ଭୁବନେଶ୍ୱର: ‘କବାଡ଼ ସେ ଯୁଗାଡ଼’, ‘କବାଡ଼ ସେ କଳା’ ଓ ‘ପ୍ଲାଷ୍ଟିକ୍ ରିସାଇକ୍ଲିଂ ମେଳା’ ମାଧ୍ୟମରେ ବର୍ଜ୍ୟ ପରିଚାଳନାର ବାର୍ତ୍ତା ଦେଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ବର୍ଜ୍ୟବସ୍ତୁର ସୁଚାରୁ ପରିଚାଳନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ୱଚ୍ଛତା ହିଁ ସେବା-୨୦୨୬ ଅଭିଯାନ ଅଧୀନରେ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି ।

ବିଏମସି ମୁଖ୍ୟ କାର୍ଯ୍ୟାଳୟର ୟୁ.ଜି. ଫ୍ଲୋରରେ ଆୟୋଜିତ ଏହି ପ୍ରଦର୍ଶନୀରେ ବର୍ଜ୍ୟକୁ ସମ୍ପଦରେ ପରିଣତ କରିବା ସହିତ ପୁନଃବ୍ୟବହାର ଓ ପୁନଃଚକ୍ରଣର ବିଭିନ୍ନ ସୃଜନଶୀଳ ପଦକ୍ଷେପଗୁଡିକୁ ପ୍ରଦର୍ଶିତ କରାଯାଇଥିଲା। ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିଲା ‘କବାଡ଼ ସେ ଯୁଗାଡ଼’, ‘କବାଡ଼ ସେ କଳା’ ଏବଂ ‘ପ୍ଲାଷ୍ଟିକ୍ ରିସାଇକ୍ଲିଂ ମେଳା’ । ଦୈନନ୍ଦିନ ଜୀବନରେ ଅବ୍ୟବହୃତ କିମ୍ବା ପରିତ୍ୟକ୍ତ ସାମଗ୍ରୀକୁ କିପରି ସୃଜନଶୀଳ ଢଙ୍ଗରେ ପୁନଃବ୍ୟବହାର କରାଯାଇପାରିବ, ତାହାର ବିଭିନ୍ନ ଉଦାହରଣ ଏହି ପ୍ରଦର୍ଶନୀରେ ଉପସ୍ଥାପନ କରାଯାଇଥିଲା। ବର୍ଜ୍ୟବସ୍ତୁରୁ ଉପଯୋଗୀ ଓ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତି ଜରିଆରେ ‘ବର୍ଜ୍ୟ ନୁହେଁ, ସମ୍ପଦ’ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଏହି ଓ୍ୱେଷ୍ଟ ଟୁ ଆର୍ଟ ପ୍ରଦର୍ଶନୀରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ପ୍ଲାଷ୍ଟିକ୍ ବର୍ଜ୍ୟର ସଂଗ୍ରହ, ବିଭାଜନ ଏବଂ ପୁନଃଚକ୍ରଣ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ପ୍ରଦର୍ଶନୀରେ ସଚେତନ କରାଯାଇଥିଲା। ପ୍ଲାଷ୍ଟିକ୍ ବର୍ଜ୍ୟର ଅନିୟନ୍ତ୍ରିତ ବ୍ୟବହାର ଓ ଅନୁଚିତ ନିଷ୍କାସନ ପରିବେଶ ଉପରେ ପକାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ର ପୁନଃଚକ୍ରଣ ଏବଂ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟ ପରିଚାଳନାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା।

ଏହି ଅବସରରେ ବିଏମସିର ମାନନୀୟା ମେୟର ସୁଲୋଚନା ଦାସ, ଡେପୁଡି ମେୟର ମଞ୍ଜୁଲତା କହଁର, କମିଶନର ଚଞ୍ଚଳ ରାଣା, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ବହୁ କର୍ପୋରେଟର, ଡେପୁଟି କମିଶନର(ପରିମଳ) ଏନ୍ . ଗଣେଶ ବାବୁ, ସହକାରୀ କମିଶନର (ପରିମଳ) ଲୋକନାଥ ବେଜ, ପ୍ଲାଷ୍ଟିକ୍ ରିସାଇକ୍ଲିଂର, ବିଭିନ୍ନ ସମ୍ପଦ କେନ୍ଦ୍ରର ସ୍ୱଚ୍ଛ କର୍ମୀଙ୍କ ସମେତ ଟିମ୍ ବିଏମସିର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ।

ପ୍ରଦର୍ଶନୀ ମାଧ୍ୟମରେ ବର୍ଜ୍ୟବସ୍ତୁ ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣର(Reduce, Reuse, Recycle) ଅର୍ଥାତ୍ ଗୁରୁତ୍ୱକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଘରଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ଜ୍ୟ ପରିଚାଳନାରେ ସମସ୍ତଙ୍କ ଦାୟିତ୍ୱପୂର୍ଣ୍ଣ ଭୂମିକା ରହିଥିବା ବାର୍ତ୍ତା ଦିଆଯାଇଥିଲା। ବିଏମସି ପକ୍ଷରୁ କୁହାଯାଇଛି ଯେ, ଏକ ସ୍ୱଚ୍ଛ ଓ ସୁସ୍ଥ ସହର ଗଠନ କେବଳ ପୌର ସଂସ୍ଥାର ଦାୟିତ୍ୱ ନୁହେଁ; ବରଂ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ଏଥିପାଇଁ ଅତ୍ୟନ୍ତ ଆବଶ୍ୟକ। ବର୍ଜ୍ୟକୁ ଉତ୍ସସ୍ଥଳରେ ପୃଥକୀକରଣ, ଶୁଖିଲା ଓ ଓଦା ବର୍ଜ୍ୟକୁ ଅଲଗା ରଖିବା, ପ୍ଲାଷ୍ଟିକ୍ର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ପୁନଃବ୍ୟବହାର ଯୋଗ୍ୟ ସାମଗ୍ରୀର ପୁନଃବ୍ୟବହାର ଏବଂ ପୁନଃଚକ୍ରଣ ଭଳି ଅଭ୍ୟାସକୁ ଦୈନନ୍ଦିନ ଜୀବନର ଅଂଶ କରିବା ଆବଶ୍ୟକ ବୋଲି କହିଛନ୍ତି ମାନନୀୟା ମେୟର ।

ସ୍ୱଚ୍ଛତା ହିଁ ସେବା-୨୦୨୬ ଅଭିଯାନ ଅଧୀନରେ ଆୟୋଜିତ ଏହି ପ୍ରଦର୍ଶନୀ ବର୍ଜ୍ୟ ପରିଚାଳନାକୁ ନେଇ ନୂତନ ଚିନ୍ତାଧାରା, ସୃଜନଶୀଳତା ଓ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହିତ ସ୍ୱଚ୍ଛ, ସୁସ୍ଥ ଓ ସ୍ଥାୟୀ ଭୁବନେଶ୍ୱର ଗଠନ ଦିଗରେ ଏକ ସଚେତନତା ମୂଳକ ପଦକ୍ଷେପ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି । ଏହି ପ୍ରଦର୍ଶନୀର ସଂଯୋଜନା କରିଥିଲେ ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ ।