ମୁମ୍ବାଇ: ଫାସଟାଗ୍ ବ୍ୟବହାରକାରୀଙ୍କ ଆଶ୍ୱସ୍ତିର ଖବର। ଏଣିକି ଫାସଟାଗ୍ ସହ ଜଡ଼ିତ ବ୍ୟାଙ୍କ ବଦଳାଇବା ପାଇଁ ଗାଡ଼ିର ୱିଣ୍ଡସିଲ୍ଡରେ ଲାଗିଥିବା ପୁରୁଣା ଷ୍ଟିକର ହଟାଇବା କିମ୍ବା ନୂଆ ଫିଜିକାଲ୍ ଟ୍ୟାଗ୍ ଲଗାଇବାର ଆବଶ୍ୟକତା ରହିବ ନାହିଁ। ଏଣିକି ମୋବାଇଲ୍ ସିମ୍ ଭଳି ଫାସଟାଗ୍କୁ ମଧ୍ୟ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ପୋର୍ଟ କରାଯାଇପାରିବ। ‘ୱାନଟାଗ୍’ (OneTag) ନାମକ ଏହି ନୂଆ ସେବାକୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଶୁକ୍ରବାର ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୬ ସମୟରେ ଲଞ୍ଚ୍ କରିଛନ୍ତି। ଏହି ନୂଆ ସେବାର କଣ ସବୁ ବଦଳିବ ଆସନ୍ତୁ ଜାଣିବା।

ୱାନଟ୍ୟାଗ୍ ଦ୍ୱାରା କ’ଣ ବଦଳିବ?

ଏପର୍ଯ୍ୟନ୍ତ ଫାସଟାଗ୍ ବ୍ୟବହାରକାରୀ ନିଜ ବ୍ୟାଙ୍କ ବଦଳାଇବାକୁ ଚାହିଁଲେ ପ୍ରଥମେ ପୁରୁଣା ଫାସଷ୍ଟାଗ୍ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ୁଥିଲା। ଏହା ପରେ ନୂଆ ବ୍ୟାଙ୍କରେ ପୁଣି ଅନବୋର୍ଡିଂ ପ୍ରକ୍ରିୟା ପୂରଣ କରି ନୂଆ ଫିଜିକାଲ୍ ଷ୍ଟିକର ନେବାକୁ ପଡ଼ୁଥିଲା । ହେଲେ ନୂଆ ବ୍ୟବସ୍ଥାରେ ଏଣିକି ପୁରୁଣା ଫାସଟାଗ୍ ଆକାଉଣ୍ଟ ବନ୍ଦ କରିବାର ଆବଶ୍ୟକତା ନାହିଁ। ଗାଡ଼ିରେ ଲାଗିଥିବା ସେହି ଗୋଟିଏ ଫାସଟାଗ୍ ଷ୍ଟିକରକୁ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କ ମଧ୍ୟରେ ଏହାକୁ ପୋର୍ଟ କରାଯାଇପାରିବ।

ଟୋଲ୍ ପ୍ଲାଜାରେ କୌଣସି ପରିବର୍ତ୍ତନ ନାହିଁ

ଫାସଟାଗ୍ ପୋର୍ଟ କରିବା ପରେ ଟୋଲ୍ ପ୍ଲାଜାରେ ଟୋଲ୍ ଟଙ୍କା କଟିବାର ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଗାଡ଼ି ଚାଳକଙ୍କୁ ଟୋଲ୍ ପ୍ଲାଜାରେ ଗାଡ଼ି ଅଟକାଇବା କିମ୍ବା କୌଣସି ନୂଆ ପ୍ରକ୍ରିୟା କରିବାକୁ ପଡ଼ିବ ନାହିଁ। ବ୍ୟାକଏଣ୍ଡରେ ସମସ୍ତ କମ୍ପ୍ୟୁଟର ସିଷ୍ଟମ୍‌କୁ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍ (NETC) ବ୍ୟବସ୍ଥା ମାଧ୍ୟମରେ ଏନପିସିଆଇ ପରିଚାଳନା କରିବ। ନୂଆ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଆପେଆପେ ଅପଡେଟ୍ ହୋଇଯିବ। ଅର୍ଥାତ୍ ଫାସଟାଗ୍ ବ୍ୟବହାରକାରୀଙ୍କ ପାଇଁ ଟୋଲ୍ ପ୍ଲାଜା ଦେଇ ଯିବାର ପ୍ରକ୍ରିୟା ପୂର୍ବଭଳି ରହିବ।

