ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କଲେ ତାରିକ ରହମାନ୍ । ବକେୟା ଦେୟ ନଥିବାରୁ ବାଂଲାଦେଶ ଭାରତୀୟ ବଜେଟ୍ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ ବାରଣ କରିଛନ୍ତି ।ଏବେ କୋଲକାତାରୁ ଗୌହାଟି ଏବଂ ଇମ୍ଫାଲକୁ ଯାଉଥିବା କିଛି ବିମାନ ଲମ୍ବା ରୁଟ୍ ନେବାକୁ ବାଧ୍ୟ ହେଉଛନ୍ତି। ଏହା ଉଡ଼ାଣ ସମୟ ଏବଂ ପରିଚାଳନା ଖର୍ଚ୍ଚ ବଢ଼ାଇଛି।

ସ୍ପାଇସଜେଟ୍ର ମୁଖପାତ୍ର ଗୁରୁବାର (ଫେବୃଆରୀ ୧୯) କହିଛନ୍ତି ଯେ, ବିମାନ କମ୍ପାନୀ ନାଭିଗେସନ ଫି ସମେତ ପରିଚାଳନାଗତ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ଅଛି। ଏହି ସମସ୍ୟାଗୁଡ଼ିକୁ ଶିଳ୍ପ ପାଇଁ ସାଧାରଣ । ସେ କହିଛନ୍ତି ଯେ, ସମାଧାନ ପାଇଁ ଗଠନମୂଳକ ଭାବରେ କାର୍ଯ୍ୟ କରାଯାଉଛି ଏବଂ ନିୟମ ଅନୁଯାୟୀ ସୂଚୀବଦ୍ଧ ବିମାନ ସେବା ଜାରି ରହିଛି ।

ସେ କହିଛନ୍ତି ଯେ, ସମସ୍ତ ବିମାନ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପରିଚାଳିତ ହେଉଛି। ଯାତ୍ରୀମାନେ ପ୍ରଭାବିତ ହୋଇନାହାନ୍ତି । ଆକାଶ ମାର୍ଗ ବନ୍ଦ ହେବା ଯୋଗୁଁ, କିଛି ବିମାନକୁ ବିକଳ୍ପ ରାସ୍ତା ନେବାକୁ ପଡୁଛି। ସୂତ୍ର ଅନୁଯାୟୀ, ବକେୟା ଦେୟ ପରିଶୋଧ ନକରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ସ୍ପାଇସଜେଟ୍ କେତେ ବକେୟା ପୈଠ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ବିମାନ କମ୍ପାନୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି।

ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ, କିଛି ସ୍ପାଇସଜେଟ୍ ବିମାନ ବାଂଲାଦେଶୀ ଏୟାରସ୍ପେସକୁ ଏଡାଇବା ପାଇଁ ବିକଳ୍ପ ଏବଂ ଲମ୍ବା ରୁଟ୍ ନେଉଛନ୍ତି। ସେପଟେ ସ୍ପାଇସଜେଟର ସେୟାର ପ୍ରାୟ ୧ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ଡିସେମ୍ବର ୨୦୨୫ ତ୍ରୈମାସିକରେ ୨୬୯.୨୭ କୋଟି ଟଙ୍କାର କ୍ଷତି ନେଇ ରିପୋର୍ଟ କରିଛି ସ୍ପାଇସଜେଟ୍।