କଟକ ୧୩।୧: ରାଜ୍ୟରେ କେତେ ସଂଖ୍ୟକ ବାଂଲାଦେଶୀ ଅଛନ୍ତି । ଅନୁପ୍ରବେଶକାରୀ ଭାବେ କେତେ ଜଣ ଚିହ୍ନଟ ହୋଇଛନ୍ତି, ସେନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ତେଣୁ ୨ ସପ୍ତାହ ମଧ୍ୟରେ ସବିଶେଷ ବିବରଣୀ ଦେବା ଲାଗି ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବାଂଲାଦେଶୀଙ୍କ ଅନୁପ୍ରବେଶ ରୋକିବା ପାଇଁ ରାଜ୍ୟ ସରକାର ଗତ ବର୍ଷ ଜୁନ୍ ମାସରେ ଏସଟିଏଫ ଗଠନ କରିଛନ୍ତି । ଯାହା ଜରିଆରେ ଅନୁପ୍ରବେଶ ରୋକିବା, ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିଷ୍ପତ୍ତି ହୋଇଛି ।

ତେବେ ପୂର୍ବ ସରକାର ଅମଳରେ ଚିହ୍ନଟ ହୋଇଥିବା ବାଂଲାଦେଶୀଙ୍କ ସଂଖ୍ୟା ଏବଂ ବର୍ତ୍ତମାନର ସଂଖ୍ୟା ଭିତରେ ଅନେକ ଫରକ ରହିଛି । ଯାହାକୁ ନେଇ ଆବେଦନକାରୀ ଆଜି ଶୁଣାଣି ସମୟରେ ଆପତ୍ତି ଉଠାଇଛନ୍ତି । ତେଣୁ ଆସନ୍ତା ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦେବା ଲାଗି ଆଜି ରାଜ୍ୟ ଗୃହ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।