​​​​​​​

Also Read- ପାର୍ବଣ ପୂର୍ବରୁ ରେଳବାଇର ବଡ଼ ରେକର୍ଡ, ଗୋଟିଏ ଦିନରେ ବିକ୍ରି ହେଲା ୨୦ ଲକ୍ଷରୁ ଅଧିକ ଟିକେଟ୍‌

ପ୍ଲାଷ୍ଟିକ୍ ବର୍ଜ୍ୟ କମିବ, ରି-ଇସ୍ୟୁ ଖର୍ଚ୍ଚ ବଞ୍ଚିବ

ସରକାର ଆଶା କରୁଛି ଯେ ଫାସଟାଗ୍ ପୋର୍ଟେବିଲିଟି ସେବା ଯୋଗୁ ବାରମ୍ବାର ନୂଆ ଫିଜିକାଲ୍ ଫାସଟାଗ୍ ତିଆରି, ଡିସ୍‌ପାଚ୍ ଏବଂ ରି-ଇସ୍ୟୁ କରିବାର ଆବଶ୍ୟକତା ବହୁତ କମିଯିବ। ଏହା ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ପାଇବା ସହ ପରିବେଶ ଏବଂ ସମ୍ପଦର ସଞ୍ଚୟ ହୋଇପାରିବ।

ଜାଣନ୍ତୁ ଏନଇଟିସି ଓ ଆରଏଫ୍‌ଆଇଡି କ’ଣ?

ଆରଏଫ୍‌ଆଇଡି ବା ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଏହା ଏକ ୱାୟରଲେସ୍ ଟେକ୍ନୋଲୋଜୀ। ରେଡିଓ ତରଙ୍ଗର ବ୍ୟବହାର କରି ଫାସଟାଗ୍ ଷ୍ଟିକରରେ ଥିବା ଚିପ୍‌ରୁ ତଥ୍ୟ ପଢ଼ାଯାଏ। ଏହା ଫଳରେ ଗାଡ଼ିକୁ ଅଟକାଇବା ବିନା ଟୋଲ୍ ଟଙ୍କା ସଂଗ୍ରହ କରାଯାଇପାରେ।

ଏନଇଟିସି ବା ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍:
​​​​​​​
ଏନଇଟିସି ହେଉଛି ଏନ୍‌ପିସିଆଇ ଦ୍ୱାରା ବିକଶିତ ଏକ ଇଣ୍ଟରଅପରେବଲ୍ ଡିଜିଟାଲ୍ ପ୍ଲାଟଫର୍ମ। ଏହା ଦେଶର ବିଭିନ୍ନ ଟୋଲ୍ ପ୍ଲାଜା, ବ୍ୟାଙ୍କ ଏବଂ ଯାନବାହନ ମାଲିକଙ୍କୁ ଗୋଟିଏ ଡିଜିଟାଲ୍ ନେଟୱର୍କ ସହ ଯୋଡ଼ିଥାଏ। ଏହି ନୂଆ ୱାନଟ୍ୟାଗ୍ ବ୍ୟବସ୍ଥା ଫାସଟ୍ୟାଗ୍ ବ୍ୟବହାରକାରୀଙ୍କୁ ବ୍ୟାଙ୍କ ବଦଳାଇବା ସମୟରେ ଅଧିକ ସୁବିଧା ଦେବା ସହିତ ନୂଆ ଟ୍ୟାଗ୍ ଇସ୍ୟୁ କରିବାର ଆବଶ୍ୟକତାକୁ ମଧ୍ୟ କମାଇବ।