ଭୁବନେଶ୍ୱର: ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶା ରାଜନୀତି ସରଗରମ। ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ସାଂସଦ ଦେଇଥିବା ବିବାଦୀୟ ବୟାନକୁ ନେଇ କଡ଼ା ଜବାବ ଦେଇଛି ବିଜୁ ଜନତା ଦଳ (ବିଜେଡି)। ଭର୍ତ୍ତୃହରି ତୁରନ୍ତ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ୍ ଦିଲ୍ଲୀରୁ ଓଡ଼ିଶା ଯାଏଁ ଛାତ୍ର ସମାଜ ତାଙ୍କୁ କେବେହେଲେ କ୍ଷମା ଦେବେନାହିଁ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପରିଚାଳନାରେ ସୁଧାର ଆଣିବା ଦାବିରେ ସାରା ଦେଶରେ ବର୍ତ୍ତମାନ ଛାତ୍ର ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇବା ପରେ ସରକାର ସେମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ନୀରବ ରହିଲେ। କେବଳ ସେତିକି ନୁହେଁ, ପ୍ରତିବାଦରତ ଛାତ୍ରମାନଙ୍କୁ ଦେଶଦ୍ରୋହୀ କହିବା ସହ ଚୀନ୍ ଓ ପାକିସ୍ତାନର ଏଜେଣ୍ଟ ଆଖ୍ୟା ଦିଆଯିବା ଘଟଣା ସେମାନଙ୍କୁ ଅଧିକ ଉତ୍ତ୍ୟକ୍ତ କରିଛି ବୋଲି ବିଜେଡି ଅଭିଯୋଗ କରିଛି।
Also Read: ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ଧର୍ମେନ୍ଦ୍ର ପ୍ରଧାନ
ବିଜେଡି ପକ୍ଷରୁ କୁହାଯାଇଛି ଯେ କଟକ ସାଂସଦ ଭର୍ତ୍ତୃହରି ମହତାବ ଯେଉଁଭଳି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି, ତାହା ତାଙ୍କ ଭଳି ଜଣେ ବରିଷ୍ଠ ବୁଦ୍ଧିଜୀବୀଙ୍କ ପକ୍ଷେ ଆଦୌ ଶୋଭାପାଉନାହିଁ। ନବୀନ ବାବୁ ସଦାସର୍ବଦା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ମତ ଦେଇଛନ୍ତି ଏବଂ ବିଜେଡି ପୂର୍ଣ୍ଣମାତ୍ରାରେ ଛାତ୍ର ସମାଜର ଦାବିକୁ ସମର୍ଥନ କରୁଛି।
ଆଜି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧରି ଆଲୋଚନା କରୁଥିବା ସାଂସଦ, ଆନ୍ଦୋଳନ ପ୍ରାରମ୍ଭରୁ କାହିଁକି ଏହି ଆଭିମୁଖ୍ୟ ଗ୍ରହଣ କଲେ ନାହିଁ ବୋଲି ଦଳ ପ୍ରଶ୍ନ ଉଠାଇଛି। ଛାତ୍ର ସମାଜ ପ୍ରତି ଭର୍ତ୍ତୃହରିଙ୍କ ଏହି ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ। ତେଣୁ ସେ ନିଜର ଆକ୍ଷେପମୂଳକ ମନ୍ତବ୍ୟ ପାଇଁ ସାର୍ବଜନୀନ ଭାବେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି।
