ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜେ.ପି. ନଗର ୩ୟ ଫେଜ୍‌ ଅଞ୍ଚଳରେ ଘଟିଛି ହୃଦୟବିଦାରକ ଘଟଣା। ଜଣେ କର୍ତ୍ତବ୍ୟରତ ନର୍ସଙ୍କୁ ତାଙ୍କ ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ସହ ତାଙ୍କ ଉପରକୁ ଏସିଡ୍‌ ଫିଙ୍ଗି ଦେଇଛି । ଗୁରୁବାର ସକାଳ ପ୍ରା ୯.୧୫ ସମୟରେ ୨୬ ବର୍ଷୀୟା ମଧୁମିତା ଜଳଖିଆ ଲାଗି କ୍ଲିନିକ ବାହାରକୁ ଆସିଥିଲେ  । ଏହି ସମୟରେ ମଧୁମିତାଙ୍କ ସ୍ବାମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ ।

ସୂଚନା ଅନୁଯାୟୀ, କୋଲକାତାର ମଧୁମିତା ଗତ ଦେଢ଼ ବର୍ଷ ହେବ ବେଙ୍ଗାଲୁରୁର ଏକ ଘରୋଇ କ୍ଲିନିକରେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ। ଗୁରୁବାର ସକାଳ ପ୍ରାୟ ୯.୧୫ ସମୟରେ ସେ ପ୍ରତିଦିନ ପରି ଜଳଖିଆ ଖାଇବା ପାଇଁ କ୍ଲିନିକ ବାହାରକୁ ଆସିଥିଲେ। ମାତ୍ର ସେ ଜାଣିନଥିଲେ ଯେ, କ୍ରୋଧରେ ଜର୍ଜରିତ ସ୍ବାମୀ ତାଙ୍କ ଜୀବନ ନେବାକୁ ଜଗିବସିଛି ।

ମଧୁମିତା ବାହାରକୁ ଆସିବା ମାତ୍ରେ ତାଙ୍କ ସ୍ୱାମୀ ଭେଙ୍କଟେସନ୍ (ତାମିଲନାଡ଼ୁର ଅଧିବାସୀ) ବାଇକରେ ଆସି ପହଞ୍ଚିଥିଲେ। ବୈବାହିକ ବିବାଦକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ଏହାପରେ ଭେଙ୍କଟେସନ୍‌ ନିଜ ବ୍ୟାଗରୁ ବାହାର କରିଥିଲା ଖଣ୍ଡା, ଛୁରୀ ଓ ଏସିଡ୍‌ ଭର୍ତ୍ତି ବୋତଲ।

ଭୟରେ ମଧୁମିତା କ୍ଲିନିକର ବେସମେଣ୍ଟ ପାର୍କିଂ ଆଡ଼କୁ ଦୌଡ଼ିଥିଲେ ହେଁ, ପିଶାଚ ସ୍ୱାମୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲା। ନିଷ୍ଠୁରତାର ସୀମା ଟପି ସେ ମଧୁମିତାଙ୍କ ଉପରକୁ ଏସିଡ୍‌ ଫିଙ୍ଗି ଦେଇଥିଲା। ମଧୁମିତାଙ୍କ ବିକଳ ଚିତ୍କାର ଶୁଣି ହସ୍ପିଟାଲ କର୍ମଚାରୀ ଓ ଅନ୍ୟ ଲୋକ ଛୁଟି ଆସିଥିଲେ। କିଛି ସାହସୀ ଲୋକ ଅଭିଯୁକ୍ତକୁ ଅଟକାଇବା ପାଇଁ ତା’ ଉପରକୁ ପଥର ଫିଙ୍ଗିଥିଲେ। ହେଲେ  ଭେଙ୍କଟେସନ୍‌ ସେମାନଙ୍କୁ ମଧ୍ୟ ଭୟଭୀତ କରିବାକୁ ଚେଷ୍ଟା କରିଥିଲା।

ଘଟଣାସ୍ଥଳର କିଛି ଦୂରରେ ଥିବା ଟ୍ରାଫିକ୍‌ ସିଗନାଲରୁ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ପାଟିତୁଣ୍ଡ ଶୁଣି ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଖସି ପଳାଇବାକୁ ଚେଷ୍ଟା କରୁଥିବା ଆସାମୀ ଭେଙ୍କଟେସନକୁ ସେମାନେ କାବୁ କରିନେଇଥିଲେ। ଗୁରୁତର ଅବସ୍ଥାରେ ମଧୁମିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଜେ.ପି. ନଗର ଥାନା ପୋଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ବିଭତ୍ସ ଆକ୍ରମଣ ପଛର ମୂଳ କାରଣ ଜାଣିବା ପାଇଁ ପୋଲିସ୍‌ ଅଭିଯୁକ୍ତକୁ ଜେରା ଚଳାଇଛି।