ମୁମ୍ବାଇ: ବିଧାନ ପରିଷଦ (ଏମଏଲସି) ନିର୍ବାଚନ ହାରିବା ପରେ ମହାରାଷ୍ଟ୍ରର ମହାଯୁତୀ ସରକାରର ଅନ୍ତରୀଣ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ ଗଡଉଛି। ଏହି ପରାଜୟ ପାଇଁ ବିଜେପି ସିଧାସଳଖ ଶିବସେନାକୁ ଦାୟି କରୁଛି। ମହାରାଷ୍ଟ୍ର ବିଜେପିର ପ୍ରମୁଖ ମୁଖପାତ୍ର ନଭନାଥ ବାନ ସିନ୍ଦେ ସେନାଙ୍କ ଅସହଯୋଗକୁ ଦାୟୀ କରୁଛନ୍ତି, ତେବେ ସିନ୍ଦେ ସେନା ଏହାକୁ ଭୁଲ ବୋଲି କହି ସରକାରଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷର ଏହା ଫଳ ବୋଲି କହିବା ସହ ଏକନାଥ ସିନ୍ଦେଙ୍କ ଲାଗି ପୁଣି ମୁଖ୍ୟମନ୍ତ୍ରୀ ପଦ ଦାବି କରିଛନ୍ତି।

ସେପଟେ ବିରୋଧୀ ଦଳମାନେ ଏହି ବୟାନବାଜୀକୁ ନେଇ ରାଜନୀତି କରିବା ଆରମ୍ଭ କରିଦେଇଛନ୍ତି, କହିଛନ୍ତି ହାରିବା ପରେ ମହାଯୁତୀରେ ଫାଟ ଏବେ ଜଳଜଳ ହୋଇ ଦିଶୁଛି। ମହାରାଷ୍ଟ୍ର ଏମଏଲସି ନିର୍ବାଚନ ଫଳାଫଳରେ ମହାଯୁତୀ ୫ ଗୁରୁତ୍ୱପୂର୍ଣ୍ଣ ଆସନରୁ ୩ଟିରେ ହାରିଯାଇଛି। ଏପରି ହୋଇଛି ଯେ ମୁଖ୍ୟମନ୍ତ୍ରୀ ଫଡନବୀଶ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆରଏସଏସର ଗଡ଼ ନାଗପୁରରେ ବିଜେପିକୁ ଜୋରଦାର ଝଟକା ଲାଗିଛି, ଯାହାର ହତାସା ଏବେ ସାମ୍ନାକୁ ଆସୁଛି। ଏହି ପରାଜୟକୁ ବିଜେପି ହଜମ କରିପାରୁନି। ସେପଟେ କଂଗ୍ରେସ ନାଗପୁର ସିଟ ହାତେଇ ବହୁତ ବଡ଼ ବିଜୟ ଦାବି କରୁଛି।

ବିଜେପି ନିଜ ପରାଜୟ ପାଇଁ ସିନ୍ଦେ ସେନାକୁ ଦାୟୀ କରୁଛି। ବିଜେପି ମୁଖପାତ୍ର ନଭନାଥ ବାନ କହିଛନ୍ତି ଯେ ଯଦି ସିନ୍ଦେ ସେନା ମେଣ୍ଟ ଧର୍ମ ପାଳନ କରି ନିର୍ବାଚନରେ ବିଜେପି ଓ ଏନସିପିକୁ ସମର୍ଥନ କରିଥାନ୍ତା ତେବେ ମହାଯୁତୀ ସମସ୍ତ ୫ଟି ଜାକ ଆସନ ଜିତି ପାରିଥାଆନ୍ତା। ଗୋଟିଏ ଆସନର ମହତ୍ୱକାଙକ୍ଷା ଯୋଗୁ ମେଣ୍ଟକୁ ୩ଟି ଆସନର ପରାଜୟ ସାମ୍ନା କରିବାକୁ ପଡିଲା। ବାନ କହିଛନ୍ତି ଯେ ସିନ୍ଦେ ସେନା ପୁଣେରେ ଶେଷ ମୁହୂର୍ତ୍ତରେ ସ୍ୱାଧୀନ ପ୍ରାର୍ଥୀ ସଚ୍ଚିନ ସନାପଙ୍କୁ ସମର୍ଥନ କରି ବିଜେପିର କ୍ଷତି କରିଛି। ସେହିପରି ଛତ୍ରପତି ଶମ୍ଭାଜୀନଗରରେ ଅବଦୁଲ୍ଲ ସତ୍ତାରଙ୍କ ଉପରେ ଏନସିପି ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବାର ଆରୋପ ମଧ୍ୟ ଲଗାଇଛନ୍ତି। ସେହିପରି ବାନ ନାଗପୁରରେ ସହଯୋଗ ଓ ସମର୍ଥନ ନ ଦେବାର ମଧ୍ୟ ଅଭିଯୋଗ କରିଛନ୍ତି।

