ନୂଆଦିଲ୍ଲୀ/ ଭୁବନେଶ୍ୱର: ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଜାରି ରହିଛି। ଏଥିରେ ଏସବିଆଇ, ପିଏନ୍ବି, ଏବଂ ୟୁନିଅନ୍ ବ୍ୟାଙ୍କ ସମେତ ଦେଶର ସରକାରୀ ଏବଂ କିଛି ଘରୋଇ ବ୍ୟାଙ୍କ ବନ୍ଦ ରହିଛି। ଏଥିରେ ପୂରା ଦେଶରେ ବ୍ୟାଙ୍କିଙ୍ଗ ସିଷ୍ଟମ ଏକପ୍ରକାର ଠପ୍ ହୋଇଯାଇଛି। ଫଳରେ ଚେକ୍ କ୍ଲିୟରାନ୍ସ,, ନଗଦ ଜମା ଏବଂ ଉଠାଣ, ଏଫ୍ଡି ରିନ୍ୟୁ ଏବଂ ସରକାରୀ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଟିଏମ୍ରେ ଟଙ୍କା ଖାଲି ହେବାକୁ ବସିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ସେବା ନ ପାଇ ଗ୍ରାହକ ହନ୍ତ ସନ୍ତ ହୋଇଛନ୍ତି।।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଏକ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ସପ୍ତାହରେ ମାତ୍ର ୫ ଦିନ ବ୍ୟାଙ୍କ କାର୍ଯ୍ୟ ଦିବସ, ପିଏଲ୍ଆଇ,ଅନ୍ୟାନ୍ୟ ଦାବି ନେଇ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି।

ଆଜି ଶୁକ୍ରବାର ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ମାସର ଦ୍ଵିତୀୟ ଶନିବାର, ରବିବାର ଓ ଗଣେଶ ପୂଜା ପାଇଁ ସୋମବାର ବ୍ୟାଙ୍କ ଛୁଟି ରହିବ। ଏହି ଦିନଗୁଡ଼ିକରେ ମୁଖ୍ୟତଃ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପ୍ରଭାବିତ ହେବ। ଓଡ଼ିଶାରୁ ଏହି ଧର୍ମଘଟରେ ପ୍ରାୟ ୫୦ ହଜାର କର୍ମଚାରୀ ସାମିଲ ହେବା ନେଇ ଖବର ରହିଛି।

ଦିନିକିଆ ଦେଶବ୍ୟାପୀ ଧର୍ମଘଟ ପରେ ଯଦି ଦାବିଗୁଡ଼ିକ ପୂରଣ ନ ହେବ ତେବେ ଚଳିତ ମାସ ୨୮ରୁ ୩୦ ପର୍ଯ୍ୟନ୍ତ ଧର୍ମଘଟ ହେବ। ଏହାପରେ ଆସନ୍ତା ଅକ୍ଟୋବର ୨୬ ପରଠାରୁ ଆମରଣ ଅନଶନ କରାଯିବ ବୋଲି ବ୍ୟାଙ୍କ ସଂଘ ଚେତାବନୀ ଦେଇଛି।

Also Read- FASTag Portability: ଏଣିକି ବ୍ୟାଙ୍କ ବଦଳାଇଲେ ବି ଚିନ୍ତା ନାହିଁ, ଆସିଗଲା ୱାନଟାଗ, ମୋବାଇଲ୍ ସିମ୍ ଭଳି ପୋର୍ଟ କରି ହେବ ଫାସଟାଗ

