ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ସ୍ଥିତ ଭୋଜଶାଳା-କମାଲ ମୌଲା ମସଜିଦ୍ ପରିସର ବିବାଦ ଉପରେ ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କୁ ଧୈର୍ଯ୍ୟ ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି ଯେ ସେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ଦୈନିକ ଶୁଣାଣି ପାଇଁ ପ୍ରସ୍ତୁତ ଅଛନ୍ତି । ଏହାସହ କୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି ।

ମଧ୍ୟପ୍ରଦେଶ ହାଇକୋର୍ଟ ୧୫ ମେ'ରେ କହିଥିଲେ ଯେ ବିବାଦୀୟ ଭୋଜଶାଳା-କମାଲ ମୌଲା ମସଜିଦ୍ ପରିସର ଦେବୀ ସରସ୍ଵତୀଙ୍କୁ ସମର୍ପିତ ଏକ ମନ୍ଦିର ଅଟେ । ଏହାସହ କୋର୍ଟ ଏଏସଆଇର ଦଶନ୍ଧି ପୁରୁଣା ସେହି ଆଦେଶକୁ ମଧ୍ୟ ରଦ୍ଦ କରିଦେଇଥିଲେ, ଯେଉଁଥିରେ ମୁସଲିମ୍ ସମୁଦାୟକୁ ଏହି ସ୍ଥାନରେ ଶୁକ୍ରବାର ନମାଜ ପଢ଼ିବାକୁ ଅନୁମତି ଦିଆଯାଇଥିଲା ।

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଏବଂ ଭୋଜଶାଳା ପରିସରରେ ନମାଜ ପଢ଼ିବାକୁ ଅନୁମତି ମାଗିଥିଲେ । ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି.ମୋହନାଙ୍କ ବେଞ୍ଚ୍ ମଙ୍ଗଳବାର ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି ।

ଶୀର୍ଷ ଅଦାଲତ ଏହାର ସମ୍ବେଦନଶୀଳତାକୁ ଦେଖି କହିଛନ୍ତି ଯେ ଅଦାଲତରେ କୁହାଯାଉଥିବା କଥା ଅନାବଶ୍ୟକ ବିବାଦ ସୃଷ୍ଟି କରିପାରେ, ତେଣୁ ପ୍ରତ୍ୟେକ ଟିପ୍ପଣୀ ଭାବିଚିନ୍ତି କରିବା ଆବଶ୍ୟକତା ରହିଛି । ଅଦାଲତ ଆଗାମୀ ୧୦ରୁ ୧୫ ଦିନ ଭିତରେ ଏହି ମାମଲାକୁ ଏକ ଉପଯୁକ୍ତ ବେଞ୍ଚ୍ ସାମ୍ନାରେ ଲିଷ୍ଟ କରିବା କଥା କହିଛନ୍ତି । ଏବେ ଏହି ମାମଲାରେ କୋର୍ଟ ତିନି ସପ୍ତାହ ପରେ ଶୁଣାଣି କରିବେ ।

ଶୁଣାଣି ସମୟରେ ମୁସଲିମ୍ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ରିଟ୍ ପିଟିସନକୁ ଦୃଢ଼ ବିରୋଧ କରିଥିଲେ । ପ୍ଲେସେସ୍ ଅଫ୍ ୱରସିପ୍ ଆକ୍ଟ, ୧୯୯୧ର ଦ୍ଵାହି ଦେଇଥିଲେ । ସେ ଯୁକ୍ତି ଦେଇଥିଲେ ଯେ ସେଠାରେ ଶତାବ୍ଦୀ ଧରି ନମାଜ ପାଠ ହେବାର ଦୃଢ଼ ପ୍ରମାଣ ରହିଛି । ସିଙ୍ଘଭୀ କହିଥିଲେ ଯେ ଇଂରେଜମାନେ ଏଠାରେ ଅପରାହ୍ନ ଗୋଟାଏରୁ ତିନିଟା ମଧ୍ୟରେ ଜୁମା ନମାଜ ଏବଂ ବସନ୍ତ ପଞ୍ଚମୀରେ ଦିନସାରା ସରସ୍ଵତୀ ପୂଜା କରିବାର ବ୍ୟବସ୍ଥା କରିଥିଲେ, ଯାହା ଧର୍ମନିରପେକ୍ଷତାର ଏକ ବଡ଼ ଉଦାହରଣ ।

ଶୁଣାଣି ସମୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ବିବାଦୀୟ ପରିସରରେ ପୁଣିଥରେ ନମାଜ ଆରମ୍ଭ କରିବାକୁ ଜୋରଦାର ବିରୋଧ କରିଥିଲେ । କହିଥିଲେ ଯେ ହାଇକୋର୍ଟଙ୍କ ଆଦେଶ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଟେ । ସେ ମାମଲାକୁ ଦୁଇ-ତିନି ମାସ ସ୍ଥଗିତ ରଖିବାକୁ କହିଥିଲେ ।