ବିଜେପିର ବାନଙ୍କ ଅଭିଯୋଗର ସିନ୍ଦେସେନା ମୁଖପାତ୍ର ଆନନ୍ଦ ପରାଞ୍ଜପେ ଜବାବ ଦେଇଛନ୍ତି। ବିଜେପି ଉପରେ ପାଲଟା ଆକ୍ରମଣ କରି ପରାଞ୍ଜପେ କହିଛନ୍ତି ଯେ ବିଶ୍ୱର ସର୍ବ ବୃହତ୍ତ ଦଳ (ବିଜେପି) ଏହା ଚିନ୍ତା କରିବା ଦରକାର ଯେ ନାଗପୁର ଭଳି ଆରଏସଏସ ଗଡରେ ହାରିଲା କିପରି? ନାଗପୁରରେ ବିଜେପିର ପୂର୍ବତନ ବିଧାୟକ ଅନିଲ ସୋଲେ ବିଦ୍ରୋହ କରିଥିଲେ, ଯାହା ଉପରେ ବିଜେପିର ଆତ୍ମ ମନ୍ଥନ କରିବା ଆବଶ୍ୟକ। ପରାଞ୍ଜପେ କହିଛନ୍ତି ଯେ ମହାଯୁତୀ ମଧ୍ୟରେ ସିଟ୍ ଲାଗି ସମନ୍ୱୟର ଦାୟିତ୍ୱ ସବୁଠୁ ବଡ଼ ପାର୍ଟି ବିଜେପିର ଥିଲା। ସିନ୍ଦେସେନା ଆରମ୍ଭରୁ ପୁଣେର ଗୋଟିଏ ଆସନ (ସ୍ନାତକ ହେଉ ବା ଶିକ୍ଷକ) ଦାବି କରୁଥିଲା, କିନ୍ତୁ ବିଜେପି ପୁଣେ ଓ ନାଗପୁରର ସବୁ ଆସନରେ ନିଜ ପ୍ରାର୍ଥୀ ଘୋଷଣା କରିଥିଲା।

ଏଣୁ ଶିବ ସୈନିକଙ୍କ ଭାବନାକୁ ସମ୍ମାନ ମିଳିଲା ନାହିଁ। ସେ ମନେ ପକାଇ ଦେଇଛନ୍ତି ଯେ ଅମରାବତୀ ଶିକ୍ଷକ ନିର୍ବାଚନମଣ୍ଡଳିରେ ବିଜେପିର ୩ ବିଦ୍ରୋହୀ ପ୍ରାର୍ଥୀ ମୈଦାନରେ ଥିଲେ,ଏହା ସତ୍ତ୍ୱେ ସିନ୍ଦେ ସେନା କାରଣରୁ କିରଣ ସରନାଇକ ସେଠାରୁ ନିର୍ବାଚନ ଜିତିଛନ୍ତି। ପରାଞ୍ଜପେ ଚେତାଇ ଦେଇଛନ୍ତି ଯେ ଯଦି ବିଜେପି ଆଗାମୀ ନିର୍ବାଚନମାନଙ୍କରେ ବିଜୟୀ ହେବାକୁ ଚାହୁଁଛି ନିଜର ମେଣ୍ଟ ସହଯୋଗୀ (ଶିବସେନା ଓ ଏନସିପି)ଙ୍କୁ ଉଚିତ ସମ୍ମାନ ଓ ପ୍ରତିନିଧିତ୍ୱ ଦେବାକୁ ପଡିବ।

ଏଥିରେ ମହାରାଷ୍ଟ୍ର କଂଗ୍ରେସର ମୁଖପାତ୍ର କହିଛନ୍ତି ଯେ ମହାଯୁତୀ ସରକାରଙ୍କ ନୀତିଗୁଡିକ କାହାରିକୁ ପସନ୍ଦ ଆସୁନି। ଯୁବ, ଚାଷୀ, ମୂଲିଆ, ଛାତ୍ର ଓ ଅଧ୍ୟାପକ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନଙ୍କ ଅସନ୍ତୋଷ ନିର୍ବାଚନରେ ସାମ୍ନାକୁ ଆସିଛି। ମହାଯୁତୀ ପ୍ରାର୍ଥୀମାନଙ୍କୁ ମହାବିକାଶ ଧୂଳି ଚଟେଇଛି। ସେହିପରି ଉଦ୍ଧବ ସେନା ମୁଖପାତ୍ର ସଞ୍ଜୟ ରାଉତ ମହାରାଷ୍ଟ୍ରରେ ମହାଯୁତୀକୁ ଆତ୍ମ ଚିନ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ନାଗପୁର, ମରାଠାବାଡା ଓ ପୁଣେ ଭଳି ଗୁରୁତ୍ୱପୂର୍ଣ୍ଣ ଆସନ ହାରିବା ପରେ ବିଜେପି ଓ ପୁରା ମହାଯୁତୀର ବଡ଼ ନେତାମାନେ ପାର୍ଟି ଓ ସଙ୍ଗଠନକୁ ନେଇ ଗଭୀର ଚିନ୍ତନ କରିବା ଆବଶ୍ୟକ।