ଭୁବନେଶ୍ବର ୨୮।୩: ଗ୍ୟାସ୍ ପାଇଁ ଚାରିଆଡ଼େ ହାହାକାର । କେଉଁଠି କିଏ ବୁକିଂ କରି ଗ୍ୟାସ୍ ପାଉନି ତ ଆଉ କେଉଁଠି ଏଜେନ୍ସୀ ଆଗରେ ଘଣ୍ଟା ଘଣ୍ଟା ଲାଇନ୍ ଦେବାକୁ ପଡୁଛି । ଏଭଳି LPG ସଙ୍କଟ ସ୍ଥିତି ସମୟରେ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏହି ସଙ୍କଟ ସମୟରେ ସରକାର ବିକଳ୍ପ ବ୍ୟବସ୍ଥା ଭାବେ ଲୋକଙ୍କୁ ପର୍ଯ୍ୟାପ୍ତ ଜାଳେଣି କାଠ ଯୋଗାଇ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।

ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ, ଏହା ସ୍ୱାଭାବିକ । ସଙ୍କଟ ସମୟରେ ସବୁ ଏକ ହୋଇ ଠିଆ ହୁଅନ୍ତି । କ’ଣ ଦରଦାମ୍ ଉପରେ ନିୟନ୍ତ୍ରଣ ଆସିଲା କି ? ମନ୍ତ୍ରୀ ଯଦି କହୁଛନ୍ତି ଦୁଇ ମାସ ଯାଏଁ LPG ମହଜୁଦ ଅଛି, ତେବେ ଲୋକେ ଲାଇନରେ କାହିଁକି ଠିଆ ହେଉଛନ୍ତି ? ଆଗ ଓଡ଼ିଶାର ଅସଲ ସ୍ଥିତି କୁହନ୍ତୁ ସରକାର । ପରବର୍ତ୍ତୀ ସମୟର ବିକଳ୍ପ କ’ଣ ? ତାହା ସରକାର ଜଣାନ୍ତୁ । ଆଗରୁNistar Cessଦିଆଯାଉଥିଲା । ପାହାଡ଼ିଆ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ, ଜାଳେଣି କାଠ ଯୋଗାଇ ଦିଆଯାଉଥିଲା । ତାହା ଏବେ ଯୋଗାଇବାକୁ ସରକାର ସୁନିଶ୍ଚିତ କରନ୍ତୁ ବୋଲି ଦେବୀ ମିଶ୍ର କହିଛନ୍ତି ।

Also Read:- AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କଲେ ବଢିବ କର୍ମଚାରୀଙ୍କ ରାଙ୍କିଂ

ସେପଟେ ଗ୍ୟାସ୍ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ରାଜଧାନୀ ବାସିନ୍ଦା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଗ୍ୟାସ୍ ଡେଲିଭରିକୁ ନେଇ ଲୋକ ରାସ୍ତାରୋକ କରିଛନ୍ତି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ମେସର୍ସ ବିଳାସ ରାଉତରାୟ HP ଗ୍ୟାସ୍ ଏଜେନ୍ସିରେ ଲମ୍ବା ଲାଇନ୍ ଦେଇଛନ୍ତି । ଗ୍ୟାସ୍ ପାଇଁ ଅନଲାଇନରେ ଆପ୍ଲାଏ କରିଥିଲେ ଉପଭୋକ୍ତା । ସେମାନଙ୍କୁ ଗ୍ୟାସ୍ ଡେଲିଭରି ପାଇଁ ମେସେଜ ଆସିଲା । ଆକାଉଣ୍ଟକୁ ସବସିଡି ମଧ୍ୟ ଆସିଲା । କିନ୍ତୁ ଗ୍ୟାସ୍ ଡେଲିଭରି ହୋଇନାହିଁ । ଏହାକୁ ନେଇ ଗ୍ୟାସ୍ ଏଜେନ୍ସି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉତ୍ତ୍ୟକ୍ତ ଲୋକ ।