ପାଞ୍ଚଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ପାଇଁ ୨୦୨୪ରେ ନିଷ୍ପତ୍ତି ହୋଇଥିଲା। ସବୁ ଶନିବାର ଛୁଟି ହେବ ବୋଲି କୁହାଯାଇଥିଲା। ଏହା ବଦଳରେ କର୍ମଚାରୀମାନେ ସୋମବାରରୁ ଶୁକ୍ରବାର ଅତିରିକ୍ତ ୪୦ ମିନିଟ୍ କାମ କରିବେ ବୋଲି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ନିଷ୍ପତ୍ତ ଲାଗୁ କରାଯାଉ ନଥିବାରୁ କର୍ମଚାରୀମାନେ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି। ଏହି ଧର୍ମଟରେ ୟୁପିଆଇ,ମୋବାଇଲ ବ୍ୟାଙ୍କିଙ୍ଗ୍, ଓ ଏଟିଏମ୍ ଭଳି ଡିଜିଟାଲ ସେବା ଜାରି ରହିଛି। ହେଲେ ଆଗକୁ ଏଟିଏମ୍ରେ ଟଙ୍କା ମଧ୍ୟ ସରିଯିବ ବୋଲି ଆକଳନ କରାଯାଉଛି।

ସେପଟେ ଏହି ଧର୍ମଘଟ ଯୋଗୁ ମଧ୍ୟପ୍ରଦେଶରେ ମାତ୍ର ଗୋଟିଏ ଦିନରେ ୫, ୫୦୦ କୋଟି ଟଙ୍କାର ବ୍ୟାଙ୍କ ବ୍ୟବସାୟକୁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଖାଲି ମଧ୍ୟ ପ୍ରଦେଶରେ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇଛି।

୫ ଦିନିଆ ବ୍ୟାଙ୍କିଂ ଉପରେ ୨ ବର୍ଷ ଧରି ଅଟକିଛି ମଞ୍ଜୁରୀ, ପିଏଲଆଇ ନିୟମକୁ ନେଇ ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU)ର କହିବା ଅନୁଯାୟୀ, ୮ ମାର୍ଚ୍ଚ ୨୦୨୪ରେ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (IBA) ସହ ୧୨ତମ ଦ୍ୱିପାକ୍ଷିକ ଚୁକ୍ତି ଏବଂ ୯ ତମ ଜଏଣ୍ଟ ନୋଟ୍ରେ ସ୍ୱାକ୍ଷର ହୋଇଥିଲା। ଏଥିରେ ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ନେଇ ସହମତି ହୋଇଥିଲା।

ପ୍ରସ୍ତାବ ଅନୁଯାୟୀ, ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀମାନେ ପ୍ରତିଦିନ ଅତିରିକ୍ତ ୪୦ ମିନିଟ୍ କାମ କରିବେ। ଆଇବିଏ ଏହି ପ୍ରସ୍ତାବକୁ ଅନୁମୋଦନ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲା। କିନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିନାହିଁ ବୋଲି ଏଫ୍ବିୟୁ କହିଛି।

କ’ଣ ରହିଛି ୫ ଦିନିଆ ବ୍ୟାଙ୍କିଂ ପ୍ରସ୍ତାବରେ?

ବର୍ତ୍ତମାନ ବ୍ୟାଙ୍କଗୁଡ଼ିକରେ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହୁଛି। ପ୍ରସ୍ତାବିତ ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ ହେଲେ ପ୍ରତ୍ୟେକ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଏହା ବଦଳରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତିଦିନ କାର୍ଯ୍ୟ ସମୟ ୪୦ ମିନିଟ୍ ବଢ଼ାଯିବ।

ପିଏଲ୍ଆଇ ନିୟମକୁ ନେଇ ବିବାଦ

ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ପରଫର୍ମାନ୍ସ ଲିଙ୍କ୍ଡ ଇନସେଣ୍ଟିଭ୍ (PLI) ଗାଇଡ୍ଲାଇନ୍କୁ ମଧ୍ୟ ବିରୋଧ କରିଛନ୍ତି। ଏହି ଯୋଜନା ଭେଦଭାବପୂର୍ଣ୍ଣ ବୋଲି ୟୁନିଅନ୍ଗୁଡ଼ିକ ଅଭିଯୋଗ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ସ୍କେଲ୍-IV ଏବଂ ତା’ଠାରୁ ଉପର ପାହ୍ୟାର ଅଧିକାରୀମାନେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସର୍ବାଧିକ ୩୬୫ ଦିନର ବେସିକ୍ ପେ’ ସହ ସମାନ ପିଏଲଆଇ ପାଇପାରିବେ। ଅନ୍ୟପଟେ, ୱର୍କମେନ୍ ଏବଂ ସ୍କେଲ୍-Iରୁ III ପର୍ଯ୍ୟନ୍ତ କର୍ମଚାରୀଙ୍କୁ ସର୍ବାଧିକ ୧୫ ଦିନର ବେସିକ୍ ପେ’ ସହ ମହଙ୍ଗା ଭତ୍ତା ଆଧାରରେ ଇନସେଣ୍ଟିଭ୍ ମିଳିବ।

