ନୂଆଦିଲ୍ଲୀ: ଜାନୁଆରୀ ୨୦୨୬ରେ ଆମେରିକା ସେନା ଭେନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଗିରଫ କରିଥିଲା । ଭେନେଜୁଏଲାର ରାଜଧାନୀ କାରାକାସରେ ସାମରିକ ଅଭିଯାନ ମାଧ୍ୟମରେ ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରି ଆମେରିକା ନିଯାଇଥିଲା। ସେମାନଙ୍କ ବିରୋଧରେ ନାର୍କୋ-ଟେରରିଜିମ୍ ଏବଂ ବେଆଇନ ମାଦକ ଦ୍ରବ୍ୟ ଚାଲାଣର ଗମ୍ଭୀର ଅଭିଯୋଗ ରହିଛି। ଟାଇମ୍ସ ମ୍ୟାଗାଜିନ୍‌ର ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ କୌଣସି ଆକସ୍ମିକ ନିଷ୍ପତ୍ତି ନଥିଲା, ବରଂ ଏହା ପଛରେ ମାସ ମାସ ଧରି ଗୁପ୍ତ ଯୋଜନା ଚାଲିଥିଲା। 

ଡିପାର୍ଟମେଣ୍ଟ ଅଫ୍ ଗଭର୍ନମେଣ୍ଟ ଏଫିସିଏନ୍ସି (DOGE) ରୁ ଏଲନ୍ ମସ୍କ ଓହରିବାର ପ୍ରାୟ ସାତ ମାସ ପରେ ଟ୍ରମ୍ପ ତାଙ୍କ ସହ ଏକ ଗୁପ୍ତ ବୈଠକ କରିଥିଲେ। ଏହି ଅଭିଯାନର ପ୍ରାୟ ଗୋଟିଏ ମାସ ପୂର୍ବରୁ, ଅର୍ଥାତ୍ ଡିସେମ୍ବର ୨୦୨୫ରେ, ଟ୍ରମ୍ପ ଏଲନ୍ ମସ୍କଙ୍କ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଟବଟ୍ 'ଗ୍ରୋକ୍'ସହ ଘଣ୍ଟା ଘଣ୍ଟା ଧରି ଚାଟ୍‌ କରିଥିଲେ। 

ଆମେରିକା ସେନା ଆକ୍ରମଣ କରି ମାଦୁରୋଙ୍କୁ ବନ୍ଦୀ କଲେ ଭେନେଜୁଏଲାର ନାଗରିକମାନଙ୍କ ପ୍ରତିକ୍ରିୟା କ’ଣ ହେବ ବୋଲି ଟ୍ରମ୍ପ ପଚାରିବାରୁ, ଚାଟବଟ ଉତ୍ତର ଦେଇଥିଲା ଯେ, ମାଦୁରୋଙ୍କ ଗିରଫଦାରୀ ପରେ ସେଠାକାର ଜନସାଧାରଣ ଉତ୍ସବ ପାଳନ କରିବେ।

ପରବର୍ତ୍ତୀ ସମୟରେ, 'ଅପରେସନ୍ ଆବସୋଲ୍ୟୁଟ୍ ରିଜଲଭ୍‌’ନାମକ ଏହି ଅଭିଯାନଟି ମାତ୍ର ଦୁଇ ଘଣ୍ଟା କୋଡ଼ିଏ ମିନିଟ୍ ମଧ୍ୟରେ ଜଳ, ସ୍ଥଳ ଏବଂ ଆକାଶପଥରେ କରାଯାଇଥିଲା। ଟ୍ରମ୍ପ ମାର୍-ଏ-ଲାଗୋରୁ ସାମରିକ ଜେନେରାଲମାନଙ୍କ ସହ ବସି ଏହି ଗିରଫଦାରୀର ସିଧାସଳଖ ଲାଇଭ୍ ଫୁଟେଜ୍ ଦେଖୁଥିଲେ ଏବଂ ଏହାକୁ ଏକ ଟେଲିଭିଜନ୍ ଶୋ’ ଦେଖିବା ସହ ତୁଳନା କରିଥିଲେ। 

ଅଭିଯାନ ପରେ ଭେନେଜୁଏଲାରେ ଜନସାଧାରଣ ଖୁସି ବ୍ୟକ୍ତ କରିବାରୁ ଟ୍ରମ୍ପ ଗ୍ରୋକ୍‌ର ସଠିକ୍ ଆକଳନ ଦେଖି ବେଶ୍ ପ୍ରଭାବିତ ହୋଇଥିଲେ। ଗ୍ରୋକ୍‌ର ଉତ୍ତର ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସିଧାସଳଖ ପ୍ରଭାବିତ କରିଥିଲା କି ନାହିଁ ତାହା ଅସ୍ପଷ୍ଟ । କିନ୍ତୁ ଏହି ଘଟଣା ସରକାରୀ ଏବଂ ସାମରିକ ନିଷ୍ପତ୍ତି ଗ୍ରହଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବୃଦ୍ଧି ପାଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି।