ଭୁବନେଶ୍ଵର: ବାରବାଟୀରେ ଖେଳା ଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ୍ ପାଇଁ ଭୁବନେଶ୍ୱର ପହଞ୍ଚିଲେ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ବିମାନ ବନ୍ଦରରେ ପାଣ୍ଡ୍ୟାଙ୍କୁ ସ୍ଵାଗତ କରାଯାଇଛି। ଆସନ୍ତା ୯ତାରିଖରେ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୨-୨୦ ମ୍ୟାଚରେ ଖେଳିବେ ପାଣ୍ଡ୍ୟା।

ପାଣ୍ଡ୍ୟାଙ୍କ ଗସ୍ତକୁ ନେଇ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଓସିଏ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ସ୍ୱତନ୍ତ୍ର ଗାଡ଼ି ଯୋଗେ ହାର୍ଦ୍ଦିକଙ୍କୁ ବିମାନ ବନ୍ଦରରୁ ହୋଟେଲକୁ କଡ଼ା ସୁରକ୍ଷା ବଳୟ ଭିତରେ ନିଆଯାଇଛି। ହୋଟେଲରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ମେ ଫେୟାର ହୋଟେଲରେ ରାତ୍ରି ରହଣୀ କରିବେ ।

ଭାରତୀୟ ଖେଳାଳି ପାଣ୍ଡିଆଙ୍କ ଝଲକ ପାଇବା ପାଇଁ ବିମାନବନ୍ଦରରେ ଫ୍ୟାନମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଗାମୀ ମ୍ୟାଚକୁ ନେଇ ସମସ୍ତଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି। ଏହା ପୂର୍ବରୁ ଗତକାଲି ଦକ୍ଷିଣ ଆଫ୍ରିକା ଓ ଭାରତର କିଛି ଖେଳାଳି ଭୁବନେଶ୍ଵରରେ ପହଞ୍ଚିଥିଲେ। ଓଡ଼ିଶାର ପାରମ୍ପରିକ ରୀତିରେ ଖେଳାଳିଙ୍କୁ ହୋଟେଲ୍ ମେ ଫେୟାରରେ ସ୍ଵାଗତ କରିଥିଲେ। କଟକ ବାରବାଟୀ ଷ୍ଟାଡିୟମ ଯାଇ ଖେଳାଳି ପ୍ରାକ୍ଟିସ ସେସନରେ ଯୋଗ ଦେବେ।

ବାରବାଟୀ ଟି-୨୦କୁ ଆଉ ମାତ୍ର ୨ ଦିନ ବାକି ରହିଲା। ଓସିଏ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ାରିଛି। ଏହି କ୍ରମରେ ଶନିବାର ବାରବାଟୀରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୋଲିସ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆ। ବାରବାଟୀ ଟି ୨୦ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଡିଜିପି କହିଛନ୍ତି, ଉଭୟ କଟକ, ଭୁବନେଶ୍ବରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ ଡିସିପି ଓ ଓସିଏ ଅଧିକାରୀଙ୍କ ଉପସ୍ଥିତିରେ ଡିଜି ପଡିଆ ଓ ଷ୍ଟାଡିୟମ ବୁଲି ଦେଖିଛନ୍ତି। ମ୍ୟାଚକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବାକୁ ଡିଜି ସମସ୍ତଙ୍କ ସହ ଆଲୋଚନା କରିଛନ୍ତି।