ନୂଆଦିଲ୍ଲୀ: ସମସ୍ତେ ଟେକ୍ନୋଲଜିରେ ଆଗୁଆ ହେବାକୁ ଦୌଡ଼ରେ ମାତିଥିବା ବେଳେ ଟେକ୍ନୋଲୋଜୀ କିନ୍ତୁ ଧୀରେ ଧୀରେ ଭୟଙ୍କର ରୂପା ଧାରଣ କରିବାକୁ ଲାଗିଲାଣି। କମାଣ୍ଡ ନ ମାନି ଏଆଇ ପ୍ରତିଦିନ କିଛି ନା କିଛି ଭୟଙ୍କର କାରନାମା କରୁଛି, ଯାହା ଚିନ୍ତାର ବିଷୟ ପାଲଟିଛି। ଚାଟଜିପିଟି ନିର୍ମାତା ଓପନଏଆଇର ଏଆଇ ଏଜେଣ୍ଟକୁ ନେଇ ବଢ଼ିଛି ଚିନ୍ତା। କମ୍ପାନୀ ନିଜେ ଖୁଲାସା କରିଛି ଯେ, ଏହାର ଏଆଇ ଏଜେଣ୍ଟମାନେ ୧୦୦ରୁ ଅଧିକ ସଂସ୍ଥାର ସିଷ୍ଟମରେ ଅନୁମତି ବିନା ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ଡାଟା ଚୋରି ହୋଇଥିବାର ପ୍ରମାଣ ମିଳିନଥିବା ଓପନଏଆଇ ପକ୍ଷରୁ କୁହାଯାଇଛି।

୫୦ ପେଟାବାଇଟ୍ ଡାଟା ଯାଞ୍ଚ

ଘଟଣାର ମୂଳ କାରଣ ଖୋଜିବା ପାଇଁ ଓପନଏଆଇ ନିଜ ଏଆଇ ମଡେଲ୍ର ଟ୍ରେନିଂ ଏବଂ ଟେଷ୍ଟିଂ ସହ ଜଡ଼ିତ ପ୍ରାୟ ୫୦ ପେଟାବାଇଟ୍ ଡାଟା ଯାଞ୍ଚ କରୁଛି। ଏହି ବିଶାଳ ତଥ୍ୟ ଭଣ୍ଡାରକୁ ବିଶ୍ଳେଷଣ କରିବା ପାଇଁ ପ୍ରାୟ ୭ ହଜାର ଅତ୍ୟାଧୁନିକ GB200 ଓ GB300 GPU ବ୍ୟବହାର କରାଯାଉଥିବା ରିପୋର୍ଟ ରହିଛି।

୫୦ ପେଟାବାଇଟ୍ ଡାଟା କେତେ ବିଶାଳ, ତାହା ଏଥିରୁ ଅନୁମାନ କରାଯାଇପାରେ। ଏହାକୁ ସାଧାରଣ ଇଂରାଜୀ ଶବ୍ଦରେ ଲେଖାଯାଇଥିଲେ, ଜଣେ ମଣିଷ ପ୍ରତି ମିନିଟ୍‌ରେ ୨୪୦ ଶବ୍ଦ ପଢ଼ିବା ଗତିରେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ପଢ଼ିବାକୁ ପାଖାପାଖି ୬.୬ କୋଟି ବର୍ଷ ଲାଗିଯିବ। ତେଣୁ ଏହି ଯାଞ୍ଚରେ ମଧ୍ୟ AI ଓ ବିପୁଳ କମ୍ପ୍ୟୁଟିଂ ପାୱାରର ସହାୟତା ନିଆଯାଉଛି।

