ବାଲେଶ୍ବର: ଶବ ସତ୍କାର ପାଇଁ ଯାଇଥିଲେ ପୁରୀ ସ୍ବର୍ଗଦ୍ବାର। ହେଲେ ଘରକୁ ଫେରିବା ବେଳେ ବନ୍ୟା ପାଣି ସାଜିଲା କାଳ। ବନ୍ୟା ସ୍ରୋତ ଛଡ଼ାଇ ନେଲା ଜୀବନ। ଦୁଇଦିନ ପରେ ମିଳିଲା ବନ୍ୟାଜଳରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ। ବାଲେଶ୍ଵର ସଦର ଥାନା ଅଧୀନ ଆମ୍ବୁଲକୁଡ଼ା ଗାଁର ଉମେଶ ପଣ୍ଡାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ସମ୍ପର୍କୀୟଙ୍କ ଶବ ସତ୍କାର ପାଇଁ ପୁରୀ ଯାଇ ଘରକୁ ଫେରୁଥିବା ବେଳେ କଳମା ନିକଟରେ ବସରୁ ଓହ୍ଲାଇ ସାଇକେଲ ଯୋଗେ ଗାଁ ଅଭିମୁଖେ ବାହାରିଥିଲେ ଉମେଶ। ହେଲେ ଘରକୁ ଫେରିନଥିଲେ ।

ସେପଟେ ପରିବାର ଲୋକେ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ ମିଳିନଥିଲା କୌଣସି ସନ୍ଧାନ। ଏମିତିରେ ବନ୍ୟାଜଳର ପ୍ରଖର ସ୍ରୋତରେ ଉମେଶ ଭାସିଯାଇଥିବା ଆଶଙ୍କା କରିଥିଲେ ଗାଁ ଲୋକେ। କାରଣ ଘଟଣା ଦିନ ବାଙ୍କତିରା ନିକଟ ଚଟାଣ ଉପରେ ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ପ୍ରଖର ବେଗରେ ପ୍ରବାହିତ ହେଉଥିଲା। ଆଉ ଏହି ସ୍ରୋତରେ ସେ ଭାସିଯାଇଥିବା ନେଇ ଆଶଙ୍କା ବଢ଼ିଥିଲା।

Also Read: ମାଛ ଧରିବାକୁ ସାଙ୍ଗହୋଇ ଯାଇଥିଲେ, ଡକାଡକି ହୋଇ ଚାଲିଗଲେ ଦୁଇ ଭାଇ

ତେବେ ଏବେ ବନ୍ୟାଜଳ ହ୍ରାସ ପରେ ଚଟାଣ କୂଳରେ ଉମେଶଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ ସଦର ଥନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି । ବନ୍ୟା ସ୍ରୋତରେ ଭାସିଯିବା ଯୋଗୁଁ ହିଁ ମୃତ୍ୟୁ ହୋଇଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ? ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।