ଭୁବନେଶ୍ୱର : ଛୋଟ ଛୋଟ ଦାନା…କିନ୍ତୁ ଗୁଣ ଅନେକ। ସାଧାରଣତଃ ଡାଲିମ୍ବ ଫଳ ଖାଇବାକୁ ଅନେକଙ୍କୁ ସ୍ୱାଦିଷ୍ଟ ଲାଗିନଥାଏ , କିନ୍ତୁ ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଥାନ୍ତି । ଏକ ଅଧ୍ୟୟନରେ ଡାଲିମ୍ବରେ ଥିବା ପୋଷକତତ୍ତ୍ୱ ଓ ଆଣ୍ଟିଅକ୍ସିଡେଣ୍ଟ ହୃଦୟ ସହ ଜଡ଼ିତ କିଛି ଫାଇଦା ଦେଇପାରେ ବୋଲି ଦାବି କରାଯାଇଛି। ଏପରିକି କେତେକ ରିପୋର୍ଟରେ ହୃଦୟର କାର୍ଯ୍ୟକ୍ଷମତାରେ ଉଲ୍ଲେଖନୀୟ ସୁଧାର ମଧ୍ୟ ଆସିଛି। କେତେକ ମାମଲାରେ ଏହା ହୃଦୟର କାର୍ଯ୍ୟକ୍ଷମତାକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଉନ୍ନତ କରିପାରିବ ବୋଲି ଅଧ୍ୟୟନରେ ଉଲ୍ଲେଖ କରାଯାଇଛି।

ଡାଲିମ୍ବ...ଦେଖିବାକୁ ସାଧାରଣ ଏକ ଫଳ। କିନ୍ତୁ ଏହାର ପ୍ରତ୍ୟେକ ଦାନାରେ ରହିଛି ଅନେକ ପୋଷକତତ୍ତ୍ୱ। ବିଶେଷକରି ଏଥିରେ ଥିବା ପଲିଫେନଲ୍, ଭିଟାମିନ୍-ସି, ପୋଟାସିୟମ୍ ଓ ବିଭିନ୍ନ ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ରକ୍ତସଞ୍ଚାଳନକୁ ଉନ୍ନତ କରିଥାଏ। ନିୟମିତ ଭାବରେ ଡାଲିମ୍ବ ଖାଇବା ଦ୍ୱାରା ରକ୍ତନଳୀର କାର୍ଯ୍ୟକ୍ଷମତା ଭଲ ହୋଇପାରେ ଏବଂ ହୃଦରୋଗ ଜନିତ ସମସ୍ୟାକୁ କମାଇବାରେ ସାହାଯ୍ୟ କରିପାରେ । ଡାଲିମ୍ବର ରସ ଶରୀରରେ ଖରାପ କୋଲେଷ୍ଟେରଲ୍କୁ ନିୟନ୍ତ୍ରଣ କରିବା ସହ ରକ୍ତଚାପ କମେଇବାରେ ମଧ୍ୟ ସହାୟକ ହୋଇପାରେ। ଆମ ହୃଦୟ ସୁସ୍ଥ ରହିବା ପାଇଁ ରକ୍ତନଳୀର ସ୍ୱାଭାବିକ କାର୍ଯ୍ୟ ଓ ଭଲ ରକ୍ତସଞ୍ଚାଳନ ଗୁରୁତ୍ୱପୂର୍ଣ୍ଣ। ଡାଲିମ୍ବ ଏହି କ୍ଷେତ୍ରରେ କିଛି ଲାଭ ଦେଇପାରେ ବୋଲି ପୂର୍ବରୁ ହୋଇଥିବା କିଛି ଗବେଷଣାରୁ ସଙ୍କେତ ମିଳିଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦିଓ ଏହା ନିୟମିତ ଖାଇବା ଦ୍ୱାରା ଫଳାଫଳ ଆଶାଜନକ, ତଥାପି ହୃଦୟ ସମ୍ବନ୍ଧୀୟ ସମସ୍ୟାରେ କେବଳ ଫଳ ଉପରେ ନିର୍ଭର ନକରି ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ ଓ ଡାକ୍ତରଙ୍କ ପରାମର୍ଶକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଡାଲିମ୍ବର ନିୟମିତ ସେବନ ହୃଦୟକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଉପାୟ ହୋଇପାରେ ବୋଲି ଡାକ୍ତର ମତ ପ୍ରକାଶ କରିଥାନ୍ତି ।