ନୂଆଦିଲ୍ଲୀ: ସୁରକ୍ଷା ଦାୟିତ୍ବରେ ନିୟୋଜିତ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଜଣେ ବିଜେପି ବିଧାୟକଙ୍କ ଝିଅ ଚାପୁଡ଼ା ମାରି ଫସିଛନ୍ତି । ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା ଶ୍ରୀରଙ୍ଗପଟ୍ଟଣରେ ଆରତୀ ଉକଡା ମନ୍ଦିରରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଚାପୁଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ବିଜେପି ବିଧାୟକଙ୍କ ଝିଅଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମହିଳା ଜଣକ ତୁମକୁରୁ ରୁରାଲ୍ ବିଜେପି ବିଧାୟକ ବି. ସୁରେଶ ଗୌଡ଼ାଙ୍କ ଝିଅ ଐଶ୍ୱର୍ଯ୍ୟା।

ଅଗଷ୍ଟ ୧୨ ତାରିଖ ରାତି ପ୍ରାୟ ୮:୧୫ ମିନିଟ୍‌ରେ, 'ଭୀମ ଅମାବାସ୍ୟା' ଉତ୍ସବ ସମୟରେ ମନ୍ଦିର ପରିସର ମଧ୍ୟରେ ଏହି ଘଟଣା ଘଟିଛି।  ସବ୍-ଇନ୍ସପେକ୍ଟର ସବିତା ପାଟିଲଙ୍କୁ ଐଶ୍ବର୍ଯ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଐଶ୍ୱର୍ଯ୍ୟା ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ସମୟରେ ମନ୍ଦିର ଭିତରକୁ ପ୍ରବେଶ କରିବାରେ ବିଳମ୍ବ ହେବାରୁ ସେ ଉତ୍ତେଜିତ ହୋଇପଡ଼ିଥିଲେ। ଅଭିଯୋଗ ଅନୁଯାୟୀ, ସେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଗାଳିଗୁଲଜ କରିବା ସହ ଚାପୁଡ଼ା ମାରିଥିଲେ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।

ପୁଲିସ ଅଧିକାରୀ ସବିତା ପାଟିଲଙ୍କ ଅଭିଯୋଗ ଆଧାରରେ କ୍ୟାଥନାହଲ୍ଲୀ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଧାରା ଅଧୀନରେ ଐଶ୍ବର୍ଯ୍ୟାଙ୍କ ବିରୋଧରେ ଏଫ୍‌ଆଇଆର୍ (FIR) ରୁଜୁ କରାଯାଇଛି। ମାମଲାରେ non-bailable ଧାରା ଲାଗିଥିଲେ ସୁଦ୍ଧା ଐଶ୍ୱର୍ଯ୍ୟାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ କିମ୍ବା କୌଣସି ନୋଟିସ୍ ଜାରି କରାଯାଇ ନାହିଁ। ସୂଚନାଯୋଗ୍ୟ, ଐଶ୍ୱର୍ଯ୍ୟା ଜଣେ ଏସିପି (ACP)ଙ୍କ ପତ୍ନୀ।

ସେପଟେ ଘଟଣାକୁ ନେଇ ବିଜେପି ବିଧାୟକ ବି. ସୁରେଶ ଗୌଡ଼ା କ୍ଷମା ପ୍ରାର୍ଥନା କରିଛନ୍ତି । ବିଧାୟକ କହିଛନ୍ତି, ‘ମୋ ଝିଅ ମନ୍ଦିର ଗର୍ଭଗୃହକୁ ଯିବାକୁ ଅନୁରୋଧ କରିଥିଲା। ପୁଲିସ ତାକୁ ଅଟକାଇଥିବା ବେଳେ ଜଣେ ସର୍କଲ ଇନ୍ସପେକ୍ଟରଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ। ମୋ ଝିଅ ପୁଣି ଅନୁରୋଧ କରିବାରୁ ପୁଲିସ ଅଫିସର ଜଣକ ତାକୁ ଗାଳିଗୁଲଜ କରିଥିଲେ, ଏହା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ମୋ ଝିଅ ଚାପୁଡ଼ା ମାରୁଥିବାର ଭିଡିଓ ଦେଖିନାହିଁ, ତଥାପି ଏହି ଘଟଣା ପାଇଁ ମୁଁ ଦୁଃଖିତ ଏବଂ କ୍ଷମା ପ୍ରାର୍ଥନା କରୁଛି।’