ଭୁବନେଶ୍ଵର: ବିମାନ ପାଇଁ ବିପଦ ବାଣ । ଫ୍ଲାଇଟ୍ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ ବେଳେ ମଝି ଆକାଶରେ ବାଣ ଫୁଟୁଥିବା ଦେଖି ଘାବରେଇ ଗଲେ ପାଇଲଟ । ଆଉ ଫ୍ଲାଇଟ୍କୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିସାରିବା ପରେ ଏୟାରପୋର୍ଟ ଅଥରିଟିଙ୍କୁ ଫେରାଦ୍ ହୋଇଥିଲେ । ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏଭଳି ଘଟଣା । ଗତ ୨୧ ତାରିଖରେ ଦଶହରା ଦିନ ଯେତେବେଳେ ବରମୁଣ୍ଡା ପଡ଼ିଆରେ ରାବଣ ପୋଡ଼ି ଚାଲିଥିଲା, ଯେତେବେଳେ ରାବଣ ଷ୍ଟାଚ୍ୟୁରେ ଲଗାଯାଇଥିବା ବାଣଗୁଡ଼ିକ ଫୁଟୁଥିଲା ଠିକ୍ ସେତିକି ବେଳେ ଜଳୁଥିବା ରାବଣର ମୁଣ୍ଡ ଉପର ଦେଇ ଭୁବନେଶ୍ବର ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ଆସୁଥିଲା ଏକ ବିମାନ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ୍ ହୋଇଛି । ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଆଗକୁ କିଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ ସେଥି ପାଇଁ ପଦକ୍ଷେପ ନେଉଛନ୍ତି ଏୟାରପୋର୍ଟ ଅଥରିଟି ।

ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଚାଲିଥିଲା ରାବଣ ପୋଡ଼ି । ଚାଲିଥିଲା ଜୋରଦାର ଆତସବାଜି । ଆକାଶର ଛାତି ଚିରି ଉପରକୁ ଉଠୁଥିଲା ବାଣ ନିଆଁର ଫୁଆରା । ଠିକ୍ ଏତିକି ବେଳେ ଭୁବନେଶ୍ବର ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ତଳକୁ ଖସୁଥିଲା ବିମାନ ।  କେତେ ଭୟଙ୍କର ଥିଲା ଏହି ଦୃଶ୍ୟ । ଗୋଟେପଟେ ଚାଲିଥିଲା ରାବଣ ପୋଡ଼ି । ରାବଣ ଷ୍ଟାଚ୍ୟୁରେ ଲାଗିଥିବା ବାଣ ଆକାଶ ଆଡ଼କୁ ଛୁଟିଥିଲା । ଆଉ ତଳେ ଲାଗିଥିବା ସର୍ଟସ୍ ଗୁଡ଼ିକରୁ ଆକାଶମୁହାଁ ହେଉଥିଲା ବାଣ ନିଆଁର ଫୁଆରା । ଠିକ୍ ଏତିକି ବେଳେ ଏୟାରରେ ସେହି ରାସ୍ତା ଦେଇ ତଳକୁ ଖସୁଥିଲା ବିମାନ । ବିମାନରେ ଥିଲେ ଶତାଧିକ ଯାତ୍ରୀ ।

Also Read: ପାଖେଇ ଆସିଲାଣି 'ଅର୍ଣ୍ଣବ' : ଆଜି ରାତିରୁ ପ୍ରବଳ ବର୍ଷା, ୧୪୦ ଛୁଇଁବ ପବନର ବେଗ !

