Man Drags Girlfriend on Bike in Bihar: ଆଜିକାଲି ଯୁଗରେ ପ୍ରେମ କମ ପ୍ରତାରଣ ବଢ଼ିଯାଇଛି। ପ୍ରେମିକ କମ କାମୁକ ଅଧିକ ହୋଇଯାଇଛନ୍ତି। ଯାହାର ପରିଣତି ସମାଜକୁ ଅଧପତନ ଆଡ଼କୁ ଟାଣି ନେଉଛି। ବିହାର ନାଳନ୍ଦା ଜିଲ୍ଲାରେ ପ୍ରେମିକା ବାହା ହେବାକୁ ଜିଦ୍ ଧରିବାରୁ ନିର୍ଦ୍ଦୟୀ ପ୍ରେମିକ ଯେଉଁ କାଣ୍ଡ ଘଟାଇଛି, ତାହା ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି।

ବିବାହ କରିବାକୁ ପ୍ରେମିକା ଜିଦ୍ ଧରିବା ପରେ ପ୍ରେମିକ ତାଙ୍କୁ ବାଇକ୍‌ରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଅନୁସାରେ, ଯୁବତୀ ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ବାଇକ୍ର ହ୍ୟାଣ୍ଡେଲକୁ ଧରି ରହିଛନ୍ତି। କିନ୍ତୁ ପ୍ରେମିକ ବାଇକ୍ ଅଟକାଇବା ବଦଳରେ ଦ୍ରୁତ ଗତିରେ ଚଳାଇ ଆଗକୁ ବଢ଼ିଯାଉଛନ୍ତି। ଫଳରେ ଯୁବତୀଜଣଙ୍କ ରାସ୍ତାରେ ଘୋଷାଡ଼ି ହୋଇଯାଉଛନ୍ତି, ରାସ୍ତାରେ ଯାଉଥିବା ଲୋକେ ଏହି ଛାତିଥରା ଦୃଶ୍ୟ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ।

ହେଲେ କିଛି ଦୂର ଯିବା ପରେ(ପ୍ରାୟ ୧୦୦ମିଟର) ବାଇକ୍ ଭାରସାମ୍ୟ ହରାଇବାରୁ ଉଭୟ ତଳେ ପଡ଼ିଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକଙ୍କୁ ଘେରିବା ସହ ମାଡ଼ ମାରିଥିଲେ। ଘଟଣା ନେଇ ପୋଲିସ କହିଛି ଯେ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ରକ୍ଷା ପାଇବା ଏବଂ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଅଭିଯୁକ୍ତ ଯୁବତୀଙ୍କୁ ନିଜ ସ୍ତ୍ରୀ ବୋଲି ଦାବି କରିଥିଲେ। ସେ ଏହାକୁ ପାରିବାରିକ ବିବାଦ ବୋଲି ମଧ୍ୟ କହିଥିଲେ।

୫ ବର୍ଷ ଧରି ଥିଲା ପ୍ରେମ ସମ୍ପର୍କ

ପୋଲିସ ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ପ୍ରାୟ ପାଞ୍ଚ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଅଭିଯୁକ୍ତ ନବାଦା ଜିଲ୍ଲାର ନରଦିଗଞ୍ଜରେ ଅମିନ ଭାବେ କାର୍ଯ୍ୟରତ। କିଛି ଦିନ ପୂର୍ବରୁ ସେ ରାଜଗିର ଆସି ପ୍ରେମିକାଙ୍କୁ ଭେଟିଥିଲେ। ଏହି ସମୟରେ ଯୁବତୀ ତାଙ୍କୁ ବିବାହ କରିବାକୁ ଜିଦ୍ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବିବାଦ ବଢ଼ିବା ପରେ ଅଭିଯୁକ୍ତ ବାଇକରେ ଫେରାର ହେବାକୁ ଚେଷ୍ଟା କରିଥିଲେ।

Also Read- ସ୍ତ୍ରୀକୁ ଫାଶୀ ଦେଇ ହତ୍ୟା କଲା ସ୍ୱାମୀ, ଭିଡିଓ କଲ୍ କରି ଶାଶୂ-ଶ୍ୱଶୁରଙ୍କୁ ଦେଖାଇଲା ଝିଅ ଶେଷ ନିଃଶ୍ୱାସ ତ୍ୟାଗ କରୁଥିବାର ଭୟାନକ ଦୃଶ୍ୟ

ଯୁବତୀ ବାଇକ୍କୁ ଧରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ବାଇକ୍ର ଗତି ବଢ଼ାଇ ଦେଇଥିଲେ। ଫଳରେ ଯୁବତୀ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡ଼ି ହୋଇଯାଇଥିଲେ, ଯାହା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ଏନେଇ ରାଜଗିର ଥାନାର ଏସ୍ଏଚ୍ଓ ଅଭିଜିତ କୁମାର କହିଛନ୍ତି ଯେ, ଏହି ଘଟଣା ବିବାହକୁ କେନ୍ଦ୍ର କରି ଘଟିଥିବା ବିବାଦ ସହ ଜଡିତ। ତେବେ ଅଭିଯୁକ୍ତ ଜଣେ ସରକାରୀ କର୍ମଚାରୀ ବୋଲି ସେ ସ୍ପଷ୍ଟ କରିଛନ୍ତି।

ତେବେ ଏହି ଘଟଣା ପରେ ପୀଡ଼ିତା ନବାଦା ଜିଲ୍ଲାର ନରଦିଗଞ୍ଜ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ କହିଛି ଯେ, ଅଭିଯୋଗ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ଭାଇରାଲ ଭିଡିଓକୁ ଆଧାର କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।