ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପାଇଁ ଏକ ବଡ଼ ଖୁସିଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆକୁ ମିଳିଛି ନୂଆ ଟାଇଟଲ୍ ସ୍ପୋନସର । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଗାମୀ ଦୁଇଟି ଘରୋଇ ସିଜନ୍ ପାଇଁ 'ମୁଥୁଟ୍ ଫିନକର୍ପ' ଭାରତୀୟ କ୍ରିକେଟ୍ ଦଳର ଟାଇଟଲ୍ ସ୍ପୋନ୍ସରସିପ୍ ଅଧିକାର ହାସଲ କରିଛି । ତେବେ ଏନେଇ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।

ମ୍ୟାଚ୍ ପିଛା କୋଟି କୋଟି ଟଙ୍କାର ଡିଲ୍

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟାଇଟଲ୍ ସ୍ପୋନସରସିପ୍ ପାଇଁ ପ୍ରତି ମ୍ୟାଚ୍ ପିଛା ୪ କୋଟି ୮୫ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ ଉପରେ ଆଲୋଚନା ହୋଇଛି । ଆନୁଷ୍ଠାନିକ ଘୋଷଣା ପରେ ଅନ୍ତିମ ମୂଲ୍ୟ ସ୍ପଷ୍ଟ ହେବ। ଏହାପୂର୍ବରୁ IDFC ଫାର୍ଷ୍ଟ ବ୍ୟାଙ୍କ ଟିମ୍ ଇଣ୍ଡିଆର ଟାଇଟଲ୍ ସ୍ପୋନସର ଥିଲା, ଯିଏ ପ୍ରତି ମ୍ୟାଚ୍ ପାଇଁ ୪.୨ କୋଟି ଟଙ୍କା ପ୍ରଦାନ କରୁଥିଲା ।

Also Read: ଦିନିକିଆ କ୍ରିକେଟର ତଣ୍ଟି ଚିପି ଚାଲିଛି ଖୋଦ୍ ICC, ନୂଆ ରିପୋର୍ଟରେ ବଡ଼ ଖୁଲାସା

ସୂଚନାଯୋଗ୍ୟ, ବିସିସିଆଇର 'ଇନଭିଟେସନ୍ ଟୁ ଟେଣ୍ଡର'ର ଶେଷ ତାରିଖ ଅଗଷ୍ଟ ୧୩ ଥିଲା। କିନ୍ତୁ ଅଧିକ ବେସ୍ ପ୍ରାଇସ୍ ଯୋଗୁଁ କୌଣସି କମ୍ପାନୀ ଆଗ୍ରହ ଦେଖାଇ ନଥିଲେ। ଏହାପରେ ବିସିସିଆଇ ପକ୍ଷରୁ ସମ୍ଭାବ୍ୟ କମ୍ପାନୀଗୁଡ଼ିକ ସହ ସିଧାସଳଖ ଆଲୋଚନା ଆରମ୍ଭ କରାଯାଇଥିଲା। ଏହି ନୂଆ ଚୁକ୍ତି ଆଗାମୀ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ।

୨୦୨୮ ପର୍ଯ୍ୟନ୍ତ କ୍ରିକେଟ୍ ସିଜନ୍

ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ସମସ୍ତ ଆନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ୍ର ଟାଇଟଲ୍ ଅଧିକାର 'ମୁଥୁଟ୍ ଫିନକର୍ପ' ନିକଟରେ ରହିବ। ଏହି ସମୟ ମଧ୍ୟରେ ଭାରତୀୟ ମାଟିରେ ପ୍ରାୟ ୩୫ଟି ଆନ୍ତର୍ଜାତୀୟ ମ୍ୟାଚ୍ (୧୦ଟି ଟେଷ୍ଟ, ୧୨ଟି ଦିନିକିଆ ଏବଂ ୧୩ଟି ଟି-୨୦) ଖେଳାଯିବ।

Also Read: ଟି୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ: ୨୦୦ଟି ମ୍ୟାଚ୍ ଜିତିବାରେ ଦୁନିଆର ପ୍ରଥମ ଦେଶ

କେରଳରୁ ଆରମ୍ଭ ହେବ ଅଭିଯାନ

ରୋଚକ କଥା ହେଉଛି, ଏହି ନୂଆ ସ୍ପୋନସରସିପ୍ ଅଧୀନରେ ପ୍ରଥମ ମ୍ୟାଚ୍ ମୁଥୁଟ୍ କମ୍ପାନୀର ଗୃହ ରାଜ୍ୟ କେରଳର ତିରୁବନନ୍ତପୁରମ୍ଠାରେ ଖେଳାଯିବ। ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି, କାରଣ ଏହି ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ମୈଦାନକୁ ଓହ୍ଲାଇବେ।