ମୁମ୍ଵାଇ ୧୬।୦୭; ବଙ୍ଗୋପସାଗରରେ ବଡ ଅଘଟଣ। ମଝି ସମୁଦ୍ରରେ ବୁଡିଗଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା । ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ କରାଯାଉଛି ଆଶଙ୍କା । ଏହି ଘଟଣା ମିଆଁମାର ଉପକୂଳ ନିକଟରେ ଘଟିଥିବା ନେଇ କୁହାଯାଉଛି । ଏହାରି ମଧ୍ୟରେ ଜାତିସଂଘର ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍ ଓ ୟୁଏନଏଚସିଆର୍ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଜୁନ ଶେଷ ସପ୍ତାହରେ ମିଆଁମାରର ସଂଘର୍ଷପ୍ରବଣ ରାଖାଇନ୍ ରାଜ୍ୟରୁ ଦୁଇଟି ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା । ଏଥିରେ ମିଆଁମାର ସହ ବାଂଲାଦେଶର ଶରଣାର୍ଥୀ ଶିବିରରୁ ଆସିଥିବା ରୋହିଙ୍ଗ୍ୟାମାନେ ମଧ୍ୟ ଥିଲେ । ପ୍ରଥମ ଡଙ୍ଗାରେ ପ୍ରାୟ ୨୫୦ ଜଣ ଯାତ୍ରୀ ଥିବା ବେଳେ ଯାତ୍ରା ଆରମ୍ଭ ହେବାର କିଛି ସମୟ ପରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

ଅନ୍ୟ ଏକ ଡଙ୍ଗାରେ ପ୍ରାୟ ୨୮୦ ଜଣ ଯାତ୍ରୀ ଥିଲେ । ଏହି ଡଙ୍ଗାଟି ଜୁଲାଇ ୮ରେ ମିଆଁମାରର ଆୟେୟାରୱାଡି ଉପକୂଳ ନିକଟରେ ଓଲଟି ପଡ଼ିଥିଲା । ଏନେଇ ଜାତିସଂଘର ଦୁଇ ସଂସ୍ଥା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକ ପ୍ରାଣ ହୋଇଥିବାର ଆଶଙ୍କା ରହିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।