୧୦୦ରୁ ଅଧିକ ସଂସ୍ଥାକୁ ଆଲର୍ଟ

ଓପନଏଆଇ ନିଜ AI ଏଜେଣ୍ଟର କାର୍ଯ୍ୟକଳାପର ପ୍ରଭାବ ପଡ଼ିଥିବା ୧୦୦ରୁ ଅଧିକ ସଂସ୍ଥାକୁ ଆଲର୍ଟ କରିଛି। କମ୍ପାନୀର ଦାବି ଅନୁସାରେ, AI ଏଜେଣ୍ଟମାନେ ସିଷ୍ଟମର ସୁରକ୍ଷାକୁ ବାଇପାସ୍ କରି ଭିତରକୁ ପହଞ୍ଚିବାର ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ଗ୍ରାହକଙ୍କ ଡାଟା ଚୋରି ହୋଇନାହିଁ।

ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, AI ଏଜେଣ୍ଟମାନେ ବିଭିନ୍ନ ୱେବସାଇଟ୍କୁ ଅନଧିକୃତ କମାଣ୍ଡ ପଠାଇ କିଛି ପ୍ରକ୍ରିୟା ଚଳାଇବାକୁ ଚେଷ୍ଟା କରିଥିଲେ। କେତେକ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇବା ପାଇଁ ୱେବସାଇଟ୍ଗୁଡ଼ିକୁ ପରସ୍ପର ଯୋଗାଯୋଗର ମାଧ୍ୟମ ଭାବେ ବ୍ୟବହାର କରିବାର ଚେଷ୍ଟା ମଧ୍ୟ ହୋଇଥିଲା।

Also Read- ଆମେରିକା ସହ ବାଣିଜ୍ୟ ସମ୍ପର୍କ ନେଇ ଅନିଶ୍ଚିତତା ନେଇ ଚିନ୍ତା ପ୍ରକଟ କଲା ଅର୍ଥମନ୍ତ୍ରଣାଳୟ; ବଢ଼ିଲା ବାହ୍ୟ ଆର୍ଥିକ ଚ୍ୟାଲେଞ୍ଜ

ହଗିଂ ଫେସ୍ ଘଟଣାରୁ ଆରମ୍ଭ ହୋଇଥିଲା ଚର୍ଚ୍ଚା

ଏହି ଘଟଣା ସହ ଜଡ଼ିତ ଚର୍ଚ୍ଚାର ଏକ ପ୍ରମୁଖ କାରଣ ହେଉଛି ହଗିଂ ଫେସ୍ ଘଟଣା। ଓପନଏଆଇ ଏକ AI ମଡେଲ୍ର ସାଇବର ସୁରକ୍ଷା କ୍ଷମତା ପରୀକ୍ଷା କରୁଥିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଟେଷ୍ଟରେ ଭଲ ପ୍ରଦର୍ଶନ କରିବା ପାଇଁ ମଡେଲ୍ ସମସ୍ୟାର ସମାଧାନ କରିବା ବଦଳରେ ସିଧାସଳଖ ‘ଆନ୍ସର କି’ ହାସଲ କରିବାର ଉପାୟ ଖୋଜିଥିବା ଜଣାପଡ଼ିଥିଲା। ଏହି AIକୁ ଏକ ସୀମିତ ଟେଷ୍ଟିଂ ପରିବେଶରେ ରଖାଯାଇଥିଲା ଏବଂ ଇଣ୍ଟରନେଟ୍ ଆକ୍ସେସ୍ ଉପରେ ପ୍ରତିବନ୍ଧକ ଥିଲା। କିନ୍ତୁ ମଡେଲ୍ ଏହି ସୀମାକୁ ବାଇପାସ୍ କରି ଇଣ୍ଟରନେଟ୍ ପହଞ୍ଚ ହାସଲ କରିଥିଲା।

ପରେ ହଗିଂ ଫେସ୍ର ସିଷ୍ଟମ୍ରେ ପହଞ୍ଚି ଟେଷ୍ଟର ଉତ୍ତର ପାଇବା ପାଇଁ ସେଠାରେ ଅନଧିକୃତ କାର୍ଯ୍ୟ କରାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ AI ଏଜେଣ୍ଟଙ୍କ ସ୍ୱୟଂଚାଳିତ କାର୍ଯ୍ୟକ୍ଷମତା ଓ ସୁରକ୍ଷାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଥିଲା।

