ନୂଆଦିଲ୍ଲୀ: ଲଗାତର ୧୮ ବର୍ଷ ହେଲା ଟାଟା ଗ୍ରୁପର ଦେଶର ନମ୍ବର-୧ ମୂଲ୍ୟବାନ ବ୍ରାଣ୍ଡ୍ ଭାବରେ ପରିଚୟ କାଏମ ରଖିଛି। ଏଥର ବି ଏହି ଟ୍ୟାଗ ପାଇଛି ଟାଟା ଗ୍ରୁପ। ତେବେ ଏଥର ରାଙ୍କରେ ଆଉ ଏକ ନୂଆ ମୁହଁ ଏଣ୍ଟ୍ରି ମାରିଛି। ପ୍ରଥମ ଥର ପାଇଁ ଆଦାନୀ ଗ୍ରୁପ ଭାରତର ଶୀର୍ଷ ୧୦ ମୂଲ୍ୟବାନ ବ୍ରାଣ୍ଡ ବର୍ଗରେ ସାମିଲ ହୋଇଛି। ଭିତ୍ତିଭୂମି, ଶକ୍ତି, ଲଜିଷ୍ଟିକ୍ସ ଏବଂ ଅକ୍ଷୟ ଶକ୍ତିରେ ଆଦାନୀ ଗ୍ରୁପର ଦ୍ରୁତ ପ୍ରସାର ହୁଏତ କମ୍ପାନୀକୁ ଏହି ସଫଳତା ଦେଇଛି।

ବ୍ରାଣ୍ଡ ଫାଇନାନ୍ସ ଇଣ୍ଡିଆ ୧୦୦, ୨୦୨୬’ ରିପୋର୍ଟ ଅନୁସାରେ, ଟାଟା ଗ୍ରୁପ୍ କ୍ରମାଗତ ୧୮ ବର୍ଷ ଧରି ଭାରତର ସର୍ବାଧିକ ମୂଲ୍ୟବାନ ବ୍ରାଣ୍ଡ ହୋଇ ରହିଛି। ଏଥର ଆଦାନୀ ଗ୍ରୁପ୍ ପ୍ରଥମ ଥର ପାଇଁ ଦେଶର ଟପ୍ ୧୦ ମୂଲ୍ୟବାନ ବ୍ରାଣ୍ଡ ମଧ୍ୟରେ ସ୍ଥାନ ପାଇଛି। ରିପୋର୍ଟ ଅନୁଯାୟୀ, ଭାରତର ୧୦୦ଟି ସର୍ବାଧିକ ମୂଲ୍ୟବାନ ବ୍ରାଣ୍ଡର ମିଳିତ ମୂଲ୍ୟ ୭% ବୃଦ୍ଧି ପାଇ ୨୫୨.୮ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ କମ୍ପାନୀଗୁଡ଼ିକର ଦୃଢ଼ତାକୁ ଦର୍ଶାଉଛି। ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା (AI), ଡିଜିଟାଲ ଭିତ୍ତିଭୂମି, ଉତ୍ପାଦନ ଏବଂ ଅକ୍ଷୟ ଶକ୍ତିରେ ନିବେଶ କରୁଥିବା କମ୍ପାନୀଗୁଡ଼ିକ ଅଧିକ ବ୍ରାଣ୍ଡ ଅଭିବୃଦ୍ଧି ହାସଲ କରୁଛନ୍ତି।

ଟାଟା ଗ୍ରୁପର ଅଗ୍ରଗତି-

ଟାଟା ଗ୍ରୁପ୍ ୩୩.୬ ବିଲିୟନ ଡଲାର ବ୍ରାଣ୍ଡ ମୂଲ୍ୟ ସହ ପ୍ରଥମ ସ୍ଥାନ ବଜାୟ ରଖିଛି। ଗତ ବର୍ଷ ତୁଳନାରେ ଏଥିର ୬% ଉପରକୁ ଉଠିଛି କମ୍ପାନୀ । ଇଲେକ୍ଟ୍ରୋନିକ୍ସ, ଡାଟା ଭିତ୍ତିଭୂମି, ଡିଜିଟାଲ ପ୍ଲାଟଫର୍ମ,ଇଲେକ୍ଟ୍ରିସିଟ ମୋବିଲିଟି, ସେମିକଣ୍ଡକ୍ଟର ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ମାଧ୍ୟମରେ ଟାଟା ଏହି ସଫଳତା ପାଇଛି।

ସେହିପରି ଇନଫୋସିସ ମଧ୍ୟ ଟାଟା ପରି ଖୁବ୍ ସଫଳ ହେବାରେ ଲାଗିଛି। କମ୍ପାନୀ ଏଥର ୧୬.୪ ବିଲିୟନ ଡଲାର ମୂଲ୍ୟ ସହ କ୍ରମାଗତ ପଞ୍ଚମ ବର୍ଷ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ୫ ବର୍ଷ ହେଲା କମ୍ପାନୀ ଏହି ଭାରତ ଦ୍ୱିତୀୟ ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇ ରହି ଆସିଛି। ଏଆଇ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ ଚାହିଦା ଯୋଗୁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ସେହିପରି ଭାରତର ଏଲାଇସି ୧୨% ବୃଦ୍ଧି ସହ ୧୫.୩ ବିଲିୟନ ଡଲାର ମୂଲ୍ୟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଏଚଡିଏଫ୍‌ସି ଗ୍ରୁପ୍ ୨% ହ୍ରାସ ସତ୍ତ୍ୱେ ୧୩.୯ ବିଲିୟନ ଡଲାର ମୂଲ୍ୟ ସହ ଚତୁର୍ଥ ସ୍ଥାନରେ ରହିଛି। ୧୧% ମୂଲ୍ୟ ବୃଦ୍ଧି ସହ ରିଲାଏନ୍ସ ଗ୍ରୁପ୍ ୧୦.୮ ବିଲିୟନ ଡଲାର ମୂଲ୍ୟ ସହ ପଞ୍ଚମ ସ୍ଥାନ ଅଧିକାର କରିଛି।

ଏସବିଆଇ ଗ୍ରୁପ ୯.୮ ବିଲିୟନ ଡଲାର ମୂଲ୍ୟ ସହ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଏଚସିଏଲ୍ ଟେକ୍ ୯ ବିଲିୟନ ଡଲାର ମୂଲ୍ୟ ସହ ସପ୍ତମ ସ୍ଥାନରେ ରହିଛି। ସବୁଠାରୁ ବଡ଼ କଥା ହେଲା ବ୍ରାଣ୍ଡ ଭାଲ୍ୟୁ ତାଲିକାରେ ଆଦାନୀ ଗ୍ରୁପ ଶୀର୍ଷ-୧୦ରେ ଏଣ୍ଟ୍ରି କରିଛି। ଆଦାନୀ ଗ୍ରୁପ୍ ୩୧% ଅଭିବୃଦ୍ଧି ସହ ୮.୫ ବିଲିୟନ ଡଲାର ମୂଲ୍ୟ ହାସଲ କରି ଅଷ୍ଟମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି।ଏହା ପଛକୁ ୮.୩ ବିଲିୟନ ଡଲାର ମୂଲ୍ୟ ସହ ଲାର୍ସନ ଆଣ୍ଡ ଟୁବ୍ରୋ (L&T) ନବମ ଏବଂ ୮.୧ ବିଲିୟନ ଡଲାର ମୂଲ୍ୟ ସହ ଏୟାରଟେଲ ଦଶମ ସ୍ଥାନରେ ରହିଛି।

Also Read- ଭାରତରେ ଅଛି ୩୦୦ ବିଲିୟନ ବ୍ୟାରେଲ ତେଲ-ଗ୍ୟାସ୍ ଭଣ୍ଡାର, ବେଦାନ୍ତର ବଡ଼ ଘୋଷଣା, ଜାଣନ୍ତୁ ଅନିଲ୍ ଅଗ୍ରୱାଲଙ୍କ ରଣନୀତି ?

ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରାଣ୍ଡ

ସୁଜଲନ୍ ଏନର୍ଜି ହେଉଛି ଦେଶର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରାଣ୍ଡ। ସୁଜଲନ୍ ଏନର୍ଜିର ବ୍ରାଣ୍ଡ ମୂଲ୍ୟ ୧୧୪% ବୃଦ୍ଧି ପାଇ ୪୧୮ ମିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟ କମ୍ପାନୀ ମଧ୍ୟରେ ଆଦାନୀ ପାୱାର (୧୫୨% ବୃଦ୍ଧି), ୟେସ୍ ବ୍ୟାଙ୍କ (୭୯% ବୃଦ୍ଧି), ଜେଏସଡବ୍ଲ୍ୟୁ ଗ୍ରୁପ (୫୫% ବୃଦ୍ଧି), ଏମଆରଏଫ (୨୪% ବୃଦ୍ଧି) ଏବଂ ଜେଟୱାର୍କ (୧୯% ବୃଦ୍ଧି) ଭଲ ପ୍ରଦର୍ଶନ କରିଛନ୍ତି।

ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ

ଗ୍ରାହକଙ୍କ ବିଶ୍ୱାସ ଆଧାରରେ ଦେଶର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ ହେଉଛି ‘ତାଜ ହୋଟେଲ୍’। ଏହା କ୍ରମାଗତ ପଞ୍ଚମ ବର୍ଷ ପାଇଁ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ (BSI ସ୍କୋର ୯୩.୫/୧୦୦) ହୋଇ ରହିଛି। ଜୋମାଟୋ ଦ୍ୱିତୀୟ ଏବଂ ଅମୂଲ ତୃତୀୟ ସ୍ଥାନରେ ରହିଛନ୍ତି। ଏଥିସହିତ, TCS ୨୧.୨ ବିଲିୟନ ଡଲାର ମୂଲ୍ୟ ସହ ଭାରତର ସବୁଠାରୁ ମୂଲ୍ୟବାନ ଆଇଟି ସେବା ବ୍ରାଣ୍ଡ ଭାବେ ନିଜ ସ୍ଥାନ ବଜାୟ ରଖିଛି ଏବଂ ବିଶ୍ୱର ଦ୍ୱିତୀୟ ସର୍ବାଧିକ ମୂଲ୍ୟବାନ ଆଇଟି ବ୍ରାଣ୍ଡ ଭାବେ ମଧ୍ୟ ସ୍ଥାନ ପାଇଛି।