ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଡିନୋ ମୋରିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇର ବହୁଚର୍ଚ୍ଚିତ 'ମିଠି ନଦୀ' ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟରେ ହୋଇଥିବା ବଡ଼ଧରଣର ଆର୍ଥିକ ଦୁର୍ନୀତି ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିଛି। ଏହି ଘଟଣାରେ ୨୦୨୬ ଅକ୍ଟୋବର ୨ରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ବାନ୍ଦ୍ରାସ୍ଥିତ ବାସଭବନରୁ ଅଭିନେତାଙ୍କୁ ହେପାଜତକୁ ନେଇ ଦୀର୍ଘ ସମୟ ଧରି ପଚରାଉଚରା କରିଛି।

ମିଳିଥିବା ସୂଚନା ଅନୁଯାୟୀ, EOWର ଏକ ସ୍ୱତନ୍ତ୍ର ଟିମ୍ ଡିନୋଙ୍କୁ ପ୍ରାୟ ୮ ଘଣ୍ଟା କାଳ ଘନ ଘନ ପ୍ରଶ୍ନ କରିଥିଲା। ଜେରା ଶେଷ ହେବା ପରେ ତାଙ୍କୁ ବର୍ତ୍ତମାନ ପାଇଁ ଘରକୁ ଯିବାକୁ ଅନୁମତି ମିଳିଛି । କିନ୍ତୁ ଆବଶ୍ୟକ ପଡ଼ିଲେ ପୁଣିଥରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

କ'ଣ ଏହି ମାମଲା?

ଏହି ସମ୍ପୂର୍ଣ୍ଣ ବିବାଦ ମୁମ୍ବାଇର ମିଠି ନଦୀରୁ ପଙ୍କ ଉଦ୍ଧାର, ସଫେଇ ଏବଂ ନଦୀର ସୌନ୍ଦର୍ଯ୍ୟକରଣ ପ୍ରୋଜେକ୍ଟ ସହ ଜଡ଼ିତ। ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାରେ ବଡ଼ ଧରଣର ଜାଲିଆତି କରାଯାଇଥିବା ଏବଂ ବେଆଇନ ଭାବେ ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ଅନିୟମିତତା ଯୋଗୁଁ ବୃହନମୁମ୍ବାଇ ମହାନଗର ନିଗମ (BMC)କୁ ପ୍ରାୟ ୬୫.୫୪ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ତଦନ୍ତକାରୀ ସଂସ୍ଥା ଏବେ ଏହି ଟଙ୍କା କେଉଁଆଡ଼େ ଗଲା ଏବଂ କେଉଁମାନଙ୍କ ପାଖକୁ ଟ୍ରାନ୍ସଫର ହେଲା ? ସେନେଇ ଖୋଳତାଡ଼ କରୁଛି।

୧୮ ଲକ୍ଷର ସନ୍ଦେହଜନକ କାରବାର ଓ ଭାଇଙ୍କ ସଂପୃକ୍ତି

ତଦନ୍ତ ସମୟରେ EOW ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି। ମାମଲାର ମୁଖ୍ୟ ଅଭିଯୁକ୍ତ କେତନ କଦମଙ୍କ ଆକାଉଣ୍ଟରୁ ପ୍ରାୟ ୧୮ ଲକ୍ଷ ଟଙ୍କା 'UBO Ridez' ନାମକ ଏକ କମ୍ପାନୀକୁ ପଠାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି, ଏହି କମ୍ପାନୀରେ ଡିନୋ ମୋରିଆଙ୍କ ଭାଇ ସେଣ୍ଟିନୋ ମୋରିଆ ଜଣେ ନିର୍ଦ୍ଦେଶକ (Director) ଭାବେ କାର୍ଯ୍ୟ କରୁଛନ୍ତି। ଏହି ଲିଙ୍କ୍ ସାମ୍ନାକୁ ଆସିବା ପରେ ପୋଲିସ ଏବେ ଡିନୋ ଏବଂ ତାଙ୍କ ପରିବାରର ଏହି ଦୁର୍ନୀତିରେ କି ଭୂମିକା ରହିଛି, ତାର ତଦନ୍ତ କରୁଛି।

Also Read: କୁଆଡେ ଗଲେ ‘ମୁନ୍ନା ଭାଇ MBBS’ର ସେହି ଅଭିନେତା ? ୧୦ ବର୍ଷ ହେଲା ନିଖୋଜ, ରହସ୍ୟରୁ ହଟୁନି ପରଦା

ପୂର୍ବରୁ ED ମଧ୍ୟ କରିଥିଲା ଚଢ଼ାଉ

ଡିନୋ ମୋରିଆଙ୍କ ପାଇଁ ଏହି ଆର୍ଥିକ ବିବାଦ ନୂଆ ନୁହେଁ। ଗତ ବର୍ଷ ଜୁନ୍ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ଏହି ମାମଲାରେ ତାଙ୍କ ଘରେ ଚଢ଼ାଉ କରିଥିଲା। ସେତେବେଳେ ପ୍ରାୟ ୧୪ ଘଣ୍ଟା ଧରି ଖାନତଲାସୀ ଚାଲିଥିବା ବେଳେ ମୁମ୍ବାଇ ଓ କୋଚି ସମେତ ୧୪ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ଠିକାଦାର ଓ ମଧ୍ୟସ୍ଥିମାନଙ୍କ ଉପରେ ଏକକାଳୀନ ଆକ୍ସନ ନିଆଯାଇଥିଲା। ବର୍ତ୍ତମାନ EOW ପକ୍ଷରୁ ମାମଲାର ଆର୍ଥିକ କାରବାରର ପ୍ରତିଟି ଦିଗକୁ ଅତି ସୂକ୍ଷ୍ମତାର ସହ ଯାଞ୍ଚ କରାଯାଉଛି।