ନୂଆଦିଲ୍ଲୀ: ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିବା ପରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏହାର ପଡ଼ୋଶୀଙ୍କୁ ଧମକ ଦେଇଛି। ସାଉଦି ଆରବ, ୟୁଏଇ ଓ କତାରର ଏକାଧିକ ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବ ବୋଲି ଇରାନ କହିଛି। ଆଉ ଏହାର ପ୍ରଭାବ ତୈଳ ମାର୍କେଟ୍ ଉପରେ ପଡ଼ିଛି। ଏହି ଧମକ ପରେ ବୁଧବାର ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪% ରୁ ଅଧିକ ବୃଦ୍ଧି ପାଇଛି। ଯାହା ଫଳରେ ଏହି ଅଞ୍ଚଳରେ ଶକ୍ତି ଯୋଗାଣରେ ଆହୁରି ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଇରାନ ବିବାଦରେ ଉତ୍ତେଜନା ହ୍ରାସର କୌଣସି ସଙ୍କେତ ଦେଖା ଯାଉ ନଥିବାରୁ, ଗତ ଚାରିଟି ଅଧିବେଶନ ପାଇଁ ବେଞ୍ଚମାର୍କ ବ୍ରେଣ୍ଟ ଫ୍ୟୁଚର୍ସ ମୂଲ୍ୟ ବ୍ୟାରେଲ ପ୍ରତି $୧୦୦ ଉପରେ ସ୍ଥିର ହୋଇଛି। ବୁଧବାର ଦିନ ୧୩୨୧ GMT(ଗ୍ରୀନୱିଚ୍ ମିନ୍ ଟାଇମ୍) ସୁଦ୍ଧା ବ୍ରେଣ୍ଟ ଫ୍ୟୁଚର୍ସ ୪.୫୩ ଡଲାର କିମ୍ବା ୪.୪% ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୭.୯୫ ଡଲାରରେ ପହଞ୍ଚିଛି। ଯାହା ସେସନ ପୂର୍ବରୁ ୧୦୮.୬୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳ ମୂଲ୍ୟ ୧.୯୧ ଡଲାର କିମ୍ବା ୨% ବୃଦ୍ଧି ପାଇ ୯୮.୧୨ ଡଲାରରେ ପହଞ୍ଚିଛି।

ସେପଟେ ଇରାକରେ,ନର୍ଥ ଅଏଲ୍ କମ୍ପାନୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଗଦାଦ ଏବଂ କୁର୍ଦିସ୍ତାନ ଆଞ୍ଚଳିକ ସରକାର ମଙ୍ଗଳବାର ଦିନ ତୈଳ ସପ୍ଲାଏ ଆରମ୍ଭ କରିଛନ୍ତି। ଏହା ସତ୍ତ୍ୱେ,ଯୋଗାଣ ସହାୟତା ସୀମିତ ରହିଛି।ଷ୍ଟ୍ରେଟ ଅଫ୍ ହରମୁଜ୍ ଏବେ ବି କଟକଣାରେ ରହିଥିବାରୁ ସ୍ଥିତି ଏବେ ବି ସଂକଟରେ ରହିଛି।