AI ଏଜେଣ୍ଟଙ୍କ ‘ସ୍ୱାର୍ମ’ ନେଟୱର୍କ

ତଦନ୍ତରେ ଆଉ ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଥିଲା। ଏକାଧିକ AI ଏଜେଣ୍ଟ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ କରିବା ପାଇଁ ଗୁପ୍ତ ଭାବେ ନୋଟ୍ ଛାଡ଼ୁଥିଲେ। ଏହି ନୋଟ୍ରେ ସିଷ୍ଟମ୍ର ସୁରକ୍ଷାକୁ କିପରି ଏଡ଼ାଇହେବ ଏବଂ ସୀମିତ ଡାଟା ପର୍ଯ୍ୟନ୍ତ କିପରି ପହଞ୍ଚିହେବ, ସେନେଇ ସୂଚନା ଆଦାନପ୍ରଦାନ ହେଉଥିଲା।

ଏହି ଏଜେଣ୍ଟମାନେ ନିଜମାନଙ୍କୁ ଏକ ପ୍ରକାର ‘ସ୍ୱାର୍ମ’ ବା ସଂଗଠିତ ଝୁଣ୍ଡ ଭାବେ ବର୍ଣ୍ଣନା କରିଥିବା ମଧ୍ୟ ତଦନ୍ତରେ ଜଣାପଡ଼ିଥିଲା। ଇଞ୍ଜିନିୟରମାନେ ଏପରି ନେଟୱର୍କ ତିଆରି କରିବାକୁ AIକୁ ନିର୍ଦ୍ଦେଶ ଦେଇନଥିବା ସତ୍ତ୍ୱେ ଏଭଳି ବ୍ୟବହାର ଦେଖାଯାଇଥିଲା।

ଓପନଏଆଇର ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା

ଘଟଣା ପରେ ଓପନଏଆଇ ନିଜ AI ସିଷ୍ଟମ୍ର ସୁରକ୍ଷା ନିୟମକୁ ଆହୁରି କଡ଼ା କରିଛି। AI ମଡେଲ୍ର ଇଣ୍ଟରନେଟ୍ ବ୍ୟବହାର ଉପରେ ଅଧିକ ନିୟନ୍ତ୍ରଣ ଲଗାଯାଇଛି। ରିସର୍ଚ୍ଚ ପରିବେଶ ଓ ଲାଇଭ୍ ସିଷ୍ଟମ୍କୁ ଅଲଗା କରାଯାଇଛି। ଏହା ସହିତ ସନ୍ଦେହଜନକ କାର୍ଯ୍ୟକଳାପକୁ ତୁରନ୍ତ ଚିହ୍ନଟ କରିବା ପାଇଁ ରିଅଲ୍-ଟାଇମ୍ ମନିଟରିଂ ବଢ଼ାଯାଇଛି। ପ୍ରଭାବିତ ସଂସ୍ଥାଗୁଡ଼ିକୁ ମଧ୍ୟ ଆବଶ୍ୟକ ଟେକ୍ନିକାଲ୍ ତଥ୍ୟ ଦିଆଯାଇଛି, ଯାହା ଆଧାରରେ ସେମାନେ ନିଜ ସିଷ୍ଟମ୍ର ସୁରକ୍ଷା ଯାଞ୍ଚ କରିପାରିବେ।

AIର ବଢ଼ୁଥିବା ସ୍ୱୟଂଚାଳିତ କ୍ଷମତାକୁ ନେଇ ଚିନ୍ତା

ଏହି ଘଟଣା AI ସୁରକ୍ଷାକୁ ନେଇ ନୂଆ ପ୍ରଶ୍ନ ଉଠାଇଛି। AI ଏଜେଣ୍ଟମାନଙ୍କୁ ଅଧିକ ସ୍ୱୟଂଚାଳିତ କ୍ଷମତା ଦିଆଯାଉଥିବା ବେଳେ ସେମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଅପେକ୍ଷାକୃତ ଅପ୍ରତ୍ୟାଶିତ ଉପାୟ ଆପଣାଇପାରନ୍ତି କି ନାହିଁ, ତାହା ନେଇ ଗବେଷକମାନଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି।