ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରେ ରେକର୍ଡ ସୃଷ୍ଟିକାରୀ ଖବର ସାମ୍ନାକୁ ଆସିଛି। ବକ୍ସ ଅଫିସରେ ବିଫଳ ହୋଇଥିବା ଏକ ଭାରତୀୟ ସିନେମା ଏବେ ସାରା ବିଶ୍ୱରେ ପ୍ରଥମ ଚଳଚ୍ଚିତ୍ର ଭାବରେ ୟୁଟ୍ୟୁବ୍‌ (YouTube) ରେ ୧ ବିଲିୟନ ବା ୧୦୦ କୋଟି ଭ୍ୟୁଜ୍‌ ପାଇବାର ଗୌରବ ଅର୍ଜନ କରିଛି। ପୂର୍ବରୁ ପପ୍ ଗାୟକ PSYଙ୍କ ମ୍ୟୁଜିକ୍ ଭିଡିଓ ‘ଗଙ୍ଗନମ୍ ଷ୍ଟାଇଲ୍’ ପ୍ରଥମେ ଏହି ମାଇଲଖୁଣ୍ଟ ଛୁଇଁଥିବା ବେଳେ, ପୂରା ସିନେମା ବା ଚଳଚ୍ଚିତ୍ର ବର୍ଗରେ ଏହି ସଫଳତା ପାଇବାରେ ଏହି ଆକ୍ସନ ଡ୍ରାମା ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସଫଳତା ପରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏହି ଅପ୍ରତ୍ୟାଶିତ ସଫଳତା ପାଇଥିବା ଚଳଚ୍ଚିତ୍ରଟି ହେଉଛି ତେଲୁଗୁ ସିନେମା ‘ଜୟା ଜାନକୀ ନାୟକା’ର ହିନ୍ଦୀ ଡବ୍‌ ସଂସ୍କରଣ, ଯାହାର ନାମ ‘ଖୁଙ୍କାର’।

ମୂଳ ତେଲୁଗୁ ଚଳଚ୍ଚିତ୍ରଟି ୨୦୧୭ ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା, କିନ୍ତୁ ବକ୍ସ ଅଫିସରେ ଏହା ସେଭଳି କିଛି କମାଲ କରିପାରିନଥିଲା।  'ପେନ୍ ମୁଭିଜ୍' (Pen Movies) ୟୁଟ୍ୟୁବ୍ ଚ୍ୟାନେଲ ପକ୍ଷରୁ ପ୍ରାୟ ୭ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୯ ଫେବ୍ରୁଆରୀ ମାସରେ ଏହାର ହିନ୍ଦୀ ଡବ୍ ସଂସ୍କରଣକୁ ଅପଲୋଡ୍‌ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତୀୟ କଳାକାର ବେଲାମକୋଣ୍ଡା ସାଇ ଶ୍ରୀନିବାସ ଏବଂ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ବୟାପାଟି ଶ୍ରୀନୁ ସମ୍ଭାଳିଥିଲେ।

​​​​​​​

ନିର୍ଦ୍ଦେଶକଙ୍କ ଭାବପୂର୍ଣ୍ଣ ପ୍ରତିକ୍ରିୟା
ଏହି ଐତିହାସିକ ସଫଳତା ପରେ ନିର୍ଦ୍ଦେଶକ ବୟାପାଟି ଶ୍ରୀନୁ ସୋସିଆଲ ମିଡିଆରେ ନିଜ ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇ ଲେଖିଛନ୍ତି, ‘୧ ବିଲିୟନ ଭ୍ୟୁଜ୍। ୧୦୦୦ ମିଲିୟନ ହୃଦୟ। ୧୦୦ କୋଟି ଭାବନା। ମାତ୍ର ଗୋଟିଏ ସିନେମା। ଏହି ଅଦ୍ଭୁତ ମାଇଲଖୁଣ୍ଟ ହାସଲ କରିବାରେ ଏହା ବିଶ୍ୱର ପ୍ରଥମ ସିନେମା ହୋଇଛି। ‘ଜୟା ଜାନକୀ ନାୟକା’ (ଖୁଙ୍କାର୍) କୁ ଏକ ଅଭୁଲା ଉତ୍ସବରେ ପରିଣତ କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଏହି ସଫଳତା ଆପଣ ସମସ୍ତଙ୍କର। ଆପଣଙ୍କର ଏହି ଅପାର ଭଲପାଇବା ଏବଂ ସମର୍ଥନ ପାଇଁ ମୁଁ ଚିର କୃତଜ୍ଞ।’

ପଛରେ ରହିଗଲା ଅଲ୍ଲୁ ଅର୍ଜୁନଙ୍କ ସିନେମା 
ଏହି ରେକର୍ଡ ଦୌଡ଼ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାରାଇନଡୁ’ ପ୍ରଥମ ସ୍ଥାନ ଅଧିକାର କରିବାର ସମ୍ଭାବନା ଥିଲା। ଏହାର ହିନ୍ଦୀ ଡବ୍‌ ଭିଡିଓ ୟୁଟ୍ୟୁବରେ କୋଟି କୋଟି ଭ୍ୟୁଜ୍ ପାଇସାରିଥିଲା, ମାତ୍ର କୌଣସି କାରଣ ବଶତଃ ସେହି ପୁରୁଣା ଭିଡିଓକୁ ଡିଲିଟ୍ କରି ପୁନର୍ବାର ଅପଲୋଡ୍ କରାଯିବା ଯୋଗୁଁ ଏହା ରେକର୍ଡ କରିବାରୁ ବଞ୍ଚିତ ହୋଇଥିଲା।‘ଜୟା ଜାନକୀ ନାୟକା’ ହେଉଛି ଏକ ରୋମାଣ୍ଟିକ୍ ଆକ୍ସନ ଡ୍ରାମା , ଯାହାକୁ ମିରିୟାଲା ରବୀନ୍ଦ୍ର ରେଡ୍ଡୀ 'ଦ୍ୱାରକା କ୍ରିଏସନ୍ସ' ବ୍ୟାନରରେ ନିର୍ମାଣ କରିଥିଲେ। ଏହି ସିନେମାରେ ଜଗପତି ବାବୁ, ତରୁଣ ଆରୋରା, ପ୍ରଜ୍ଞା ଜୈସୱାଲ, ଶରତ କୁମାର, ନନ୍ଦୁ, ସୁମନ, ଜୟପ୍ରକାଶ ଏବଂ ବାଣୀ ବିଶ୍ୱନାଥଙ୍କ ଭଳି ଜଣାଶୁଣା କଳାକାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।