ଭଦ୍ରକ:  ଭଦ୍ରକ ଜିଲ୍ଲାରେ ବନ୍ୟା ଜଳ ସ୍ତର  ଧିରେ ଧିରେ କମୁଥିବା ବେଳେ ଲୋକଙ୍କ କ୍ଷୟକ୍ଷତି ଓ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଜିଲ୍ଲାର ୬ଟି ବ୍ଲକ, ୩ଟି ସହରାଞ୍ଚଳ ଏବଂ ୧୨୬ଟି ଗ୍ରାମପଞ୍ଚାୟତର ମୋଟ ୫୦୩ଟି ଗାଁ ଓ ୩୧ଟି ୱାର୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏବେ ବି ୨୧ଟି ପଞ୍ଚାୟତ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି।

୫.୪୬ ଲକ୍ଷ ଲୋକ ପ୍ରଭାବିତ

ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ବନ୍ୟାରେ ସମୁଦାୟ ୫ ଲକ୍ଷ ୪୬ ହଜାର ୯୨୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୨ ଲକ୍ଷ ୨୬ ହଜାର ୫୩୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୭୧ଟି ରିଲିଫ୍ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ବନ୍ୟାରେ ୨୯୧ଟି ଘର କ୍ଷତିଗ୍ରସ୍ତ ହୋଇଛି।

Also Read: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; ବନ୍ୟା ପ୍ରଭାବିତଙ୍କ ପାଇଁ ୧୧୦ କୋଟି ଟଙ୍କାର ସହାୟତା​​​​​​​

ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ବିଶୋଧନ

ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୩୫ଟି ମେଡିକାଲ ଟିମ୍ ନିୟୋଜିତ ଅଛନ୍ତି। ସାପ କାମୁଡ଼ାର ଶିକାର ହୋଇଥିବା ୪୦ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କୁ ଆଣ୍ଟି ସ୍ନେକ୍ ଭେନମ୍ ଦିଆଯାଇଛି। କେତେକ ସ୍ଥାନରେ ଡାଇରିଆ ବ୍ୟାପିଥିଲେ ବି ୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇଛନ୍ତି। ପାନୀୟ ଜଳ ସୁରକ୍ଷା ପାଇଁ ୩୪୯୬ଟି ନଳକୂପକୁ ବିଶୋଧନ କରାଯାଇ ହଳଦିଆ ରଙ୍ଗ ଦିଆଯାଇଛି ଏବଂ ୩ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ଗାଡ଼ି କାର୍ଯ୍ୟରତ ଅଛି।

ଉଦ୍ଧାର କାର୍ଯ୍ୟ ଓ ପ୍ରାଣୀଧନ ସୁରକ୍ଷା

ବନ୍ୟା ବିପର୍ଯ୍ୟୟରେ ମଣିଷ କିମ୍ବା ପଶୁଙ୍କର ମୃତ୍ୟୁ ଘଟିନଥିବା ବେଳେ ୧.୬୬ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣୀଧନ ପ୍ରଭାବିତ ହୋଇଛନ୍ତି, ଯାହାଙ୍କ ପାଇଁ ୭ଟି ଭେଟେନାରି ଟିମ୍ କାମ କରୁଛନ୍ତି। NDRF (୩), ODRAF (୭) ଏବଂ ଅଗ୍ନିଶମ ବାହିନୀ ତୁରନ୍ତ କାର୍ଯ୍ୟ କରି ୫୧ ଜଣ ଗର୍ଭବତୀ ମହିଳା, ୨୪ ଜଣ ଶିଶୁ, ୩୬ ଜଣ ସାପ କାମୁଡ଼ା ରୋଗୀ ଓ ୨୬ ଜଣ ଦିବ୍ୟାଙ୍ଗଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଫସଲ କ୍ଷୟକ୍ଷତିର ଆକଳନ ଚାଲିଛି।