ପାଟନା: ବିହାର ବନ୍ଦରେ ସାମିଲ ହୋଇଥିବା ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଏକେ-୪୭(AK-47) ଚଳାଇଥିବା ପୁଲିସ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଜୁଲାଇ ୨୫ରେ ଆୟୋଜିତ ‘ବିହାର ବନ୍ଦ’ ପ୍ରତିବାଦ ସମୟରେ ସିୱାନ ଜିଲ୍ଲାରେ ଏଭଳି ଘଟଣା ଘଟିଥିଲା। ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଅଫିସର ଗୁଳି ଚାଳନା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ଓ ସାଧାରଣ ଲୋକଙ୍କ ପକ୍ଷରୁ ପୁଲିସର କାର୍ଯ୍ୟଶୈଳୀକୁ ନେଇ ତୀବ୍ର ସମାଲୋଚନା ହୋଇଥିଲା।

ବିହାର ପୁଲିସ ମୁଖ୍ୟାଳୟ ଘଟଣାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ବିଭାଗୀୟ ତଦନ୍ତର ନିର୍ଦ୍ଦେଶ ଦେଇଛି। ତଦନ୍ତରେ ଅସ୍ତ୍ର ବ୍ୟବହାର ପୁଲିସର ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ହୋଇଥିଲା କି ନାହିଁ, ତାହା ଯାଞ୍ଚ କରାଯିବ। ରାଜ୍ୟବ୍ୟାପୀ ବିହାର ବନ୍ଦ ସମୟରେ ବିଭିନ୍ନ ଜିଲ୍ଲାରେ ଛାତ୍ର ସଂଗଠନମାନଙ୍କ ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିୱାନରେ ପ୍ରଦର୍ଶନକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ପୁଲିସ ଲାଠି ଚାର୍ଜ କରିଥିବା ବେଳେ ପ୍ରଦର୍ଶନକାରୀମାନେ ପଥରମାଡ଼ କରିଥିବା ଅଭିଯୋଗ ରହିଛି।
Also Read- ଦଳଡିଆଁ ନେତାଙ୍କ ପାଇଁ ଆସିବ କଠୋର ନିୟମ ! କପିଲ ସିବଲଙ୍କ ଆବେଦନର ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମକୋର୍ଟ

ଏହି ଘଟଣାରେ ଆହତ ହୋଇଥିବା ତିନିଜଣ ପ୍ରଦର୍ଶନକାରୀ ପାଟନାସ୍ଥିତ ଜୟପ୍ରଭା ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରେ ୧୫ ବର୍ଷୀୟ ମହମ୍ମଦ ଆରିଫ ମଧ୍ୟ ଅଛନ୍ତି। ପରିବାର ସଦସ୍ୟଙ୍କ କହିବା ଅନୁସାରେ, ବନ୍ଦ ପାଇଁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ବେକରେ ଗୁଳି ବାଜିଥିଲା। ଡାକ୍ତରମାନେ ସଫଳ ଅସ୍ତ୍ରୋପଚାର କରି ଗୁଳି ବାହାର କରିଛନ୍ତି ଏବଂ ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ବିହାର ପୁଲିସ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।