କଟକ: ବାରବାଟୀ ମୁକାବିଲା ପାଇଁ ପଡ଼ିଆ ପ୍ରସ୍ତୁତ, ଦର୍ଶକ। ଅପେକ୍ଷା ଟସ୍ ସମୟକୁ। ଏହା ମଧ୍ୟରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଓ ସପୋର୍ଟ ଷ୍ଟାଫ ଷ୍ଟାଡିୟମରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥାରେ ଖେଳାଳି ଭୁବନେଶ୍ଵରର ହୋଟେଲ୍ ମେ ଫେୟାରରୁ ବାହାରି ବାରବାଟୀ ଷ୍ଟାଡିୟମ ଯାଇଛନ୍ତି। ମ୍ୟାଚ୍ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଷ୍ଟାଡିୟମରେ ପହଞ୍ଚିଛନ୍ତି।

ମ୍ୟାଚ୍ ୭ଟାରୁ ଆରମ୍ଭ ହେଉଥିବା ବେଳେ ଟସ୍ ୬ଟା ୩୦ରେ ପଡ଼ିବ। ଏହା ପୂର୍ବରୁ ଦୁଇ ଦଳର ଖେଳାଳି ପ୍ରାକ୍ଟିସ କରିବେ। ଅନ୍ୟପଟେ ଗେଟ୍ ଅପରାହ୍ଣ ୪ଟାରୁ ଖୋଲିବା ପରେ ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀରେ ପ୍ରବେଶ କରୁଛନ୍ତି ଦର୍ଶକ। ଷ୍ଟାଡିୟମ ଚାରି ପଟେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ବେଳେ ଉତ୍ସାହ ଚରମରେ ପହଞ୍ଚିଛି। ସବୁ ଗ୍ୟାଲେରୀ ଧିରେ ଧିରେ ଭରିବାରେ ଲାଗିଛି।

​​​​​​​

ଆଜି ଦୁଇ ଦେଶ ମଧ୍ୟ ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ । ଏଥିପାଇଁ ଦୁଇ ଦଳ ପଡ଼ିଆରେ ଆଜି ବେଶ ଝାଳ ବୁହାଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଦଳ । ପୂର୍ବରୁ ଟେଷ୍ଟ ସିରିଜରେ ଭାରତ ୨-୦ ରେ ହାରିଥିବା ବେଳେ ୱାନଡେ ସିରିଜକୁ କିନ୍ତୁ ୨-୧ ରେ ଜିତି ନେଇଛି। ଏବେ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚକୁ ଜିତି ସିରିଜରେ ଆଗକୁ ବଢିବାକୁ ଦୁଇ ଦଳ ଚେଷ୍ଟା କରିବେ । ଟି-ଟ୍ବେଣ୍ଟିରେ ଦୁଇ ଦଳ କିନ୍ତୁ ଖୁବ୍ ଶକ୍ତିଶାଳୀ ।

ଭାରତୀୟ ଟିମର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍ , ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନ୍ଙ୍କ ଭଳି ବ୍ୟାଟର ଥିବା ବେଳେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ୱାସିଂଟନ୍ ସୁନ୍ଦରଙ୍କ ଭଳି ଅଲରାଉଣ୍ଡର ଅଛନ୍ତି । ସେହିଭଳି ବୁମରା , ଅର୍ଶଦୀପ, ହର୍ଷିତ ରାଣାଙ୍କ ଭଳି ସିମର, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ସ୍ପେଶାଲିଷ୍ଟ ସ୍ପିନର ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିବେ । କ୍ୟାପଟେନ୍ ସୂର୍ଯ୍ୟକୁମାର କହିଛନ୍ତି ଟି-ଟ୍ବେଣ୍ଟି ମୁକାବିଲା ପାଇଁ ଆମେ ପ୍ରସ୍ତୁତ । ଟିମ ଏବେ ଭଲ ଫର୍ମରେ ଅଛି, ତେଣୁ ବାରବାଟୀ ମୁକାବିଲା ଖୁବ ରୋମାଞ୍ଚକର ହେବ ।

ଘରୋଇ ବାରବାଟୀରେ କିନ୍ତ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ । ପୂର୍ବରୁ ଏଠାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟ୍ବେଣ୍ଟି ଖେଳାଯାଇଛି । ହେଲେ ସବୁ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତି ପାରିଛି ଭାରତ । କିନ୍ତୁ ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି-ଟ୍ବେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ । କିନ୍ତୁ ଚଳିତ ସିଜିନରେ ଦକ୍ଷିଣ ଆଫ୍ରିକାର ପରଫର୍ମାନ୍ସ ମଧ୍ୟ ଚମତ୍କାର ରହିଛି ।