ଭଦ୍ରକ, ୧୫|୦୭: ଭଦ୍ରକ ସହରରେ ଥିବା ସାଳନ୍ଦୀ ହସ୍ପିଟାଲରେ ଚଢଉ । ବେଆଇନ ଭାବେ ଲିଙ୍ଗ ନିରୂପଣ ଅଭିଯୋଗ ପାଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ କାର୍ତିକ ମଣ୍ଡଳ, ସିଟି ଡିଏସପି ଅନିଲ ପ୍ରଧାନ, ଭେଷଜ ନିରୀକ୍ଷକ ଦୀପକ କୁମାର ଜେନା ଏବଂ ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଗଠିତ ଟିମ ଅତର୍କିତ ଭାବେ ଚଢ଼ାଉ କରିଛନ୍ତି ।

ଚଢ଼ଉ ବେଳେ ବେଆଇନ ଭାବେ ଅଲଟ୍ରାସାଉଣ୍ଡରେ ଲିଙ୍ଗ ନିରୂପଣ କରାଯାଉଥିବା ଟିମ୍ ଦେଖିବାକୁ ପାଇଥିଲେ । ଏପରିକି ହସ୍ପିଟାଲ ନିଜ ନାମରେ ଥିବା ମେଡ଼ିସିନ ଦୋକାନର କିଣା ବିକାର କୌଣସି ହିସାବ ତଥା ବିଲ୍ କପି ମଧ୍ୟ ଦେଇପାରିନଥିଲେ । କୌଣସି ସନ୍ତୋଷଜନକ କାଗଜପତ୍ର ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଦାଖଲ କରିପାରିନଥିଲେ । ସଠିକ ତଥ୍ୟ ଦେବା ପାଇଁ ସାଳନ୍ଦୀ ହସ୍ପିଟାଲର ମାଲିକ ଡ଼ ପି କେ ମହାନ୍ତିଙ୍କୁ ଚାରି ଦିନ ସମୟ ଦିଆଯାଇଥିବା ବେଳେ ବେଆଇନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅଲଟ୍ରାସାଉଣ୍ଡ ମେସିନକୁ ସିଲ କରାଯାଇଛି ।

ଭଦ୍ରକରେ ବିଭିନ୍ନ ସ୍ଥାନରେ ମେଡିସିନ ଦୋକାନରେ ବେଆଇନ ଭାବେ ଔଷଧ ବିତରଣକୁ ନେଇ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହା ପରେ ଆକ୍ସନ ମୋଡ଼କୁ ଆସିଥିଲା ସ୍ୱାସ୍ଥ୍ୟ ବିଭାଗ । ଫଳରେ ଭେଷଜ ନିରୀକ୍ଷକଙ୍କ ନେତୃତ୍ୱରେ ପ୍ରତେକ ଦିନ ମେଡ଼ିସିନ ଦୋକାନ ରେ ଯାଞ୍ଚ ପ୍ରକ୍ରିୟା କରାଯାଉଥିବା ଦେଖିବାକୁ ମିଳିଛି । ତେବେ ବୁଧବାର ମିଳିତ ଭାବରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ମାଜିଷ୍ଟ୍ରେଟଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଟିମ ଭଦ୍ରକ ସହର ଛାତି ଭିତରେ ଏଭଳି ଏକ ବେଆଇନ କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଦେଖିବାକୁ ମିଳିଛି ।