Madan Rathore Pakistan remark: ବର୍ତ୍ତମାନ ଯଦି ପାକିସ୍ତାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତ ପଡ଼ୋଶୀ ପାକିସ୍ତାନକୁ ସପୋର୍ଟ କରିବ। ରାଜସ୍ଥାନ ବିଜେପି ଅଧ୍ୟକ୍ଷ ମଦନ ରାଠୋରଙ୍କର ଏହି ବୟାନ ଏବେ ଖୁବ୍ ଭାଇରାଲ୍ ହେଉଛି। ଯାହାକୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ସିଧା ଦେଶଦ୍ରୋହୀ ବୋଲି କହିଛନ୍ତି।

ରାଜସ୍ଥାନ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରାଠୋର ଏଭଳି ବୟାନ ଦେଇଛନ୍ତି। ପଡ଼ୋଶୀ ଦେଶଗୁଡ଼ିକ ବିଷୟରେ ଭାରତର ଆଭିମୁଖ୍ୟ ଦର୍ଶାଇ ସେ ଏପରି କହିଛନ୍ତି। ଯାହାକୁ ନେଇ ଆମ ଆଦମୀ ପାର୍ଟି ଓ କଂଗ୍ରେସ ବିଜେପିକୁ ସମାଲୋଚନା କରିଛନ୍ତି।

କାର୍ଯ୍ୟକ୍ରମରେ ଶ୍ରୀ ରାଠୋର କହିଛନ୍ତି “ ଆମ ସମସ୍ତଙ୍କୁ ବୁଝିବାକୁ ହେବ। ଯଦି ଭାରତ କଥା କହିବା ତେବେ ଆଜି ଯଦି ଆମେରିକା ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଆମେ ପାକିସ୍ତାନ ସହିତ ଛିଡ଼ା ହେବୁ। କାରଣ ସେ ଆମର ପଡ଼ୋଶୀ। କିନ୍ତୁ ଯେତେବେଳେ ଆମ ନିଜ ଭିତରେ କୌଣସି କଥା ଆସେ ସେତେବେଳେ ଆମେ ଭାରତ ସହ ଛିଡ଼ା ହେଉଛୁ। ଠିକ୍ ନା ? ଆମକୁ ଏତିକି ହିଁ ବୁଝିବାକୁ ହେବ।"

ବିରୋଧୀଙ୍କ ସମାଲୋଚନା

ମଦନ ରାଠୋରଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ ପ୍ରବଳ ସମାଲୋଚନା କରିଛନ୍ତି। କଂଗ୍ରେସ ପ୍ରବକ୍ତା ଶମା ମହମ୍ମଦ ରାଠୋରଙ୍କୁ ସିଧା ଦେଶଦ୍ରୋହୀ ବୋଲି କହିଛନ୍ତି।

ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଯେଉଁ ଆତଙ୍କବାଦୀ ଦେଶ ପାକିସ୍ତାନ ଆମ ସେନା ଯବାନଙ୍କୁ ଓ ଆମ ଲୋକଙ୍କୁ ହତ୍ୟା କରୁଛି,ତା ପ୍ରତି ବିଜେପିର ଭଲପାଇବା ଦେଖନ୍ତୁ। ରାଜସ୍ଥାନ ବିଜେପି ଅଧ୍ୟକ୍ଷ ମଦନ ରାଠୋର କହିଛନ୍ତି ଯଦି ଆମେରିକା ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗେ ତେବେ ସେ ପାକିସ୍ତାନକୁ ସପୋର୍ଟ କରିବେ। ଏବେ ଦେଖିବା ଏହି ଦେଶଦ୍ରୋହୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ?”

ଆମ ଆଦ୍ମୀ ପାର୍ଟି ମଧ୍ୟ ମଧ୍ୟ ରାଠୋରଙ୍କ ବିବାଦୀୟ ଭିଡିଓ ପୋଷ୍ଟ କରି ବିଜେପିକୁ ସମାଲୋଚନା କରିଛି। ଦଳ ଲେଖିଛି “ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ମଦନ ରାଠୋରଙ୍କ ବୟାନ ଶୁଣନ୍ତୁ: ଯଦି ଆମେରିକା ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଆମେ ପାକିସ୍ତାନ ସପକ୍ଷରେ ଛିଡ଼଼ା ହେବୁ। ଯଦି ଲୋକେ ପ୍ରଶ୍ନ କରିବେ ତେବେ ସେମାନେ ପାକିସ୍ତାନୀ ହୋଇଯିବେ, ଯେବେ ଯୁବବର୍ଗ ସ୍ୱର ଉଠାଇବେ ତେବେ ସେମାନେ ଆତଙ୍କବାଦୀ ହୋଇଯିବେ। କିନ୍ତୁ ଯେତେବେଳେ ଜଣେ ବିଜେପି ନେତା ପାକିସ୍ତାନକୁ ସପୋର୍ଟ କରିବା କଥା କୁହନ୍ତି ସେତେବେଳେ ମୋଦୀଙ୍କର ଜାତୀୟତା କୁଆଡ଼େ ଉଭେଇ ଯାଏ? ମିଷ୍ଟର ମୋଦୀ ଏବେ କୁହନ୍ତୁ କ’ଣ ଯେଉଁ ବିଜେପି ପାକିସ୍ତାନ ସପକ୍ଷରେ ଛିଡ଼ା ହେବାକୁ କହୁଛି ସେ ଗଦ୍ଦାର କି ନା ?”


ବିବାଦ ପରେ ବିଜେପି ନେତାଙ୍କ ସ୍ପଷ୍ଟୀକରଣ

ମାମଲାକୁ ନେଇ ସମାଲୋଚନା ହେବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ମଦନ ରାଠୋର। ତାଙ୍କ ମନ୍ତବ୍ୟକୁ ବିକୃତ କରାଯାଇଛି ଓ ଏବଂ ଅନୁଚିତ ଭାବରେ ଦର୍ଶାଯାଇଛି ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁସାରେ ସେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ସନ୍ଦର୍ଭରେ ଏହି ଟିପ୍ପଣୀ କରିଥିଲେ।

ଏନେଇ ସେ କହିଛନ୍ତି “ହଁ..ଲୋକମାନେ ସେଥିରୁ କେବଳ ଶେଷ ଦୁଇଟି ଧାଡିକୁ ଦେଖାଉଛନ୍ତି। କିନ୍ତୁ ମୁଁ ସ୍ପଷ୍ଟ ଭାବରେ କହିଛି ଯେ ଯଦି ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍ ହୁଏ ଏବଂ ଭାରତ ହାରିଯାଏ, ତେବେ ଯେଉଁ ବ୍ୟକ୍ତି ଏଥିପାଇଁ ବାଣଫୁଟାଏ ସେ ଦେଶ ଭକ୍ତ ନୁହେଁ। ହଁ ଯଦି ଆମେରିକା ପାକିସ୍ତାନ ସହ ମ୍ୟାଚ୍ ହୁଏ ତେବେ ସେ କଥା ଅଲଗା।” କିନ୍ତୁ ବର୍ତ୍ତମାନ ଲୋକେ ଯେଉଁଭଳି ଭାବେ ଏହାକୁ ଦେଖାଉଛନ୍ତି, ସେଥିରେ ମୋତେ ଲାଗୁଛି ସେମାନଙ୍କର ମୋ ପ୍ରତି କିଛି ମନ୍ଦ ଉଦ୍ଦେଶ୍ୟ ରହିଛି।