ନୂଆଦିଲ୍ଲୀ: ଦଳବଦଳ ନିରୋଧୀ ଆଇନର ‘ଦଳୀୟ ମିଶ୍ରଣ’ ଧାରାର ସାମ୍ବିଧାନିକ ବ୍ୟାଖ୍ୟାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆବେଦନକୁ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇନଜୀବୀ ତଥା ସ୍ୱାଧୀନ ରାଜ୍ୟସଭା ସାଂସଦ କପିଲ ସିବଲଙ୍କ ଦ୍ୱାରା ଦାଖଲ ଏହି ପିଟିସନ ଉପରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଜଷ୍ଟିସ ପି.ଏସ. ନରସିଂହା ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କୁ ନେଇ ଗଠିତ ପୀଠ ଏହି ଆବେଦନର ପ୍ରାଥମିକ ଶୁଣାଣି କରି କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ଲୋଡ଼ିଛନ୍ତି।

ସିବଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଗୋଆର ବିଧାୟକମାନଙ୍କ ଦଳବଦଳ ସମ୍ପର୍କିତ ଏକ ସମାନ ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଏହାକୁ ଦୃଷ୍ଟିରେ ରଖି କୋର୍ଟ ଏହି ନୂତନ ଆବେଦନକୁ ଗୋଆ ମାମଲା ସହିତ ଯୋଡ଼ି ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ଦର୍ଶାଇଥିଲେ ଯେ, ଦଶମ ଅନୁସୂଚୀ ସଂସଦ ଦ୍ୱାରା ପାରିତ ହୋଇଥିବାରୁ ଏହାର କାର୍ଯ୍ୟପନ୍ଥା ଓ ସଂଶୋଧନ ସଂସଦର ନିଜସ୍ୱ ପରିସରଭୁକ୍ତ। ତଥାପି, ଦଳବଦଳ ଆଇନର କାର୍ଯ୍ୟକାରିତାରେ ଅନେକ ଜଟିଳତା ଉପୁଜୁଥିବା କୋର୍ଟ ସ୍ୱୀକାର କରିଛନ୍ତି।

କପିଲ ସିବଲଙ୍କ ପ୍ରମୁଖ ତର୍କ ହେଉଛି, ଦଳବଦଳ ନିରୋଧୀ ଆଇନର ମିଶ୍ରଣ ଧାରା ଯୋଗୁଁ ନିର୍ବାଚନର ଜନମତ ବଦଳିଯାଉଛି। ଏକ ସଂଖ୍ୟାଗରିଷ୍ଠ ଦଳ ଅଳ୍ପସଂଖ୍ୟକରେ ପରିଣତ ହେଉଛି ଏବଂ ଅଳ୍ପସଂଖ୍ୟକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରୁଛି। ସିବଲ ଏହି ଆବେଦନରେ ଦର୍ଶାଇଛନ୍ତି ଯେ, ସମ୍ବିଧାନର ଦଶମ ଅନୁସୂଚୀର ଧାରା ୪ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଆମ୍ ଆଦମୀ ପାର୍ଟି (AAP), ତୃଣମୂଳ କଂଗ୍ରେସ (TMC) ଏବଂ ଶିବସେନା (UBT) ର କେତେକ ନିର୍ବାଚିତ ସାଂସଦ ଓ ବିଧାୟକ ଦଳବଦଳ ନିରୋଧୀ ଆଇନର ସଦସ୍ୟପଦ ରଦ୍ଦରୁ ବଞ୍ଚିବା ପାଇଁ ‘ମିଶ୍ରଣ’ ଧାରାର ଅପବ୍ୟବହାର କରି ଶାସକ ବିଜେପି ଓ ଅନ୍ୟ ଦଳଗୁଡ଼ିକରେ ଯୋଗ ଦେଉଛନ୍ତି।

ଯେଉଁ ଢଙ୍ଗରେ ମିଶ୍ରଣ ଦର୍ଶାଇ ସଂସଦ ଓ ବିଧାନସଭାଗୁଡ଼ିକର ରୂପରେଖ ବଦଳାଯାଉଛି, ତାହା ଦଳବଦଳ ଆଇନର ମୂଳ ଉଦ୍ଦେଶ୍ୟକୁ ହାନୀ ପହଞ୍ଚାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ୧୯୮୫ ମସିହାରେ ୫୨ତମ ସମ୍ବିଧାନ ସଂଶୋଧନ ଜରିଆରେ ଦଳବଦଳ ନିରୋଧୀ ଆଇନ ଆଗତ କରାଯାଇଥିଲା। ନିର୍ବାଚିତ ପ୍ରତିନିଧି ନିଜ ଦଳ ଛାଡ଼ିଲେ କିମ୍ବା ଦଳୀୟ ହ୍ୱିପ୍  ଅମାନ୍ୟ କଲେ ସଦସ୍ୟପଦ ରଦ୍ଦ ହେବାର ବ୍ୟବସ୍ଥା ରହିଛି। ୯୧ତମ ସଂଶୋଧନ (୨୦୦୩)ପୂର୍ବରୁ ୧/୩ ସଦସ୍ୟଙ୍କ ପୃଥକ ହେବାକୁ 'ବିଭାଜନ' କୁହାଯାଉଥିଲା, ଯାହାକୁ ୨୦୦୩ରେ ହଟାଇ ଦିଆଗଲା। 

ବର୍ତ୍ତମାନର ଧାରା ୪ ଅନୁଯାୟୀ, ଯଦି କୌଣସି ଦଳର ଅତିକମରେ ଦୁଇ-ତୃତୀୟାଂଶ ସଂସଦ/ବିଧାୟକ ଅନ୍ୟ ଦଳ ସହ ମିଶ୍ରଣ କରନ୍ତି, ତେବେ ସେମାନଙ୍କ ସଦସ୍ୟପଦ କାଏମ ରହେ।ଏହି ଦୁଇ-ତୃତୀୟାଂଶ ନିୟମକୁ ଅସ୍ତ୍ର କରି ମୂଳ ରାଜନୈତିକ ଦଳର ସମ୍ମତି ବିନା କେବଳ ନିର୍ବାଚିତ ବିଧାୟକ/ସାଂସଦମାନେ ନିଜକୁ ଅନ୍ୟ ଦଳ ସହ ମିଶ୍ରଣ ଦର୍ଶାଇ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଉଛନ୍ତି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ରର ଜବାବ ଲୋଡ଼ିଥିବାରୁ ଆଗାମୀ ଦିନରେ ଦଳବଦଳ ଆଇନର ଆଇନଗତ ବ୍ୟାଖ୍ୟାରେ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।