ଲ୍ୟାଣ୍ଡିଂ ବେଳେ ଆଖି ସାମ୍ନାରେ ବାଣ ଫୁଟୁଥିବା ଦେଖି ପ୍ରଥମେ ଘାବରେଇ ଯାଇଥିଲେ ବିମାନର ପାଇଲଟ । କିଛି ସମୟ ପାଇଁ ତାଙ୍କର ମୁଣ୍ଡ କାମ କରିନଥିଲା । ତାଙ୍କୁ ଲାଗୁଥିଲା ଯେମିତି ବାଣର ନିଆଁ ଗୁଡ଼ିକ ତାଙ୍କ ବିମାନ ଆଡ଼କୁ ମାଡ଼ି ଆସୁଛି । ଏଭଳି ସ୍ଥିତିରେ ପାଇଲଟଙ୍କ ଅବସ୍ଥା କ’ଣ ହେଉଥିବା ଏହି ଦୃଶ୍ୟ ଦେଖି ଟିକେ ଅନୁମାନ କରନ୍ତୁ । ଗୋଟେ ପଟେ ବିମାନରେ ଥିବା ଶତାଧିକ ଯାତ୍ରୀଙ୍କ ଜୀବନର ଚିନ୍ତା । ଆଉ ଗୋଟେ ପଟେ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ଟେନସନ୍ । ଦଶହରାରେ ଦେବୀ ଦୁର୍ଗାଙ୍କ କୃପାରୁ ପାଇଲଟ ଜଣକ ନିଜକୁ ନିୟନ୍ତ୍ରଣରେ ରଖି ଭୁବନେଶ୍ବର ଏୟାରପୋର୍ଟରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଇଥିଲେ ।

ହେଲେ ଏହି ଘଟଣାକୁ ନେଇ ସେ ଏତେ ଚିନ୍ତିତ ହୋଇପଡ଼ିଥିଲେ ଯେ, ସେ ତୁରନ୍ତ ବିମାନରୁ ଏୟାରପୋର୍ଟ ଅଥରିଟିଙ୍କୁ ଜଣାଇଥିଲେ । ଏଭଳି ସ୍ଥିତିରେ ଯଦି କୌଣସି ବଡ଼ ଅଘଟଣ ଘଟିଥାନ୍ତା ତାହେଲେ ଏଥି ପାଇଁ କିଏ ଦାୟୀ ହୋଇଥାନ୍ତେ ? ବିମାନ ଯିବା ଆସିବା କରୁଥିବା ଜାଗାରେ ଏଭଳି ବାଣ ଫୁଟାଇବାକୁ କିଏ ଅନୁମତି ଦେଇଥିଲେ ?  ବିମାନବନ୍ଦର କର୍ତ୍ତୃପକ୍ଷ ଏ ବାବଦରେ ପୂର୍ବରୁ ଅବଗତ ଥିଲେ କି?  ତେବେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା କଥା ସ୍ଥାନୀୟ ପ୍ରଶାସନକୁ ଘଟଣା ବାବଦରେ ଅବଗତ କରାଯାଇଛି । ବିମାନ ଲ୍ୟାଣ୍ଡିଂ କିମ୍ବା ଟେକ୍ ଅଫ୍ ବେଳେ ଆକାଶକୁ ରକେଟ୍ ବାଣ ଛାଡ଼ିବା  ବା ଲେଜର ଲାଇଟ୍ ପକାଇବା ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରିପାରେ ବୋଲି କହିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ।

Also Read: ଭାରତ ନିର୍ମାଣ କଲା ନିଜସ୍ୱ ଡ୍ରୋନ୍ ବୋଟ୍, ଏଲିଟ୍ କ୍ଲବରେ ହେଲା ସାମିଲ...

