କୋଲକାତା: କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କ ବିରୋଧରେ କଟାକ୍ଷପୂର୍ଣ୍ଣ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପିର ଗଙ୍ଗାରାମପୁର ବିଧାୟକ ସତ୍ୟେନ୍ଦ୍ର ନାଥ ରୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିଜେପି ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ପ୍ରତାପ ବାନାର୍ଜୀ ଏହି ନୋଟିସ୍ ଜାରି କରି ୭ ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତୃଣମୂଳ କଂଗ୍ରେସର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିପ୍ଲବ ମିତ୍ର ସୁକାନ୍ତ ମଜୁମଦାରଙ୍କ କାର୍ଯ୍ୟକୁ ପ୍ରଶଂସା କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏହାର ରିପ୍ଲାଇ ଦେଇ ବିଧାୟକ ସତ୍ୟେନ୍ଦ୍ର ନାଥ ରୟ ଏକ ଭିଡିଓ ଜାରି କରି ସୁକାନ୍ତ ମଜୁମଦାର ଓ ବିପ୍ଲବ ମିତ୍ରଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ଦୁହିଁଙ୍କୁ ବଙ୍ଗାଳୀ ଲୋକକଥା ଅନୁସାରେ "ମାଉସୀପୁଅ ଭାଇ" (mastuto bhai) ବୋଲି ସମ୍ବୋଧନ କରି କଟାକ୍ଷ କରିଥିଲେ।

Also Read: ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ି ମନ୍ତ୍ରୀଙ୍କ ପାଖରେ ବସିଲେ CM ବିଜୟ, ତାମିଲନାଡୁ ବିଧାନସଭାରେ ନିଆରା ଦୃଶ୍ୟ

ସେହି ଭିଡିଓରେ ରୟ ଅଭିଯୋଗ କରିଥିଲେ ଯେ, ବିଜେପିର କିଛି ନେତା ଦଳକୁ କ୍ଷତି ପହଞ୍ଚାଇବା ପାଇଁ ତୃଣମୂଳ କଂଗ୍ରେସ ସହ ଗୁପ୍ତ ବୁଝାମଣା କରୁଛନ୍ତି। ଶୃଙ୍ଖଳା କମିଟି ଏହି ମନ୍ତବ୍ୟକୁ ‘ଲଜ୍ଜାଜନକ’ ଏବଂ ଦଳୀୟ ଶୃଙ୍ଖଳା ଭଙ୍ଗ ବୋଲି ଦର୍ଶାଇଛି। ଏହି ନୋଟିସ୍‌ର କପି ରାଜ୍ୟ ବିଜେପି ସଭାପତି ଶମୀକ ଭଟ୍ଟାଚାର୍ଯ୍ୟ, ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ, ସହ-ପ୍ରଭାରୀ ମଙ୍ଗଳ ପାଣ୍ଡେ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲା ସଭାପତି ସ୍ୱରୂପ ଚୌଧୁରୀଙ୍କ ପାଖକୁ ପଠାଯାଇଛି।