ଭୁବନେଶ୍ୱର : ଇଂରାଜୀ ନବବର୍ଷ ପାଇଁ ପରସ୍ପରକୁ ଶୁଭେଚ୍ଛା ଜଣାଇବାର ମାଧ୍ୟମ ହେଉଛି ଫୁଲ। ସେଥିପାଇଁ ନୂଆବର୍ଷରେ ବିକ୍ରି ହୁଏ ମାଳ ମାଳ ଫୁଲ ଓ ଫୁଲ ତୋଡ଼ା। ଏ ସୁଯୋଗକୁ କେମିତି ବା ହାତ ଛଡ଼ା କରିବେ ଦୋକାନୀ। ସମସ୍ତେ ଲାଗାଇଥାନ୍ତି ରାସ୍ତା କଡ଼ରେ ଆସର । ଆଶା ଥାଏ, ବେଶ୍ ଭଲ ଦୁଇ ପାଇସା ରୋଜଗାର ହେବ। ହେଲେ ଏ ବର୍ଷ ବେପାର ମାନ୍ଦା । ୩୧ ତାରିଖରୁ ତିଆରି ହୋଇଥିବା ବୁକେ ଆଜି ପର୍ଯ୍ୟନ୍ତ ବିକ୍ରି ହୋଇ ପାରିନି। ପ୍ରତି ବର୍ଷ ନବବର୍ଷରେ ଫୁଲ ବ୍ୟବସାୟୀ ବୁକେ ତିଆରି କରିବାକୁ ଫୁରସତ ପାଉନଥିବା ବେଳେ ଚଳିତ ବର୍ଷ ଫୁଲ ବିକ୍ରି ମାନ୍ଦା। ଲୋକଙ୍କ ଚାହିଦା ଅନ୍ୟ ଗିଫ୍ଟ ପ୍ରତି ଥିବାରୁ ଫୁଲ ବେପାର ମୌଳି ଯାଇଛି। ସେଥିପାଇଁ ଫୁଲର ମୂଳ ଟଙ୍କା ମିଳିବା ମଧ୍ୟ କଷ୍ଟକର ହୋଇ ପଡିଛି। ତେବେ ଆଉ ଦୁଇ ଦିନ ପରେ ସବୁ ଫୁଲ ଫୋପଡା ହେବାକୁ ନେଇ ଚିନ୍ତାରେ ବ୍ୟବସାୟୀ।

ଗୋଦାମରେ ପଡ଼ି ରହିଛି ଫୁଲ। ଗୋଲାପ, ସୂର୍ଯ୍ୟମୁଖୀ, ଲିଲି , ସେବତି, ଅର୍କିଡ, ଜରଭେରା ପରି ଦାମୀ ଫୁଲ ପେଟିରୁ ମଧ୍ୟ ବାହାରି ନାହିଁ । ଗୁଚ୍ଛଗୁଚ୍ଛ ଫୁଲର ସିଲ୍ ଖୋଲି ପାରିନାହାନ୍ତି ବ୍ୟବସାୟୀ। ୩୧ ଓ ୧ ତାରିଖ ପରେ ଫୁଲ ବିକିବାକୁ ନେଇ ଆଶାରେ ଥିବା ବ୍ୟବସାୟୀଙ୍କ ଆଶା କେବଳ ଆଶାରେ ରହିଯାଇଛି। ଆଖିରେ ଲୁହ ନେଇ ମହାଜନଙ୍କ ଋଣ କିପରି ସୁଝିବେ ସେ ଚିନ୍ତାରେ ବେପାରୀ। ବାହାଘର ସିଜିନ୍ ଆରମ୍ଭ ହୋଇ ନଥିବାରୁ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଫୁଲ ବ୍ୟବସାୟୀ ଚିନ୍ତାରେ। ନୂଆବର୍ଷରେ ଦିନକୁ ଲକ୍ଷାଧିକ ବେପାର ହେଉଥିବା ବେଳେ ଚଳିତ ବର୍ଷ ଅତ୍ୟଧିକ କ୍ଷତି ସହିଥିବା କହିଛନ୍ତି ଫୁଲ ବ୍ୟବସାୟୀ ସମ୍ପାଦକ। ଅନ୍ୟପଟେ ଇଂରାଜୀ ନବବର୍ଷ ପାଳନ ନ କରିବାର ନିଷ୍ପତି ଓ ସରକାରୀ କର୍ଯ୍ୟାଳୟରେ ଫୁଲ ତୋଡ଼ା ବ୍ୟାନ୍ ନିଷ୍ପତ୍ତିର ପ୍ରଭାବ ପଡିଛି ଫୁଲ ବ୍ୟବସାୟୀଙ୍କ ଉପରେ । ବ୍ୟବସାୟୀଙ୍କ କହିବା ଅନୁସାରେ ଏହି ନିଷ୍ପତ୍ତି ୧୦-୧୫ ଦିନ ପୂର୍ବରୁ ହୋଇଥିଲେ ସେମାନେ ଏତେଟା କ୍ଷତି ସହିନଥାନ୍ତେ।

ନୂଆ ବର୍ଷରେ ଲକ୍ଷାଧିକ ଟଙ୍କାର ବେପାର ହୁଏ। କିନ୍ତୁ ଏବର୍ଷ କେବଳ ଭୁବନେଶ୍ୱରରେ ପାଖାପାଖି ୨ କୋଟି ଟଙ୍କା କ୍ଷତି ହୋଇଛି । କେବଳ ଭୁବନେଶ୍ୱରରେ ନୁହେଁ ସମଗ୍ର ଓଡିଶାରେ ଦେଖିଲେ ଚଳିତ ବର୍ଷ ପାଖାପାଖି 7କୋଟି ଟଙ୍କାର ବ୍ୟବସାୟୀ କ୍ଷତି ହୋଇଥିବା କହିଛନ୍ତି ସଂଘର ସମ୍ପାଦକ । ତେଣୁ ଫୁଲ ପାଇଁ ବ୍ୟବସାୟୀ ହତାସ୍। ଗୋଦାମରେ ହଜାର ହଜାର ଫୁଲତୋଡ଼ା ରହିଥିବାବେଳେ ବେପାର ନହେଲେ ନଷ୍ଟ ହୋଇଯିବା ସ୍ୱାଭାବିକ। ଏହି ସୁନ୍ଦର ଫୁଲ କାହା ଘରେ କିମ୍ବା ଅଫିସରେ ଶୋଭାପାଇବା ପରିବର୍ତ୍ତେ ପଡ଼ିବ ଅଳିଆ ଗଦାରେ ।