ପାଟନା: ବିହାରରେ କୌଣସି ପୋଲିସ ଅଧିକାରୀ କପାଳରେ ତିଳକ ଏବଂ ଚନ୍ଦନ ଲଗାଇ ଡ୍ୟୁଟି କରିପାରିବେ ନାହିଁ । ବିହାର ପୋଲିସ ମହାନିର୍ଦ୍ଦେଶକ ଏଭଳି ନିର୍ଦ୍ଦେଶନାମା ଜାରି କରିବା ପରେ ବିତର୍କ ଆରମ୍ଭ ହୋଇଛି । ଏପରିକି ନିୟମ ଉଲ୍ଲଂଘନ କରୁଥିବ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତିଳକ ଏବଂ ଚନ୍ଦନ ଲଗାଇ ଡ୍ୟୁଟି କରିବା ଦ୍ବାରା ପୋଲିସ ମାନୁଆଲର ଉଲ୍ଲଂଘନ ହେଉଛି ବୋଲି କହିଛନ୍ତି ବିହାର ଡିଜିପି ବିନୟ କୁମାର ।

କ୍ୟାପ୍- ବେଲ୍ଟ ବିନା ବର୍ଦ୍ଦି ଅଧୁରା

ଡିଜିପି ବିନୟ କୁମାର ସ୍ପଷ୍ଟ କରିଛନ୍ତି ଯେ, ପୋଲିସ ବାହିନୀର ଏକ ବୃତ୍ତିଗତ ଭାବମୂର୍ତ୍ତି ରହିବା ଉଚିତ। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ପୋଲିସ ଅଧିକାରୀମାନେ ଡ୍ୟୁଟି ସମୟରେ କ୍ୟାପ୍ ଏବଂ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ଏଗୁଡ଼ିକ ବିନା ୟୁନିଫର୍ମକୁ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯିବ। ଏହା ବ୍ୟତୀତ, ମହିଳା ପୋଲିସ ଅଧିକାରୀମାନଙ୍କୁ ଡ୍ୟୁଟି ସମୟରେ ଅତ୍ୟଧିକ ମେକଅପ୍ ନନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବର୍ତ୍ତନଗୁଡ଼ିକ ପୋଲିସ ବାହିନୀର ବ୍ୟକ୍ତିଗତ ପରିଚୟ ଅପେକ୍ଷା ଏହାର ସରକାରୀ ପରିଚୟକୁ ଗୁରୁତ୍ୱ ଦେବ ବୋଲି ବିଶ୍ବାସ କରୁଛନ୍ତି ବିନୟ କୁମାର ।

ସୋସିଆଲ ମିଡିଆରେ ପ୍ରତିକ୍ରିୟା

ଜଣେ ୟୁଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, ‘ବିହାର ପୋଲିସର ସଚ୍ଚୋଟତା କ'ଣ ତିଳକ ଦ୍ୱାରା ନିର୍ଣ୍ଣୟ କରାଯାଏ ? ଚନ୍ଦନ ଲଗାଇବା ଦ୍ବାରା ଦୁର୍ନୀତି ହୁଏ କି ? ଅପରାଧୀମାନେ ତିଳକ ଦେଖି ଖସିଯାଆନ୍ତି କି ? ଯଦି କପାଳରେ ତିଲକ ଶୃଙ୍ଖଳା ବିରୁଦ୍ଧରେ, ତେବେ କେଉଁ ନିୟମ ଅନୁଯାୟୀ ୟୁନିଫର୍ମରେ ଜାତିଭେଦ, ଲାଞ୍ଚ ଏବଂ ରାଜନୈତିକ ଚାଟୁକାରିତା ଆଇନଗତ ?’ ଆଉ ଜଣେ ୟୁଜର ଲେଖିଛନ୍ତି, ‘ବ୍ୟକ୍ତିଗତ ଭାବରେ, ସେ ଠିକ୍ କହିଛନ୍ତି। କିନ୍ତୁ ବିହାର ପୋଲିସ ବିଭାଗରେ ଏହାକୁ କାର୍ଯ୍ୟକାରୀ କରିବା ବହୁତ କଷ୍ଟକର।’

Also Read: Raghu Rai: କିମ୍ବଦନ୍ତୀ ଫଟୋଗ୍ରାଫର ରଘୁ ରାୟଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ରିଲ୍ ଏବଂ ପୋଷ୍ଟ ଉପରେ ନଜର

ତିଳକ ବ୍ୟତୀତ, ବିହାର ପୋଲିସ ଡିଜିଟାଲ୍ ଶୃଙ୍ଖଳା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି। ଏବେ, କୌଣସି ପୋଲିସ ଅଧିକାରୀ ୟୁନିଫର୍ମ ପିନ୍ଧିଥିବା ସମୟରେ ଭିଡିଓ କିମ୍ବା ରିଲ୍ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ। ପୋଲିସ ବିଭାଗ ଅନୁସାରେ, ୟୁନିଫର୍ମ ପିନ୍ଧିଥିବା ସମୟରେ ଏପରି କାର୍ଯ୍ୟକଳାପ ବିଭାଗର ଗୋପନୀୟତା ଏବଂ ଭାବମୂର୍ତ୍ତି ପ୍ରତି ବିପଦ ସୃଷ୍ଟି କରେ। ଯଦି କୌଣସି ପୋଲିସ ଅଧିକାରୀ ୟୁନିଫର୍ମରେ ଥାଇ ଭିଡିଓ ସୁଟ କରି ପୋଷ୍ଟ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।