ବୌଦ୍ଧ : ଆଜି ସାରା ଦେଶ ପାଳୁଛି ୮୦ ତମ ସ୍ୱାଧୀନତା ଦିବସ। ୧୯୪୭ ଅଗଷ୍ଟ ୧୫ ଦିନ ଆମ ଦେଶ ହୋଇଥିଲା ସ୍ୱାଧୀନ । ଆଜିର ପବିତ୍ର ଦିନରେ ଦେଶ ମନେ ପକାଉଛି ସେହି ବୀର ପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗାଥାକୁ। ବଡ଼ କଥା ହେଉଛି ଆଜିର ଦିନରେ ମନ୍ଦିରରରେ ପୂଜା ପାଉଛନ୍ତି ସ୍ୱୟଂ ଭାରତ ମା। କଥାଟା, ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ଭାବୁଥିବେ, ଭାରତ ବର୍ଷରେ ଅନେକ ଦେବାଦେବୀଙ୍କ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର ବିଭିନ୍ନ ଧର୍ମକୁ ନେଇ ବହୁ ଧାର୍ମିକ ସ୍ଥଳ ରହିଖିବା ତ ଶୁଣିଥିବେ। ହେଲେ ଭାରତ ମାତାଙ୍କ ମନ୍ଦିର କେହି କେବେ ଶୁଣି ନଥିବେ। କିନ୍ତୁ ଏପରି ଏକ ମନ୍ଦିର ରହିଛି, ବୈୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତର ବନପାଲି ଗାଁରେ। ଯେଉଁ ମନ୍ଦିରରେ ଭାରତ ମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଦେଶ ସ୍ଵାଧୀନ ହେବା ପୂର୍ବରୁ ଅର୍ଥାତ୍ ଭାରତ ଛାଡ ଆନ୍ଦୋଳନ ସମୟ ୧୯୪୨ ମସିହା ଠାରୁ ଏଠାରେ ଭାରତ ମାତା ପୂଜା ପାଇ ଆସୁଛନ୍ତି। ଦେଶ ପରାଧୀନ ଥିବା ସତ୍ତ୍ୱେ ଗଡ଼ଜାତ ଆନ୍ଦୋଳନ ସମୟରେ ଗାଁର କିଛି ସ୍ଵାଧୀନତା ସଂଗ୍ରାମୀ ପ୍ରଜା ଆନ୍ଦୋଳନରେ ସାମିଲ ହୋଇଥିଲେ। ସେହି ସମୟରେ ଗାଁର କିଛି ସ୍ୱାଧୀନତା ସଂଗ୍ରାମୀ ଏଇ ଭାରତ ମାତାର ମନ୍ଦିର ନିର୍ମାଣ କରି ପୂଜା କରୁଥିଲେ। ପରବର୍ତ୍ତୀ ସମୟରେ ସେଇଦିନଠୁ ଏଠାରେ ଭାରତ ମାତା ପୂଜା ପାଇ ଆସୁଛନ୍ତି।

ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଏଇ ମନ୍ଦିରରେ ଭାରତ ମାଆଙ୍କୁ ପୂଜା କରାଯାଏ। ଆଉ ସନ୍ଧ୍ୟାରେ ରାମଧୁନ ଗୀତ ସହ ନାମ ସଂକୀର୍ତନ ବି ହୋଇଥାଏ। ସେତେବେଳର ସେହି ପ୍ରଜା ଆନ୍ଦୋଳନ ସମୟର ଏଇ ଭାରତ ମାତାର ମନ୍ଦିର ବେଶ ସ୍ମୁତି ବହନ କରୁଛି। ବନପାଲି ଗାଁର ମନ୍ଦିର ଗ୍ରାମବାସୀ ପ୍ରତ୍ୟେକ ଦିନ ଏକତ୍ରିତ ହୋଇ ସେଦିନର ସେଇ ଗାଥା ମନେ ପକାଇବା ସହ ରଘୁପତି ରାଘବ ରାଜା ରାମ ଓ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି।

ଦେଶ ସ୍ୱାଧୀନ ହେଲା ୧୯୪୭ରେ କିନ୍ତୁ ଏହି ମନ୍ଦିର ୧୯୪୨ ମସିହା ଠାରୁ ସ୍ଥାପିତ । ହେଲେ ଏହି ଐତିହାସିକ ମନ୍ଦିର ଆଜି ବି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ସରକାରଙ୍କ ପକ୍ଷରୁ ରାଜ୍ୟରେ ବିଭିନ୍ନ ମନ୍ଦିର ପ୍ରତି ଅର୍ଥ ଅନୁଦାନ ପ୍ରଦାନ କରାଯାଉଥିବା ବେଳେ ଭାରତ ମାତାଙ୍କ ମନ୍ଦିରକୁ କେବଳ ଘର ଖଣ୍ଡିଏ ଯୋଗାଇ ଦିଆଯାଇଛି। ତା ଛଡା ଆଜି ପର୍ଯ୍ୟନ୍ତ ଏହି ମନ୍ଦିର ପ୍ରତି ଅନ୍ୟ କୌଣସି ମୌଳିକ ସୁବିଧା ସୁଯୋଗ ପ୍ରଶାସନ ପକ୍ଷରୁ କରାଯାଇନାହିଁ । ଏଠାରେ ଏକ ମିନି ପାର୍କ, ଆକର୍ଷଣୀୟ ଆଲୋକୀକରଣ, ରାସ୍ତାରେ ଡିସପ୍ଲେ ବୋର୍ଡ ଏବଂ ମନ୍ଦିରର ନୂତନ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ପ୍ରତିବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଓ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଏଠାରେ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ ହେଲେ ପ୍ରଶାସନ ଏଥିରେ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରିନଥାଏ ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଏହି ମନ୍ଦିରର ଉନ୍ନତିକରଣ କରାଗଲେ ଏବଂ ଏହାର ପ୍ରଚାର ପ୍ରସାର ସଠିକ୍ ଭାବେ କରାଗଲେ ଏହା ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ସ୍ଥାନ ପାଇପାରିବ ଏବଂ ଏହା ଏକ ପର୍ଯ୍ୟଟନ କ୍ଷେତ୍ର ହୋଇ ପାରିବ ବୋଲି ଲୋକେ ଦାବି କରିଛନ୍ତି।

Also Read- News7 Digital Impact : ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ ନୂଆ ଡପଲର୍ ରାଡାର, ପାଣିପାଗ ପୂର୍ବାନୁମାନ ହେବ ଅଧିକ ସଠିକ୍

ଗଡ଼ଜାତ ଆନ୍ଦୋଳନ ସମୟର ମୂକସାକ୍ଷୀ ପାଲଟିଥିଲା ଏହି ଭାରତ ମାତା ମନ୍ଦିର। ଯାହା ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଲେ, ଏହା ସ୍ୱାଧୀନତା ସଂଗ୍ରାମର ଅମର ଗାଥାକୁ ଆଗାମୀ ପିଢ଼ି ପାଇଁ ସାଉଁଟି ରଖିବା ସହ ଅଞ୍ଚଳରେ ଆହୁରି ଲୋକପ୍ରିୟ ହୋଇପାରନ୍ତା ବୋଲି ଆଶା ଓ ବିଶ୍ୱାସ ।