ନୂଆଦିଲ୍ଲୀ ୧୬।୨: ଆସାମ କଂଗ୍ରେସ ସାଂସଦ ତଥା ପୂର୍ବତନ ପ୍ରଦେଶ ସଭାପତି ଭୂପେନ ବୋରା ସୋମବାର ରାହୁଲ ଗାନ୍ଧିଙ୍କ ସମେତ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ସହ ଦୀର୍ଘ ଆଲୋଚନା ପରେ ତାଙ୍କ ଇସ୍ତଫା ଫେରାଇ ନେଇଛନ୍ତି। କଂଗ୍ରେସର ଆସାମ ପ୍ରଭାରୀ ଭମ୍ବର ଜିତେନ୍ଦ୍ର ସିଂହ ନେତା ଇସ୍ତଫା ଫେରାଇ ଦେଇଥିବା ସୂଚନା ଦେଇ କହିଛନ୍ତି ଯେ ଅନ୍ତରୀଣ ମତପାର୍ଥକ୍ୟକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି।

କଂଗ୍ରେସର ଆସାମ ପ୍ରଭାରୀ କହିଛନ୍ତି ଯେ ପାର୍ଟି ନେତୃତ୍ୱ ବୋରାଙ୍କ ଇସ୍ତଫା ସ୍ୱୀକାର କରି ନାହାନ୍ତି ଓ ସଙ୍ଗଠନରେ ତାଙ୍କର ଗୁରୁତ୍ୱ ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ମୁଁ ଭୂପେନ ବୋରାଙ୍କୁ ତାଙ୍କ ଇସ୍ତଫା ଫେରାଇ ନେଇଥିବାରୁ ଧନ୍ୟବାଦ ଦେଉଛି। ବରିଷ୍ଠ କଂଗ୍ରେସ ନେତା ଭୂପେନ ବୋରା କଂଗ୍ରେସ ପରିବାରର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ସେ ତାଙ୍କର ଇସ୍ତଫାକୁ କଂଗ୍ରେସ ଜାତୀୟ ସଭାପତିଙ୍କ ନିକଟକୁ ପଠାଇଥିଲେ।

ତେବେ ଭମ୍ବର ଜିତେନ୍ଦ୍ର ସିଂହ କହିଛନ୍ତି ଯେ କେବେ କେବେ ପାର୍ଟିରେ ମତପାର୍ଥକ୍ୟ ଦେଖା ଦେଇଥାଏ। ହେଲେ ଏହାକୁ କଥାବାର୍ତ୍ତା ମାଧ୍ୟମରେ ସାମାଧାନ କରାଯାଇ ପାରିଛି। ସିଂହ ସାମ୍ବାଦିକଙ୍କୁ କହିଛନ୍ତି ଯେ ବୋରା ପାଖାପାଖି ୩ ଦଶନ୍ଧୀ ହେଲା ଆସାମରୁ କଂଗ୍ରେସ ସହ ଯୋଡି ହୋଇ ରହିଛନ୍ତି। ଏହା ପୂର୍ବରୁ ବୋରା ପୂର୍ବାହ୍ନ ପାଖାପାଖି ୮ଟା ବେଳେ କଂଗ୍ରେସ ହାଇକମାଣ୍ଡଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଯେଉଁଥିରେ ତାଙ୍କୁ ରାଜ୍ୟ ଶାଖାରେ ଅଣଦେଖା କରାଯାଉଥିବା ଓ ଉଚିତ ମାନ୍ୟତା ଦିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।

କେନ୍ଦ୍ରକୁ ଇସ୍ତଫା ପଠାଇବା ପରେ ସାମ୍ବାଦିକଙ୍କ ସହ ଆଲୋଚନାରେ ସେ କହିଥିଲେ ଯେ ତାଙ୍କର ଏହି ନିଷ୍ପତ୍ତି ବ୍ୟକ୍ତିଗତ ନୁହେଁ ବରଂ ପାର୍ଟିର ଭବିଷ୍ୟତକୁ ନେଇ ଚିନ୍ତା କାରଣରୁ ଦେଇଛନ୍ତି। ସେ ନେତୃତ୍ୱକୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ତାଙ୍କ ନିଷ୍ପତ୍ତି ପଛର କାରଣ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ତେବେ ବରିଷ୍ଠ ନେତାଙ୍କ ସହ ବୈଠକ ପରେ ପାର୍ଟି ବୋରାଙ୍କୁ ତାଙ୍କ ପଦରେ ରହିବା ପାଇଁ ରାଜି କରାଇଛି। ଯାହା ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଟିରେ ଏକତା କାୟମ ରଖିବାକୁ ପ୍ରୟାସର ସଂକେତ ଭାବେ ଏବେ ଦେଖା ଯାଉଛି।

ଏହା ବି ପଢନ୍ତୁ :-କଂଗ୍ରେସ ଉପରେ ଗର୍ଜିଲେ କିରେନ ରିଜିଜୁ, କହିଲେ- ଗୃହର ସୁଚାରୁ ସଞ୍ଚାଳନ ଚାହୁଁ ନାହାନ୍ତି ରାହୁଲ ଗାନ୍ଧି