​​​​​​​ନ୍ୟୁୟର୍କ: ପୂର୍ବରୁ ତିଆରି ହୋଇଥିବା ରାସ୍ତାରେ ତ ସମସ୍ତେ ଚାଲନ୍ତି। ହେଲେ ଯିଏ ନିଜ ରାସ୍ତା ନିଜେ ତିଆରି କରେ ସେହି ପ୍ରକୃତ ସଫଳ ମଣିଷ। ଏହି ବିଚାର ନେଇ ଜୀବନରେ ଏକାକୀ ଲଢ଼େଇ କରିବାକୁ ବାହାରିଛନ୍ତି ବିଶ୍ୱର ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କ ଝିଅ ଫିବି ଗେଟ୍ସ।

ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଏବଂ ମେଲିଣ୍ଡା ଫ୍ରେଞ୍ଚ ଗେଟ୍‌ସଙ୍କ ସାନ ଝିଅ ଫିବି ଗେଟ୍‌ସ ଏବେ ଖୁବ୍‌ ଚର୍ଚ୍ଚାରେ। ନିଜର ଏକ ଏଆଇ ଷ୍ଟାର୍ଟଅପ୍ 'ଫିଆ' (Phia) ମାଧ୍ୟମରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତେବେ ଏଥିପାଇଁ ତାଙ୍କ ବାପାଙ୍କର ସାହାଯ୍ୟ ନେବେ ନାହିଁ କି ପରିବାର ଟଙ୍କା ନିବେଶ କରିବେ ନାହି। ଯାହା କରିବେ ଏକା କରିବେ। ନିଜ ଦକ୍ଷତାରେ ସେ ସଫଳତା ହାସଲ କରିବାକୁ ଚାହାଁନ୍ତି ବୋଲି ସ୍ପଷ୍ଟ କରି ଦେଇଛନ୍ତି ଫିବି।

୧୮୫ ନିୟୁତ ଡଲାରର ମୂଲ୍ୟ

୨୩ ବର୍ଷୀୟା ଫିବି ଗେଟ୍‌ସ ନିକଟରେ ତାଙ୍କର ଏଆଇ ଶପିଂ ଆସିଷ୍ଟାଣ୍ଟ ଷ୍ଟାର୍ଟଅପ୍ 'ଫିଆ' ପାଇଁ ୩୫ ମିଲିଅନ ଡଲାର ପାଣ୍ଠି ଯୋଗାଡ଼ କରିଛନ୍ତି। ଏହା ସହ ତାଙ୍କ କମ୍ପାନୀର ବଜାର ମୂଲ୍ୟ (Valuation) ପ୍ରାୟ ୧୮୫ ନିୟୁତ ଡଲାରରେ ପହଞ୍ଚିଯାଇଛି। ୟାହୁ ଫାଇନାନ୍ସର ଏକ ପୋଡକାଷ୍ଟରେ ଫିବି କହିଛନ୍ତି, "ମୋର ମୁଖ୍ୟ ଲକ୍ଷ୍ୟ ହେଉଛି ଏପରି ଏକ ବ୍ୟବସାୟ ଗଢ଼ିବା, ଯାହା ମୋର ସୁବିଧା କିମ୍ବା ମୋର ସାଙ୍ଗିଆ (Last name) ସହିତ ଜଡ଼ିତ ହେବ ନାହିଁ।"

ତେବେ ସବୁଠାରୁ ବଡ଼ କଥା ହେଲା ଯେମିତି ଭାରତରେ ସଚିନ ଜଣେ ମହାନ କ୍ରିକେଟର ବୋଲି ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଉପରେ ନିଜକୁ ପ୍ରମାଣିତ କରିବାର ସବୁବେଳେ ଚାପ ରହେ, ସେହିଭଳି ବିଲ୍‌ ଗେଟ୍ସ ବିଶ୍ୱର ଜଣେ ଧନୀ ଓ ପ୍ରତିଷ୍ଟିତ ବ୍ୟକ୍ତି ବୋଲି ଫିବିଙ୍କ ଉପରେ ଚାପ ରହିଛି ବୋଲି ସ୍ୱୀକାର କରିଛନ୍ତି।

