ଭଦ୍ରକ: ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ଆନ୍ଦୋଳନ ଜାରି ରହିଥିବାରୁ ଭଦ୍ରକ ମହିଳା ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୯ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୮ ତାରିଖରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ କଲେଜ ପରିସରରେ ବିଭିନ୍ନ ଛାତ୍ରଗୋଷ୍ଠୀଙ୍କ ଆନ୍ଦୋଳନ ଯୋଗୁ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ପରିବେଶ ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୦ ତାରିଖଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଲେଜ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

Also Read: କ୍ୟାମ୍ପସରେ ନିର୍ବାଚନୀ ତାତି : ଦିନରେ ଚାଲିଛି ଭୋଜିଭାତ, ହଷ୍ଟେଲରେ ପ୍ରାର୍ଥୀଙ୍କ ଡିନର୍ ପଲିଟିକ୍ସ !

ଏହି ସମୟରେ ପାଠପଢ଼ା, ଶ୍ରେଣୀ କାର୍ଯ୍ୟ ଓ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ପ୍ରଶାସନିକ କାର୍ଯ୍ୟ ବନ୍ଦ ରହିବ। ଛାତ୍ରୀମାନଙ୍କୁ ଶାନ୍ତି ବଜାୟ ରଖିବା ସହ କଲେଜର ଅଫିସିଆଲ୍ ହ୍ୱାଟ୍ସଆପ୍ ଗ୍ରୁପ୍ ଓ ନୋଟିସ୍ ବୋର୍ଡ ମାଧ୍ୟମରେ ପୁନଃ ଖୋଲିବା ସମ୍ପର୍କିତ ସୂଚନା ଜାଣିବାକୁ ପରାମର୍ଶ ଦିଆଯାଇଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଏହି ବନ୍ଦ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।