ଏଥିରେ ୟୁଏଫବିୟୁର ଯୁକ୍ତି ହେଉଛି, ପିଏଲଆଇ ସମ୍ପୂର୍ଣ୍ଣ ଭାବେ ବ୍ୟାଙ୍କର ସାମଗ୍ରିକ ପ୍ରଦର୍ଶନ ଉପରେ ଆଧାରିତ ହେବା ଉଚିତ। ସ୍କେଲ୍-VII ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ସମାନ ଦିନର ଇନସେଣ୍ଟିଭ୍ ମିଳିବା ଉଚିତ ବୋଲି ସଂଘ ଦାବି କରିଛି। ନୂଆ ନିୟମ ଆଇବିଏ ଏବଂ ବ୍ୟାଙ୍କ ୟୁନିଅନ୍ଗୁଡ଼ିକ ମଧ୍ୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ ବୋଲି ମଧ୍ୟ ଅଭିଯୋଗ ହୋଇଛି।

Also Read- ବ୍ରିକ୍ସରେ ଡିଜିଟାଲ କରେନ୍ସି ଯୋଡ଼ିବାର ପ୍ରସ୍ତାବ ରଖିବ ଭାରତ: ଡଲାର ଦାଦାଗିରିରୁ ମୁକ୍ତି ପାଇବାର ଚେଷ୍ଟା କି ?

ଦିଲ୍ଲୀ ହାଇକୋର୍ଟ ଓ ଶ୍ରମ କମିଶନରଙ୍କ ନିକଟରେ ମାମଲା

ପିଏଲ୍ଆଇ ଯୋଜନାକୁ ନେଇ ବିବାଦ ଏବେ ମୁଖ୍ୟ ଶ୍ରମ କମିଶନରଙ୍କ ନିକଟରେ ସମାଧାନ ପ୍ରକ୍ରିୟାରେ ରହିଛି। ଏହା ବ୍ୟତୀତ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଇନସେଣ୍ଟିଭ୍ ଯୋଜନାରେ ସଂଶୋଧନ କରିବାକୁ ୟୁନିଅନ୍ଗୁଡ଼ିକ ଦାବି କରିଛନ୍ତି।

ପେନସନ୍ ଅପଡେସନ୍ ଓ ଓପିଏସ୍ ପାଇଁ ମଧ୍ୟ ଦାବି

୫ ଦିନିଆ ବ୍ୟାଙ୍କିଂ ଏବଂ ପିଏଲଆଇ ବିବାଦ ବ୍ୟତୀତ ବ୍ୟାଙ୍କ ୟୁନିଅନ୍ଗୁଡ଼ିକ ଅନେକ ପୁରୁଣା ଦାବିକୁ ପୁଣିଥରେ ଉଠାଇଛନ୍ତି। ସେଥିମଧ୍ୟରେ ରହିଛି

ସମସ୍ତ ପେନସନ୍ଭୋଗୀଙ୍କ ପେନସନ୍ ଅପଡେସନ୍ ଏବଂ ସଂଶୋଧନ।
ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସମାନ ମହଙ୍ଗା ଭତ୍ତା (DA) ଫର୍ମୁଲା।
ଏନପିଏସ୍ ଅଧୀନରେ ଥିବା କର୍ମଚାରୀଙ୍କୁ ଅଲ୍ଡ ପେନସନ୍ ସ୍କିମ୍ (OPS)କୁ ସ୍ଥାନାନ୍ତର ହେବାର ବିକଳ୍ପ ପ୍ରଦାନ।