ଭୁବନେଶ୍ୱର: ଦୀର୍ଘ ଦିନର ବିରତି ପରେ ଭୁବନେଶ୍ୱରରୁ ପୁଣି ଆରମ୍ଭ ହେବ ବ୍ୟାଙ୍କକ୍ ବିମାନ ସେବା। ଶୁକ୍ରବାର ରାତି ୧୧ଟା ୫ ମିନିଟ୍‌ରେ ଭୁବନେଶ୍ୱରରୁ ଇଣ୍ଡିଗୋର ୧୦୬୫ ନମ୍ବର ବିମାନ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ ଭରିବ। ବ୍ୟାଙ୍କକ୍‌ରେ ପହଞ୍ଚିବା ପରେ ଶନିବାର ସକାଳ ସାଢ଼େ ୫ଟାରୁ ଏହି ବିମାନ ପୁଣି ଭୁବନେଶ୍ୱର ଅଭିମୁଖେ ଉଡ଼ିବ। ପ୍ରାଥମିକ ଭାବେ ଶୁକ୍ରବାର-ଶନିବାର, ସୋମବାର-ମଙ୍ଗଳବାର ଏହି ବିମାନ ଚଳାଚଳ କରିବ। ତେବେ ଆସନ୍ତା ୨୫ ତାରିଖରୁ ବିମାନଟି ରାତି ବଦଳରେ ଦିନରେ ଚଳାଚଳ କରିବ ବୋଲି ଜଣାପଡ଼ିଛି।

ଅସ୍ଥାୟୀ ଭାବେ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିଥିବାରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ କୌଣସି ଆନ୍ତର୍ଜାତିକ ବିମାନ ଚଳାଚଳ କରୁନଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ନିରାଶା ଦେଖାଦେଇଥିଲା। ଏବେ ବ୍ୟାଙ୍କକ୍ ବିମାନ ସେବା ପୁଣି ଆରମ୍ଭ ହେବା, ଓଡ଼ିଶା ସମେତ ଭୁବନେଶ୍ୱର ବିମାନବନ୍ଦର ପାଇଁ ଏକ ଆଶ୍ୱସ୍ତିର ଖବର ଆଣିଛି।

ଭୁବନେଶ୍ୱରରୁ ବ୍ୟାଙ୍କକ୍ ଯାତ୍ରା ପାଇଁ ଭଲ ଯାତ୍ରୀ ଚାହିଦା ରହିଥିବା ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଆଗାମୀ ଦିନରେ ଦୁବାଇକୁ ବିମାନ ସେବା ପୁଣି ଆରମ୍ଭ କରିବା ନେଇ ମଧ୍ୟ ପ୍ରୟାସ ଜାରି ରହିଛି। ସେଠାକାର ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବାରୁ ଏ ନେଇ ଆଶା ପ୍ରକାଶ କରାଯାଇଛି।

Also Read: ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଅକ୍ଟୋବର ୬ରୁ ଅନଲାଇନ୍ ଆବେଦନ​​​​​​​

ଅନ୍ୟପକ୍ଷରେ, ବର୍ତ୍ତମାନ ସିଙ୍ଗାପୁର ପାଇଁ ଆବଶ୍ୟକ ଯାତ୍ରୀ ଚାହିଦା ନଥିବାରୁ ବିମାନ ସେବା ଆରମ୍ଭ ହୋଇନାହିଁ। ଏୟାରଲାଇନ୍ସ ରାଜି ହେବା ପରେ ସିଙ୍ଗାପୁରକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଗତ ଜୁଲାଇ ମାସରୁ ଏହି ଆନ୍ତର୍ଜାତିକ ବିମାନ ସେବା ଅସ୍ଥାୟୀ ଭାବେ ବନ୍ଦ ରହିଥିଲା।