ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ଅବସରରେ ଦେଶ ଉଦ୍ଦେଶ୍ୟରେ ଲାଲକିଲାରୁ ଭାଷଣ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ଏଠାରେ ପରେଡ, ଏୟାରଫୋର୍ସ ସୋ ଓ ଅନ୍ୟ କେତେକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଯଦି ଆପଣ ଏହି ପୁରା କାର୍ଯ୍ୟକ୍ରମକୁ ଟିଭି ଅଥବା ମୋବାଇଲରେ ଦେଖିବା ବଦଳେ ଲାଲକିଲା ପହଞ୍ଚି ଦେଖିବାକୁ ଚାହିଁବେ ଏଥିଲାଗି ପ୍ରଥମେ ଆପଣଙ୍କୁ ଟିକେଟ୍ ନେବା ଜରୁରି। ବିନା ରେଜିଷ୍ଟ୍ରେସନରେ ଲାଲକିଲା ପହଞ୍ଚି ଉତ୍ସବରେ ସାମିଲ ହୋଇ ପାରିବେ ନାହିଁ। ତେବେ ସବୁଠୁ ବଡ଼ କଥା ହେଉଛି ଏଥି ପାଇଁ ଆପଣ ଟିକେଟ୍ ଅନଲାଇନ୍ ରେ କିଣି ପାରିବେ। ଏଥି ଲାଗି ସରକାରଙ୍କ ‘ଆମନ୍ତ୍ରଣ’ ପୋର୍ଟାଲରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ। ଏଠାରେ ଅଲଗା ଅଲଗା କ୍ୟାଟଗରୀ ହିସାବରେ ଟିକେଟ୍ ୨୦,୧୦୦ ଓ ୫୦୦ ଟଙ୍କାରେ ଉପଲବ୍ଧ ହେଉଛି। ଟିକେଟ୍ ବୁକ୍ କରିବା ପରେ ମୋବାଇଲରେ ପାସ୍ ଡାଉନଲୋଡ କରି ରଖିବାକୁ ହେବ।

ଲାଲକିଲା ସ୍ୱାଧୀନତା ଦିବସ ସମାରୋହ ଟିକେଟ୍ ପାଇଁ ୩ଟି କ୍ୟାଟଗରୀ ରଖା ଯାଇଛି। ଏଥିରେ ଜେନେରାଲ ଟିକେଟ୍ ମୂଲ୍ୟ ୨୦ ଟଙ୍କା ରଖା ଯାଇଥିବା ବେଳେ ଷ୍ଟଣ୍ଡାର୍ଡ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରହିଛି। ସେହିପରି ପ୍ରିମିୟମ ଟିକେଟ୍ ପାଇଁ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅର୍ଥାତ ବଜେଟ ହିସାବରେ ଆପଣ ନିଜ ପାଇଁ କ୍ୟାଟଗରୀ ବାଛି ପାରିବେ। ଟିକେଟ୍ ବୁକ୍ କରିବା ସମୟରେ ଆପଣଙ୍କୁ ପରିଚୟପତ୍ର ସୂଚନା ଦେବାକୁ ପଡିବ। ଏଥି ଲାଗି ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଅଥବା ଭୋଟର ଆଇଡି ଭଳି ବୈଧ ଡକ୍ୟୁମେଣ୍ଟ ଉପଯୋଗ କରାଯାଇ ପାରିବ। ଆଇଡି ଆଧାରରେ ବୁକିଂ କରାଯାଇଥିଲେ ଏହାର ଓରିଜିନାଲ ଡକ୍ୟୁମେଣ୍ଟ କାର୍ଯ୍ୟକ୍ରମ ଦିନ ନିଜ ସାଙ୍ଗରେ ରଖିବାକୁ ପଡିବ।

ଯଦି ଆପଣଙ୍କ ପାଖରେ ଇଣ୍ଡିପେଣ୍ଡେଣ୍ଟ ଡେ ସମାରୋହର ପାସ୍ ଅଛି ତେବେ ଶେଷ ସମୟରେ ପହଞ୍ଚିବାର ଭୁଲ କରନ୍ତୁ ନାହିଁ। ରିପୋର୍ଟ ଅନୁସାରେ ୧୫ ଅଗଷ୍ଟ ୨୦୨୬ ଏଣ୍ଟ୍ରିଗେଟ୍ ସକାଳ ୫ଟା ବେଳେ ଖୋଲିବ। ଏଣୁ ଟିକେଟ କିଣିଥିବା ଲୋକଙ୍କୁ ସକାଳ ସାଢେ ୬ଟା ସୁଦ୍ଧା ନିଜ ଆସନରେ ବସିବାକୁ ହେବ। ସକାଳେ ଶୀଘ୍ର ପହଞ୍ଚିବା ଏଥି ପାଇଁ ମଧ୍ୟ ଜରୁରି କାରଣ ସ୍ୱାଧୀନତା ଦିବସ ଦିନ ଲାଲକିଲା ଆଖପାଖର ସୁରକ୍ଷା କଡ଼ାକଡ଼ି ରହିବ। ସିକ୍ୟୁରିଟି ଚେକ୍ ଓ ଟ୍ରାଫିକ୍ କାରଣରୁ ଆପଣଙ୍କ ପହଞ୍ଚିବା ବିଳମ୍ବ ହୋଇପାରେ।