ଭୁବନେଶ୍ବର ବିମାନ ବନ୍ଦରକୁ ଫ୍ଲାଇଟ୍ ରୁଟର ଏହି ମ୍ୟାପ୍ ଉପରେ ମଧ୍ୟ ନଜର ପକାନ୍ତୁ । ବିମାନବନ୍ଦରରୁ କେତେ ନିକଟରେ ରହିଛି ବରମୁଣ୍ଡା ପଡ଼ିଆ । ରନୱେ ର ଆପ୍ରୋଚ ରୋଡ, ଏହି ଦିଗରେ ରହିଛି । ତେଣୁ ବିମାନର ଟେକ ଅଫ ଓ ଲ୍ୟାଣ୍ଡିଂ ପାଇଁ ଏହି ରୁଟ ରହିଛି  ବୋଲି କହିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ବାଣ କିମ୍ବା ଲେଜର ଲାଇଟ ଦ୍ବାରା ପାଇଲଟ ଫ୍ଲାଇଟ୍ର ପ୍ରକୃତ ରୁଟ୍ ଦେଖିବାରେ ସମସ୍ୟା ହୋଇଥାଏ । ଏମିତିକି ବିମାନ ପାଖାପାଖିରେ  ବାଣ ଫୁଟୁଥିବା ଦେଖି ପାଇଲଟ ବିଚଳିତ ମଧ୍ୟ ହୋଇପାରନ୍ତି । ବିଚଳିତ ଅବସ୍ଥାରେ କୌଣସି ପ୍ରକାର ଅସ୍ବାଭାବିକ ପଦକ୍ଷେପ ମଧ୍ୟ ନେଇପାରନ୍ତି । ଏମିତିରେ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିପାରେ ।  ଏଥିପାଇଁ ବିମାନବନ୍ଦର ନିକଟରେ ବାଣଫୁଟାଇବା  କିମ୍ବା ଲେଜର ଲାଇଟ୍ ବ୍ୟବହାର ପାଇଁ  ବାରଣ ରହିଛି । ହେଲେ ଏହାକୁ କେହି ମାନୁନଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।

ସେହିଭଳି  ବିମାନବନ୍ଦର ନିକଟରେ ସୁଉଚ୍ଚ ଅଟାଳିକା ନିର୍ମାଣ ପାଇଁ ମଧ୍ୟ ବାରଣ ରହିଛି । ସେପଟେ ବରମୁଣ୍ଡା ପଡ଼ିଆରେ ରାବଣ ପୋଡ଼ି ବେଳେ ବାଣଫୁଟାଇବା ପାଇଁ କମିଶନରେଟ ପୋଲିସ ଅନୁମତି ଦେଇଥାଏ । BMC କେବଳ ଅନୁସଙ୍ଗିକ ସହଯୋଗ କରେ ବୋଲି ସଫେଇ ଦେଇଛନ୍ତି ଭୁବନେଶ୍ବର ମେୟର । ଏଭଳି ଘଟଣା ଭବିଶ୍ୟତରେ ଯେମିତି ଆଉ ନହେବ ସେଥି ପ୍ରତି ଆଗକୁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ମେୟର ।

ପ୍ରତିବର୍ଷ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ରାବଣ ପୋଡ଼ି ଓ ଆତସବାଜି କାର୍ଯ୍ୟକ୍ରମ ହୋଇ ଆସୁଛି । କିନ୍ତୁ ପୂର୍ବରୁ ଏଥି ପ୍ରତି କେହି ଧ୍ୟାନ ଦେଇନଥିଲେ । କାରଣ ପୂର୍ବରୁ ଭୁବନେଶ୍ବର ଏୟାରପୋର୍ଟକୁ ଏତେ ବିମାନ ଚଳାଚଳ ନଥିଲା । ଏବେ କିନ୍ତୁ ବିମାନ ଚଳାଚଳ ସଂଖ୍ୟା ଢ଼େର ବୃଦ୍ଧି ପାଇଛି ।  ପ୍ରତି ୧୦ରୁ ୧୫ ମିନିଟ୍ ଭିତରେ ଗୋଟିଏ ପରେ ଗୋଟିଏ ବିମାନ ଭୁବନେଶ୍ବର ଏୟାରପୋର୍ଟରେ ଟେକ୍ଅଫ୍ କିମ୍ବା ଲ୍ୟାଣ୍ଡିଂ କରୁଛନ୍ତି । ତେଣୁ ବିମାନ ବନ୍ଦର ଆଖପାଖରେ ଏଭଳି ଘଟଣାକୁ କିଭଳି ରୋକାଯାଇପାରିବ ସେନେଇ ଆଗକୁ ପ୍ରଶାସନ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି ।