ବେଙ୍ଗାଲୁରୁ, ୨୯। ୦୭ : ବିବାଦରେ ବିଜେପି ବିଧାୟକ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ଜଣେ ବିଜେପି ବିଧାୟକଙ୍କୁ ମହଙ୍ଗା ପଡିଛି । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ରିପୋର୍ଟ ଅନୁସାରେ, କର୍ଣ୍ଣାଟକର ବିଜେପି ବିଧାୟକ ୟଶପାଲ ସୁବର୍ଣ୍ଣାଙ୍କ ଏକ ବିବାଦୀୟ ବୟାନକୁ ନେଇ ରାଜନୀତି ଜୋର୍ ଧରିଛି । ବୁଧବାର ଏନେଇ ଉଡୁପି ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ବିଧାୟକ ୟଶପାଲଙ୍କ ବିରୋଧରେ ଧାରା ୫୭, ୧୯୨, ୧୯୬(୨), ୩୫୨ ଏବଂ ୩୫୩(୨)ରେ ମାମଲା ରୁଜୁ କରିଛି ।

କ'ଣ କହିଥିଲେ ୟଶପାଲ ?

ଏକ କାର୍ଯ୍ୟକ୍ରମରେ ୟଶପାଲ କର୍ମୀଙ୍କୁ ସମ୍ବୋଧନ କରି କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ, କଂଗ୍ରେସ ନାଟକ କରୁଛି । ୧୯୯୨ରେ ବିଜେପି ଦଳର କାର୍ଯ୍ୟକର୍ତ୍ତା ବାବ୍ରୀ ମସଜିଦ ଭାଙ୍ଗିଥିଲେ । ଭାବନା ଆହତ ହେଲା ପରେ ସେମାନେ ଏପରି ପଦକ୍ଷେପ ନେଇଥିଲେ । ସେହିପରି କଂଗ୍ରେସର ବଂଶ ଏବଂ ରାହୁଲ ଗାନ୍ଧୀଙ୍କ ପରିବାରକୁ ଶେଷ କରି ଦିଆଯିବ । ରାହୁଲ ୨୪ ଘଣ୍ଟା ନିଶାରେ ରହୁଥିବା ସେ କହିଥିଲେ ।

Also Read :- IITରେ ହେଲାନି ଆଡମିଶନ୍, ଓ୍ୱେବସାଇଟ୍ ହ୍ୟାକ୍ କରିଦେଲେ ଛାତ୍ର... FIR ନହୋଇ ମିଳିଲା ପ୍ରାଇଜ୍ !

କଂଗ୍ରେସର ପ୍ରତିକ୍ରିୟା

ବିଜେପି ବିଧାୟକଙ୍କ ବୟାନକୁ ନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ମଞ୍ଜୁନାଥ ଭଣ୍ଡାରୀ କହିଛନ୍ତି ଯେ, ରାଜ୍ୟ ସରକାର ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି । ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୟଶପାଲଙ୍କ ବୟାନ ଖୁବ୍ ଅପମାନଜନକ ଏବଂ ହିଂସା ସୃଷ୍ଟିକାରୀ ଅଟେ । ଜଣେ ଜନପ୍ରତିନିଧିଙ୍କ ବିରୋଧରେ ଏପରି ଭାଷା ଉଚିତ ନୁହେଁ ।