Also Read- କେଉଁ କମ୍ପାନୀକୁ ବିଶ୍ୱାସ କରନ୍ତି ଭାରତୀୟ ? ଦୀର୍ଘ ୧୮ ବର୍ଷ ହେଲା ନମ୍ବର-୧, ତାଲିକାରେ ଏବେ ନୂଆ କମ୍ପାନୀର ଏଣ୍ଟ୍ରି

ଏନେଇ ସେ କହିଛନ୍ତି, "ମୋର ଏକ ବଡ଼ ଲକ୍ଷ୍ୟ ରହିଛି, ଯେଉଁଥିରେ କେବଳ ନିଜକୁ ପ୍ରମାଣିତ କରିବା ନୁହେଁ, ବରଂ କିଛି ନୂଆ ଏବଂ ଅନନ୍ୟ ଜିନିଷ ଗଢ଼ିବା, ଯାହା ଗ୍ରାହକଙ୍କୁ ପ୍ରକୃତରେ ପସନ୍ଦ ଆସିବ।"

ବିଶେଷ କଥା ହେଉଛି, ଫିବି ତାଙ୍କ କମ୍ପାନୀରେ ନିଜ ବାପା ବା ମା'ଙ୍କଠାରୁ କୌଣସି ଆର୍ଥିକ ସହାୟତା ନେଇ ନାହାଁନ୍ତି। ବରଂ, ନୋଟେବଲ୍ କ୍ୟାପିଟାଲ୍, କ୍ଲିନର୍ ପର୍କିନ୍ସ ଏବଂ ଖୋସ୍ଲା ଭେଞ୍ଚର୍ସ ଭଳି ବାହ୍ୟ ନିବେଶକାରୀଙ୍କ ଉପରେ ସେ ନିର୍ଭର କରିଛନ୍ତି।

ଏଆଇ ଷ୍ଟାଟପ ‘ଫିଆ’ର କାମ କ’ଣ?

ଫିବି ଗେଟ୍ସ ତାଙ୍କର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିର ପୂର୍ବତନ ରୁମ୍‌ମେଟ୍ ସୋଫିଆ କିଆନିଙ୍କ ସହ ମିଶି ଏହି ନ୍ୟୁୟର୍କ-ଆଧାରିତ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି। 'ଫିଆ' ଏକ AI-ଚାଳିତ ଶପିଂ ଆସିଷ୍ଟାଣ୍ଟ, ଯାହା ବ୍ରାଉଜର ସହିତ ସଂଯୁକ୍ତ ହୋଇ ଗ୍ରାହକଙ୍କୁ ବିଭିନ୍ନ ରିଟେଲ୍ ପ୍ଲାଟଫର୍ମରେ ମୂଲ୍ୟ ତୁଳନା କରିବାରେ ସାହାଯ୍ୟ କରେ।

ପରିବାରରୁ ଆର୍ଥିକ ସହାୟତା ନେଇନଥିଲେ ମଧ୍ୟ, ଫିବି ସ୍ୱୀକାର କରନ୍ତି ଯେ ତାଙ୍କ ବାପାଙ୍କଠାରୁ ସେ ବହୁତ କିଛି ଶିଖିଛନ୍ତି। ବିଶେଷକରି, ଏକ ଭଲ ଟିମ ହିଁ ଯେ କୌଣସି ସଫଳ ବ୍ୟବସାୟର ମୂଳଦୁଆ ବୋଲି ବାପାଙ୍କଠାରୁ ଶିଖିଥିବା ସେ କହିଛନ୍ତି। ଫିବି କେବଳ ପୈତୃକ ସମ୍ପତ୍ତି ନୁହେଁ, ବରଂ ନିଜର ପରିଶ୍ରମ ଓ କାର୍ଯ୍ୟଦକ୍ଷତା ମାଧ୍ୟମରେ ସଫଳତା ହାସଲ କରିବାକୁ ଚାହାଁନ୍ତି।