ଭୁବନେଶ୍ବର ୧୩।୩: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଡର । ନିର୍ବାଚନ ପାଇଁ ଆଉ ୨ ଦିନ ବାକି ଥିବା ବେଳେ ବିରୋଧୀଙ୍କୁ ଘାରିଛି ଘୋଡ଼ା ବେପାର ଭୟ । କଂଗ୍ରେସ ବିଧାୟକଙ୍କୁ ଧରି ପିସିସି ସଭାପତି ବେଙ୍ଗାଲୁରୁ ହୋଟେଲକୁ ଯାଇଥିବା ବେଳେ ଏପଟେ ବିଜେଡି ବିଧାୟକଙ୍କ ସହ ଟଚ୍ରେ ନବୀନ । ସେପଟେ ବିଜେପି ପାଇଁ କ୍ରସ୍ ଭୋଟିଂ ଡର ନଥିଲେ ମଧ୍ୟ ଦଳର ସମସ୍ତ ବିଧାୟକଙ୍କୁ ପାରାଦୀପର ଏକ ତାରକା ହୋଟେଲକୁ ନେବାକୁ ନିଷ୍ପତ୍ତି ନେଇଛି ବିଜେପି । ଏହାରି ଭିତରେ ବିଜେପି ଜାରି କରିଛି ହ୍ବିପ୍ । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ହ୍ବିପ୍ ଜାରି କରିଛନ୍ତି । ଆସନ୍ତା ୧୬ ତାରିଖ ଅର୍ଥାତ ରାଜ୍ୟସଭା ନିର୍ବାଚନ ଦିନ ସମସ୍ତ ବିଜେପି ବିଧାୟକ ମାନେ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ରାଜନୀତି ଇତିହାସରେ ନୂଆ ଅଧ୍ୟାୟ । ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ରିସର୍ଟ ପଲଟିକ୍ସ । ଘାରିଛି ଘୋଡା ବେପାର ଭୟ । ବେଙ୍ଗାଲୁରୁର ଏକ ତାରକା ହୋଟେଲରେ କଂଗ୍ରେସର ୮ ବିଧାୟକ । ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକିଥିବା ବେଳେ ରୋଚକ ହେବାରେ ଲାଗିଛି ରାଜ୍ୟ ରାଜନୀତି । କ୍ରସ୍ ଭୋଟିଂ ଡରରେ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ସବୁ ଦଳ ପ୍ଲାନ ପ୍ରସୁତ କରିଛନ୍ତି । କଂଗ୍ରସ ହ୍ବିପ୍ ଜାରି କରିବା ପରେ ବି ବିଧାୟକଙ୍କ ଉପରେ ଭରସା କରିନପାରି ୮ ବିଧାୟକଙ୍କୁ ଧରି ଖୋଦ୍ ପିସିସି ସଭାପତି ବେଙ୍ଗାଲୁରୁ ଯାଇଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ରାଜନ ଏକ୍କା ସତ୍ୟଜିତ ଗମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉଁଟା, ନୀଳ ମାଧବ ହିକକା, ଅଶୋକ ଦାସ, ଆପାଲା ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ । ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି । ସେମାନଙ୍କ ଉପରେ ନଜର ରଖିଛି ଦଳ । ସେପଟେ କିନ୍ତୁ କଂଗ୍ରେସ ବିଧାୟକ ଙ୍କ ଗସ୍ତକୁ ବିଧାୟିକା ସୋଫିଆ ଫିର୍ଦ୍ଦୋସ ନାପସନ୍ଦ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ବିଜେପିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାଶ, କହିଲେ- ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାର ଠାରୁ ଦୂରେଇ ଯାଇଛି ଦଳ

ବିଜେଡି ଶିବିରରେ ମଧ୍ୟ କ୍ରସ୍ ଭୋଟିଂ ଡର ଲାଗିରହିଛି । ଅସନ୍ତୁଷ୍ଟଙ୍କୁ ମନେଇବାକୁ ନବୀନ ନିବାସରେ କସରତ  ଚାଲିଛି । ଦଳ ତରଫରୁ ହ୍ବିପ୍ ଜାରି ହୋଇଛି ଭୁବନେଶ୍ବର ନଛାଡିବାକୁ । ତା ସତ୍ତ୍ବେ ବି ବିଧାୟକଙ୍କ ଉପରେ ଭରସା କରିପାରୁ ନାହାନ୍ତି ନବୀନ । ଆଜି ସୋର ବିଧାୟକ ମାଧବ ଧଡାଙ୍କ ସହ ଆଲୋଚନା କରିଛନ୍ତି । ସବୁ ବିଜେଡି ବିଧାୟକଙ୍କୁ  ଚିଠି ଲେଖିଛନ୍ତି ନବୀନ । ଏହାସହ ନବୀନ ନିବାସରେ ସଂଧ୍ୟା ୫.୩୦ରୁ ୭.୩୦ଟା ପର୍ଯ୍ୟନ୍ତ ଆଜି ଓ କାଲି ଉପସ୍ଥିତ ରହି ଟ୍ରେନିଂରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରବିବାର ଦିନ ବିଧାୟକ ଦଳ ବୈଠକ ଡାକିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ସେପଟେ ଚତୁର୍ଥ ଆସନ ହାତେଇବା ପାଇଁ ବିଜେପି ବି ନିଜ ପ୍ଲାନରେ ଅଛି । ବଣାଇ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହିତ କଥା ହୋଇଛନ୍ତି ଦିଲୀପ ରାୟ । ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିବ । ବୈଠକରେ ରାଜ୍ୟସଭା ପ୍ରଭାରୀ, ମୁଖ୍ୟମନ୍ତ୍ରୀ  ଏବଂ ରାଜ୍ୟସଭା ପ୍ରାର୍ଥୀ ଉପସ୍ଥିତ ରହି ବିଧାୟକ ମାନଙ୍କ ସହ ଆଲୋଚନା କରିବେ । ଏହାସହ ପାରାଦୀପର ଏକ ତାରକା ହୋଟଲରେ ସବୁ ବିଧାୟକ ଏକାଠି ହେବାକୁ ବ୍ଲୁପ୍ରିଣ୍ଟ  ପ୍ରସ୍ତୁତ ହୋଇଛି ।​​​​​​​​​​​​​​