ଲାହୋର,୦୫/୦୮: ପାକିସ୍ତାନ ରାଜନୀତିରେ ପୁଣି ହଟଚମଟ । ଜୋର ଧରିଲାଣି ସରକାର ପରିବର୍ତ୍ତନ ଚର୍ଚ୍ଚା । ସେନା ମୁଖ୍ୟ ଅସୀମ ମୁନିର ଏବଂ ଗୃହ ମନ୍ତ୍ରୀ ତଥା ପିସିବି ମୁଖ୍ୟ ମୋହସିନ ନକଭି ଗାଦି ମାଡ଼ିବସିବେ ବୋଲି ଲୋକେ କୁହାକୁହି ହେଲେଣି। ଏଭଳି ଚର୍ଚ୍ଚା ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦାରୀଙ୍କ ନିଦ ହଜିଗଲାଣି ।

ପାକିସ୍ତାନରେ ସେନା ବଳପୂର୍ବକ କ୍ଷମତା କଳ ମାଡ଼ିବସିବା ନୂଆ କଥା ନୁହେଁ । କିନ୍ତୁ ଏଥର ବେଶ୍ କିଛି ବର୍ଷ ପରେ ପୁଣି ଏହି ଘଟଣାର ପୁନରାବୃରି ହେବାକୁ ଯାଉଛି। ମୋହସିନ ନକଭିଙ୍କର ଏକ ସଦ୍ୟ ବୟାନ ପାକରେ ସରକାର ବଦଳିବା ନେଇ ପୂର୍ବାଭାସ ଦେଇଛି। ଦେଶର ଶାସନ ତନ୍ତ୍ର ସମ୍ପୂର୍ଣ ବିଫଳ ହୋଇଛି ଏବଂ ଇତିହାସରେ ସବୁଠୁ ବଡ଼ ଦୁର୍ନୀତି ହୋଇଥିବା ସେ ଦାବି କରିଛନ୍ତି। ଏହାକୁ ନେଇ ଇସଲାମାବାଦରେ ହଇଚଇ ସୃଷ୍ଟି ହୋଇଛି। ଦେଶର ଗୃହମନ୍ତ୍ରୀ ଏଭଳି ଦାୟିତୃହୀନ ବୟାନ ଦେବାକୁ ନେଇ ଶାହବାଜ ସରକାର ଅଡ଼ୁଆରେ ପଡ଼ିଛି।

Aslo Read :- ୧୩ ବର୍ଷ ପରେ ୨୦ ଦିନ ପାଇଁ ଜେଲରୁ ବାହାରିବେ ଆସାରାମ, ପ୍ରଥମ ଥର ପାରୋଲ୍ ଅନୁମତି ଦେଲେ ହାଇକୋର୍ଟ

ନକଭି କହିଛନ୍ତି,ଦେଶର ବିଚାରପତି ରାଜନେତା ଏବଂ ସରକାରୀ ଅଧିକାରୀ ୨୧ ବର୍ଷ ହେଲା ଲାଞ୍ଚ ନେଉଛନ୍ତି। ତେଣୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ହେବା ଉଚିତ।ପାକିସ୍ତାନ ଇକୋନୋମିକ ସମିଟ'ରେ ସମ୍ବୋଧନ ବେଳେ ଗୃହମନ୍ତ୍ରୀ ଖୋଲାଖୋଲି ଭାବେ ସରକାରୀ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛନ୍ତି। କହିଛନ୍ତି,ଅନେକ ଦଶନ୍ଧିର ପୁରୁଣା ପ୍ରଶାସନିକ ଢାଞ୍ଚା ସମ୍ପୂର୍ଣ୍ଣ ଭୃଶୁଡ଼ି ପଡ଼ିଛି। ଦେଶ ବର୍ତ୍ତମାନ ଇତିହାସର ସବୁଠୁ ବଡ଼ ଦୁର୍ନୀତିର ସାମ୍ନା କରୁଛିIଗଣମାଧ୍ୟମ ସହ କଥା ହେବା ବେଳେ ସେ କହିଛନ୍ତି,ଲଞ୍ଚ କାରବାର ଓ ଦୁର୍ନୀତିରେ ଲିପ୍ତ ଥିବା ବିଚାରପତି,ରାଜନେତା ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ହେବା ଆବଶ୍ୟକ। କୁହାଯାଉଛି ଯେ ଜେନେରାଲ ମୁନିରଙ୍କ ସମର୍ଥନ ପାଇ ନଜଭି ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି।

ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି,ମୋହସିନ ନକଭି ଖୁବ କମ୍ ଅବଧି ମଧ୍ୟରେ ଗଣମାଧ୍ୟମ ମୁଖ୍ୟରୁ ଜଣେ ପ୍ରଭାବଶାଳୀ ରାଜନେତା ହେବାର ଯାତ୍ରା ଧାର୍ଯ୍ୟ କରିଥିଲେ। ସେ ଦୀର୍ଘଦିନ ହେଲା ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପାଇଁ ମଧ୍ୟ ଇଚ୍ଛା ରଖିଛନ୍ତି। ନକଭି ଜେନେରାଲ ମୁନିରଙ୍କର ସବୁଠୁ ଘନିଷ୍ଠ ସହଯୋଗୀ ତଥା ସମ୍ପର୍କୀୟ। ଏହି କାରଣରୁ ମୁନିରଙ୍କ ବଳରେ ବଳୀୟାନ ହୋଇ ସେ ଖୋଲାଖୋଲି ବୟନ ଦେଉଛନ୍ତି।

ଏହା ପୂର୍ବରୁ ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥିତା ଲାଗି ମୁନିର ପାକ୍ ସରକାରକୁ ଅଣଦେଖା କରି ନକଭିଙ୍କୁ ନିଜର ସ୍ବତନ୍ତ୍ର ପ୍ରତିନିଧି କରିଥିଲେ । ତା'ଛଡ଼ା ବେଲୁଚିସ୍ତାନ ଏବଂ ପିଓକେରେ ବଢ଼ୁଥିବା ଜନ ଅସନ୍ତୋଷ ମଧ୍ୟରେ ଜେନେରାଲ ମୁନିର ନିଜକୁ ଆହୁରି ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ,ମୁନିର ନକଭିଙ୍କୁ ମୋହରା କରି ଦେଶରେ ନୂଆ ପ୍ରଦେଶ କିମ୍ବା ପ୍ରଶାସନିକ ଢାଞ୍ଚା ବନାଇବାର ବାତାବରଣ ସୃଷ୍ଟି କରୁଛନ୍ତି । ଶେଷରେ ସେ ପରଭେଜ ମୁଶରଫଙ୍କ ଭଳି ରାଷ୍ଟ୍ରପତି ଏବଂ ସେନା ମୁଖ୍ୟ ଭାବେ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଯିବେ।

ଦେଶରେ ସ୍ବଚ୍ଛତା ଓ ନ୍ୟାୟ ବ୍ୟବସ୍ଥାକୁ ଉନ୍ନତ ବନାଇବା ପାଇଁ ନଜଭି ନୂଆ ପ୍ରଶାସନିକ ପ୍ରଦେଶ ଗଠନ ପାଇଁ ଯୁକ୍ତି ବାଢୁଛନ୍ତି। କିନ୍ତୁ କ୍ଷମତାସୀନ ଦଳ ପିଏସଏଲ-ଏନ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ଏହି ପ୍ରସଙ୍ଗକୁ ନେଇ ସମ୍ପୂର୍ଣ ଚୁପ୍ ରହିଛି । ଏହି ଦୁଇ ଦଳର ନେତାମାନେ ଏ ପର୍ଯ୍ୟନ୍ତ ନକଭିଙ୍କ ବୟାନର ଜବାବ ଦେଇନାହାନ୍ତି କିମ୍ବା ନିଜ ପ୍ରଭାବ ଦେଖାଇବା ଲଗି ଚେଷ୍ଟା କରୁନାହାନ୍ତି ।