିଜିତ୍ କିଶୋର ଏବଂ ବିଏସଏନଏଲ୍ ଚେୟାରମ୍ୟାନ୍ ରୋବର୍ଟ ଜେ.ରବିଙ୍କ ମଧ୍ୟରେ ହୋଇଥିବା ବୈଠକର ଲକ୍ଷ୍ୟ ଥିଲା ନେଟୱାର୍କ ଇନଫ୍ରାଷ୍ଟ୍ରକ୍ଚର ସେୟାରିଂ ଚୁକ୍ତିକୁ ଅନ୍ତିମ ରୂପ ଦେବା । ଏହାର ସିଧାସଳଖ ଅର୍ଥ ହେଉଛି, ଯେଉଁଠାରେ ବିଏସଏନଏଲର ନେଟୱାର୍କ ଦୁର୍ବଳ ଥିବ, ସେଠାରେ ବିଏସଏନଏଲ୍ ୟୁଜର ଭିଆଇ ନେଟୱାର୍କ ବ୍ୟବହାର କରିପାରିବେ ଏବଂ ଯେଉଁଠାରେ ଭିଆଇର କଭରେଜ୍ କମ୍ ଥିବ, ସେଠାରେ ଭିଆଇ ୟୁଜର ବିଏସଏନଏଲ୍ ନେଟୱାର୍କର ଫାଇଦା ଉଠାଇପାରିବେ । ଏହା ସହିତ ଦୁଇ କମ୍ପାନି ନିଜର ମୋବାଇଲ୍ ଟାୱାର ଏବଂ ଅପ୍ଟିକାଲ ଫାଇବର ନେଟୱାର୍କ ମଧ୍ୟ ପରସ୍ପର ମଧ୍ୟରେ ସେୟାର କରିବେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଦିଲ୍ଲୀ ଏବଂ ମୁମ୍ବାଇରେ ଦୁଇ କମ୍ପାନି ମଧ୍ୟରେ ଏହିପରି ଏକ ଚୁକ୍ତି ଚାଲୁଥିଲା, ଯାହାକୁ ଏବେ ସାରା ଦେଶରେ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି ।

ଭିଆଇକୁ ବିଏସଏନଲର ବୃହତ୍ ଭିତ୍ତିଭୂମି, ରାଇଟ୍ସ ଅଫ୍ ୱେ ଏବଂ ଗ୍ରାଉଣ୍ଡ ନେଟୱାର୍କର ଫାଇଦା ମିଳିବ । ଏହାଦ୍ୱାରା ଭିଆଇକୁ ନିଜର 4G ଏବଂ 5G ନେଟୱାର୍କ ଦ୍ରୁତ ଗତିରେ ବିସ୍ତାର କରିବାରେ ସାହାଯ୍ୟ ମିଳିବ ଏବଂ ଅତ୍ୟଧିକ ଖର୍ଚ୍ଚ ମଧ୍ୟ ବଞ୍ଚିଯିବ । ଏହା ସହ ବିଏସଏନଏଲ୍ ୟୁଜରମାନେ ଭିଆଇ ନେଟୱାର୍କ ବ୍ୟବହାର କରିବା ଦ୍ୱାରା କମ୍ପାନିର ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ ।

ବିଏସଏନଏଲ୍ ଗ୍ରାମାଞ୍ଚଳ ଓ ଦୂରଦୂରାନ୍ତ ଅଞ୍ଚଳରେ ନେଟୱାର୍କ ସୁଧାରିବା ପାଇଁ ଭିଆଇର ଟାୱାରଗୁଡ଼ିକୁ ବ୍ୟବହାର କରିପାରିବ । ବିଏସଏନଏଲକୁ ସବୁ ସ୍ଥାନରେ ନୂଆ ଟାୱାର ବସାଇବାର ଆବଶ୍ୟକତା ପଡ଼ିବ ନାହିଁ, ଯାହାଦ୍ୱାରା କମ୍ପାନିର ଖର୍ଚ୍ଚ କମିବ । ଏହା ସହିତ ଭିଆଇର ମାର୍କେଟ୍ ଅଭିଜ୍ଞତାର ଲାଭ ମଧ୍ୟ ସରକାରୀ କମ୍ପାନିକୁ ମିଳିବ । ଦୁଇ କମ୍ପାନି ମଧ୍ୟରେ ରେଭିନ୍ୟୁ ସେୟାରିଂ ମଡେଲ ଲାଗୁ ହେବା ଦ୍ୱାରା ପରସ୍ପରର ଗ୍ରାହକଙ୍କ ଜରିଆରେ ଅଧିକ ରାଜସ୍ୱ ଆଦାୟ ହୋଇପାରିବ ।

Also Read: ଟେଲିକମ୍ ଟାରିଫ୍‌ରେ ୧୨% ବୃଦ୍ଧି ସମ୍ଭାବନା: ନଭେମ୍ବର-ଡିସେମ୍ବରରେ ଆସିପାରେ ନୂଆ ଦର

ଟେକ୍ ମାର୍କେଟ ବିଶେଷଜ୍ଞଙ୍କ ଅନୁସାରେ, ଭିତ୍ତିଭୂମି ମାମଲାରେ ଦୁଇ କମ୍ପାନି ଜିଓ ଏବଂ ଏୟାରଟେଲ ଠାରୁ ଯଥେଷ୍ଟ ପଛରେ ଥିଲେ । ଯେଉଁଠି ଜିଓ ପାଖରେ ପ୍ରାୟ ୩,୩୩,୦୦୦ ଏବଂ ଏୟାରଟେଲ୍ ପାଖରେ ୨,୯୨,୦୦୦ ଟାୱାର ସାଇଟ୍ସ ଅଛି, ସେଠାରେ ଭିଆଇ ପାଖରେ ୧,୯୦,୦୦୦ ଏବଂ ବିଏସଏନଏଲ୍ ପାଖରେ ମାତ୍ର ୧,୨୧,୦୦୦ ଟାୱାର ଅଛି । ଏବେ ଦୁଇ କମ୍ପାନି ଏକାଠି ହେବା ଦ୍ୱାରା ଟାୱାର ଓ ଫାଇବର ନେଟୱାର୍କର ପରିସର ବୃଦ୍ଧି ପାଇବ ।

ସରକାରୀ ଓ ଘରୋଇ କମ୍ପାନି ଏକାଠି ହେବା ଦ୍ୱାରା ବୃଦ୍ଧି ପାଉଥିବା ମହଙ୍ଗା ରିଚାର୍ଜ ପ୍ଲାନରୁ ଗ୍ରାହକଙ୍କୁ କିଛିଟା ଆଶ୍ୱାସନା ମିଳିପାରେ । ଏହା ସହ ବିଏସଏନଏଲର ନେଟୱାର୍କ ଏବଂ ଇଣ୍ଟରନେଟ୍ ସ୍ପିଡରେ ସୁଧାର ଆସିବ, ଯାହା ଫଳରେ ଗ୍ରାହକଙ୍କୁ Jio-Airtel ବ୍ୟତୀତ BSNL କିମ୍ବା Viକୁ ବାଛିବାର ଏକ ନୂଆ ବିକଳ୍ପ ମିଳିବ ।