ତୱାଙ୍ଗ ୧୬।୨: ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ସଂସଦ ସୁଚାରୁ ଚାଲୁ ରାହୁଲ ଗାନ୍ଧି ତାହା ଚାହୁଁ ନାହାନ୍ତି। କିଛି ଏନଜିଓ ତାଙ୍କୁ ଶିଖେଇ ପଢେଇ ଦେଇଛନ୍ତି। ଏଣୁ ରାହୁଲ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ରିଜିଜୁ କହିଛନ୍ତି ଯେ ସଂସଦରେ ପରିସ୍ଥିତି ଶାନ୍ତ କରିବା ପାଇଁ ସରକାର କଂଗ୍ରେସକୁ ‘ମନେଇବା’ ଲାଗି ଆଉ କୌଣସି ପଦକ୍ଷେପ ନେବେ ନାହିଁ। କାରଣ ସରକାର ନିଜ ସ୍ତରରେ ସଂସଦକୁ ସ୍ୱଭାବିକ କରିବା ପାଇଁ ଅନେକ ଉଦ୍ୟମ କରିସାରିଲେଣି।

ଏକ ଗଣମାଧ୍ୟମ ସାକ୍ଷାତକାରରେ ରିଜିଜୁ କହିଛନ୍ତି ଯେ ଗୃହ କାର୍ଯ୍ୟକ୍ରମରେ ରାହୁଲଙ୍କ କୌଣସି ଆଗ୍ରହ ନାହିଁ। ଏବେ ତାଙ୍କର ଆଗ୍ରହ କେବଳ ପ୍ରସଙ୍ଗ ତିଆରି କରିବାରେ। କିଛି ଏନଜିଓ ରାହୁଲ ଗାନ୍ଧିଙ୍କୁ ତୁମ ସମୟ ଆସୁଛି ବୋଲି ପଢେଇ ଶିଖେଇ ଦେଇଛନ୍ତି। ହେଲେ ତାଙ୍କ ସମୟ କେବେବି ଆସିବନି। ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସର ଆସନ ଆହୁରି ହ୍ରାସ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବେ ତାଙ୍କ ସଂସଦୀୟ କ୍ଷେତ୍ର ପଶ୍ଚିମ ଅଋଣାଚଳ ଗସ୍ତରେ ଅଛନ୍ତି। ରିଜିଜୁ କହିଛନ୍ତି ଯେ ସଂସଦ ଚାଲି ନ ପାରିବା ଯୋଗୁ ଶାସକ ମେଣ୍ଟକୁ କୌଣସି ଅସୁବିଧା ହେଉ ନାହିଁ। ଏହା ସତ୍ତ୍ୱେ ବରିଷ୍ଠ କଂଗ୍ରେସ ନେତା କେ.ସି.ବେଣୁଗୋପାଲ ଓ କିଛି ଅନ୍ୟ ଲୋକଙ୍କ ସହ ସରକାର ଆଲୋଚନା କରିଛନ୍ତି। ହେଲେ ଏଥିରୁ କିଛି ଲାଭ ମିଳିନି।

ରିଜିଜୁ କହିଛନ୍ତି ଯେ କଂଗ୍ରେସ ଏବେ ହତାସ, ଲଗାତାର ନିର୍ବାଚନ ହାରୁଛି। ଏଣୁ ପରିସ୍ଥିତି ବଦଳାଇବାକୁ ବିଚଳିତ ହୋଇପଡିଛି। ସରକାର ଏବେ କଂଗ୍ରେସକୁ ମନେଇବାକୁ ଆଉ ଅଧିକ କିଛି କରିବେନି ବୋଲି ରିଜିଜୁ ସ୍ପଷ୍ଟ କରିଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସଂସଦରେ କଂଗ୍ରେସ ଉପରେ ଛୋଟ ପାର୍ଟିମାନଙ୍କର ଚାପ ରହିଛି। କାରଣ ସେମାନେ ଚାହୁଁନାହାନ୍ତି ଗୃହ କାର୍ଯ୍ୟରେ ବାଧା ଉପୁଜୁ। ଏଥି ପାଇଁ ସେମାନଙ୍କ କହିବା ସମୟ ହ୍ରାସ ହେଉଛି। ରିଜିଜୁ କହିଛନ୍ତି ସେ ପୁରା ବିରୋଧୀ ଏବେ କଂଗ୍ରେସ ସହିତ ନାହାନ୍ତି। ଛୋଟଛୋଟ ପାର୍ଟିମାନେ ନିଜନିଜ ଦଳର ସମୟ ସଦୁପଯୋଗ କରି ପାରୁ ନାହାନ୍ତି।

ଛୋଟ ପାର୍ଟିମାନେ ରାହୁଲଙ୍କ ଉପରେ ଖୁସି ନାହାନ୍ତି, କଂଗ୍ରେସ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଦେଇଛି। ଏଥିରେ ଅନେକ ବାଚସ୍ପତିଙ୍କ ବିରୋଧରେ ସ୍ୱାକ୍ଷର କରି ନାହାନ୍ତି। ଲୋକସଭା ବଜେଟ ଅଧିବେଶନର ପ୍ରଥମ ଭାଗରେ ଗୃହ କାର୍ଯ୍ୟରେ ବାରମ୍ବାର ବ୍ୟବଧାନ ଦେଖା ଦେଇଥିଲା। ଅନେକ ସମୟ ପର୍ଯ୍ୟନ୍ତ ଗୃହ ଅଚଳ ରହିଥିଲା। ସଂସଦରେ ଅନୁଶାସନହୀନତା ନିମନ୍ତେ ବଜେଟ ଅଧିବେଶନ ପ୍ରଥମ ଭାଗର ଶେଷ ଆଡକୁ ବିରୋଧୀ ଦଳର ୮ ଜଣ ସାଂସଦଙ୍କୁ ସସ୍ପେଣ୍ଡ କରି ଦିଆଯାଇଛି। ଏଥିରେ ବିରୋଧୀ ଦଳ ବାଚସ୍ପତି ଓମ ବିରଳାଙ୍କୁ ପଦରୁ ହଟାଇବା ପାଇଁ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିବା ବେଳେ ତାଙ୍କ ଉପରେ ପାତର ଅନ୍ତର ଅଭିଯୋଗ ଆଣିଛନ୍ତି।

ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବା ପରେ ବାଚସ୍ପତି ନିଜକୁ ଗୃହ କାର୍ଯ୍ୟରୁ ପୃଥକ କରିନେଇଛନ୍ତି।ସଂସଦ ଅଧିବେଶନ ଜାନୁୟାରୀ ୨୮ ତାରିଖ ଦିନ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା। ଏଥିରେ ୧ ଫେବୃଆରୀରେ ୨୦୨୬-୨୭ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ ହୋଇଥିବା ବେଳେ ଅଧିବେଶନର ପ୍ରଥଭାଗ ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଦ୍ୱିତୀୟ ଭାଗ ୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହା ବି ପଢନ୍ତୁ :-ଗ୍ରାମୀଣ ଭାରତ ଲାଗି ମାଷ୍ଟର ପ୍ଲାନ, ୬୩% ବଜେଟ ସହ ଭିବି-ଜୀ ରାମ-ଜୀ ହେଲା ବିଭାଗର ଲାଇଫ ଲାଇନ