ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ୍‌ କ୍ରିମିନାଲ୍‌ କୋର୍ଟ ବା ଅନ୍ତର୍ଜାତୀୟ ଅପରାଧ ଅଦାଲତକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି  ଜୋହରାନ ମମଦାନୀ । ନ୍ୟୁୟର୍କ ସିଟି ମେୟର ଆମେରିକାକୁ ICCର ସଦସ୍ୟ ହେବା ସହ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ଦାବି କରିଛନ୍ତି। କାମେଡିଆନ୍ ତଥା ପଡକାଷ୍ଟର ଥିଓ ଭନ୍‌ଙ୍କ "ଦିସ୍ ପାଷ୍ଟ୍ ୱିକେଣ୍ଡ" ପଡକାଷ୍ଟରେ ଆଲୋଚନା ବେଳେ ମାମଦାନୀ କହିଛନ୍ତି ଯେ, ଆମେରିକା ସରକାର ଆଇସିସିରେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ ଅଦାଲତ ଦ୍ୱାରା ଜାରି ହୋଇଥିବା ପରୱାନାକୁ ଲାଗୁ କରିବା ଉଚିତ୍। 

ପୂର୍ବରୁ ନିଜ ନିର୍ବାଚନ ପ୍ରଚାର ସମୟରେ ମମଦାନୀ ପ୍ରତିଶ୍ରୁତି ଦେଇଥିଲେ ଯେ, ନେତାନ୍ୟାହୁ ନ୍ୟୁୟର୍କ ଆସିଲେ ତାଙ୍କୁ ଗିରଫ କରାଯିବ। ତେବେ ସେପ୍ଟେମ୍ବରରେ ନେତାନ୍ୟାହୁ ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କ ଗସ୍ତ କରିଥିବା ବେଳେ ଏହି ନିଷ୍ପତ୍ତିର ଆଇନଗତ ଦିଗ ପ୍ରତି ପ୍ରଶ୍ନ ଉଠିଥିଲା। ପରବର୍ତ୍ତୀ ସମୟରେ ଜୁଲାଇ ମାସରେ ମମଦାନୀ ସ୍ପଷ୍ଟ କରିଥିଲେ ଯେ, ନ୍ୟୁୟର୍କ ସହର ପାଖରେ ଆଇସିସି ପରୱାନା ନିଜେ କାର୍ଯ୍ୟକାରୀ କରିବାର କୌଣସି ସ୍ୱାଧୀନ ଆଇନଗତ ଅଧିକାର ନାହିଁ, ତେଣୁ ସେ କେନ୍ଦ୍ର ସରକାରଙ୍କୁ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

୨୦୨୪ ନଭେମ୍ବର ୨୧ରେ ଆଇସିସି ଦ୍ୱାରା ନେତାନ୍ୟାହୁଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ବିଚାରପତିମାନଙ୍କ ଆକଳନ ଅନୁଯାୟୀ, ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବତା ବିରୋଧୀ ଅପରାଧ ଭଳି ସଙ୍ଗୀନ ଅଭିଯୋଗର ପର୍ଯ୍ୟାପ୍ତ ଆଧାର ରହିଛି। ଆମେରିକା ଏବଂ ଇସ୍ରାଏଲ୍ ରୋମ୍ ସଂବିଧାନର ସ୍ୱାକ୍ଷରକାରୀ ଦେଶ ନୁହଁନ୍ତି ଏବଂ ସେମାନେ ଆଇସିସିର କ୍ଷେତ୍ରାଧିକାରକୁ ସ୍ୱୀକୃତି ଦିଅନ୍ତି ନାହିଁ। 

ନିକଟରେ ଜାତିସଂଘ ସାଧାରଣ ସଭା ବେଳେ ନେତାନ୍ୟାହୁ ମମଦାନୀଙ୍କ ନେତୃତ୍ୱକୁ ସମାଲୋଚନା କରି ନ୍ୟୁୟର୍କରେ ୟିହୂଦୀମାନେ ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ। ଏହାର ଉତ୍ତରରେ ମମଦାନୀ କହିଛନ୍ତି ଯେ, ନେତାନ୍ୟାହୁ ନିଜ ଅପରାଧରୁ ଧ୍ୟାନ ହଟାଇବା ପାଇଁ ଏପରି ବକ୍ତବ୍ୟ ଦେଉଛନ୍ତି। ଆମେରିକା ଆଇସିସିରେ ସାମିଲ ନହେବା ପର୍ଯ୍ୟନ୍ତ ଏହି ଆଇନଗତ ଏବଂ କୂଟନୈତିକ ସ୍ଥିତି ଅପରିବର୍ତ୍ତିତ ରହିବ।