ବେଙ୍ଗାଲୁରୁ: ସନ୍ଦେହ କେତେ ଭୟଙ୍କର ହୋଇପାରେ ? ଆଉ ଏହି ସନ୍ଦେହ ମଣିଷ ହାତରେ କଣ ଘଟାଇପାରେ ? ଏହି ପ୍ରଶ୍ନର ଉତ୍ତର ମିଳିବା କଷ୍ଟ । କିନ୍ତୁ କର୍ଣ୍ଣାଟକରେ ସନ୍ଦେହ ଯୋଗୁଁ ଯେଉଁ ଘଟଣା ଘଟିଗଲା, ତାହା ଛାତିଥରାଇ ହେବ । କର୍ଣ୍ଣଟକର ବାଗଲରକୋଟ୍ ଜିଲ୍ଲାରେ ଏକ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଜଣେ ୨୩ ବର୍ଷୀୟ ମହିଳାଙ୍କୁ ମରିବା ଯାଏ ତାଙ୍କ ସ୍ୱାମୀ ଫାଶୀରେ ଝୁଲାଇ ରଖିଥିଲେ ।

କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ୱାମୀ ପରକୀୟା ପ୍ରୀତି ସନ୍ଦେହରେ ଫାଶୀ ଦେଇ ହତ୍ୟା କରିଛି । ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଜଣକ ମହିଳାଙ୍କ ଶେଷ ମୁହୂର୍ତ୍ତର ଏକ ଭିଡିଓ ରେକର୍ଡ କରି ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ପଠାଇଥିଲା । ଏପରିକି ଶ୍ୱଶୁର-ଶାଶୂଙ୍କୁ ଭିଡିଓ କଲ୍ କରି ଝିଅର ମୃତ୍ୟୁର ଦୃଶ୍ୟ ଦେଖିବାକୁ ବାଧ୍ୟ କରିଥିଲା ।

ମୃତ ମହିଳାଙ୍କ ନାମ ଭାଗ୍ୟଶ୍ରୀ ଜିଗାଲୁରୁ । ମୃତ ମହିଳା ସୋମବାର ସକାଳେ ହିଁ ସ୍ୱାମୀଙ୍କ ସହ ସମ୍ପର୍କ ସୁଧାରିବା ଆଶାରେ ନିଜ ଶାଶୂଘରକୁ ଫେରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପ୍ରବୀଣ ଜିଗାଲୁରୁ ପ୍ରଥମେ ଭାଗ୍ୟଶ୍ରୀଙ୍କୁ ଏକ କାଠ ବାଡ଼ିରେ ପିଟିଥିଲା ଏବଂ ପରେ ଶୋଇବା ଘର ଭିତରେ ଏକ ସବୁଜ ରଙ୍ଗର ଓଢ଼ଣୀ ସାହାଯ୍ୟରେ ତାଙ୍କୁ ଫାଶୀ ଦେଇଥିଲା । ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ସେ ଏହି କାଣ୍ଡ ଭିଆଇଥିବା ପୋଲିସ ସୂଚନା ଦେଇଛି ।

ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଫାଶୀରେ ଝୁଲାଇବା ପରେ ଅଭିଯୁକ୍ତ ଭାଗ୍ୟଶ୍ରୀ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବାର ଭିଡିଓ ରେକର୍ଡ କରି ବନ୍ଧୁ ଓ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲା । ଏହା ସହ ସେ ଶ୍ୱଶୁର-ଶାଶୂଙ୍କୁ ଭିଡିଓ କଲ୍ କରି ସେମାନଙ୍କ ଝିଅ ଶେଷ ନିଃଶ୍ୱାସ ତ୍ୟାଗ କରୁଥିବାର ଭୟାନକ ଦୃଶ୍ୟ ଦେଖିବାକୁ ବାଧ୍ୟ କରିଥିଲା ।

ସ୍ୱାମୀଙ୍କ ସହ କ୍ରମାଗତ ବିବାଦ ହେତୁ ଭାଗ୍ୟଶ୍ରୀ ନିଜ ବାପାମାଆଙ୍କ ସହ ରହୁଥିଲେ । ତଦନ୍ତକାରୀଙ୍କ ଅନୁଯାୟୀ, ପ୍ରବୀଣ ଶାନ୍ତିରେ ଏକାଠି ରହିବା ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କୁ ଘରକୁ ଫେରିବାକୁ ମନାଇଥିଲା । ମାତ୍ର ସେ ଯେଉଁ ଦିନ ଫେରିଥିଲେ, ସେହି ସନ୍ଧ୍ୟାରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା ।