ଢାକା: ଦୀର୍ଘଦିନ ଧରି ଅମିମାଂଶିତ ରହିଥିବା ତିସ୍ତା ନଦୀ ଜଳ ବଣ୍ଟନ ପ୍ରସଙ୍ଗକୁ ନେଇ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଖରାପ ହେଉ ବୋଲି ବାଂଲାଦେଶ ଚାହୁଁନାହିଁ ବୋଲି ଦେଶର ଜଳସମ୍ପଦ ମନ୍ତ୍ରୀ ଶାହିଦୁଦ୍ଦିନ ଚୌଧୁରୀ ଆନି କହିଛନ୍ତି। ତିସ୍ତା ନଦୀର ସମନ୍ୱିତ ପରିଚାଳନା ଓ ପୁନରୁଦ୍ଧାର ପ୍ରକଳ୍ପକୁ ଚୀନ୍ର ସହଯୋଗରେ ଆଗକୁ ବଢ଼ାଇବାକୁ ଢାକା ଉଦ୍ୟମ କରୁଥିବା ସମୟରେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି।

ଢାକାରେ ଏକ ସେମିନାରରେ ଆନି କହିଛନ୍ତି ଯେ, ଭାରତ ନିଜ ସ୍ୱାର୍ଥ ସହ ବାଂଲାଦେଶର ସ୍ୱାର୍ଥକୁ ମଧ୍ୟ ବିଚାର କରିବା ଆବଶ୍ୟକ। “ବନ୍ଧୁ ଦେଶ ଜଣେ ବନ୍ଧୁଙ୍କ ସ୍ୱାର୍ଥର ସୁରକ୍ଷା କରିବା ଉଚିତ। ଆମେ କେବେ ବି ଭାରତ ସହ ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଖରାପ ହେଉ ବୋଲି ଚାହୁଁନାହୁଁ,” ବୋଲି ସେ କହିଛନ୍ତି। l

ବାଂଲାଦେଶର ଟିବିଏସ୍ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, " ପଡୋଶୀ ଦେଶ(ଭାରତ) ଜଣେ ବନ୍ଧୁ ରାଷ୍ଟ୍ର। ସେମାନେ ସେମାନଙ୍କ ସ୍ୱାର୍ଥ ଚିନ୍ତା କରିବେ, ଆମେ ମଧ୍ୟ ଆମ ସ୍ୱାର୍ଥ ଚିନ୍ତା କରିବୁ। ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁର ସ୍ୱାର୍ଥକୁ ସୁରକ୍ଷା ଦେବା ଦରକାର। ତାଙ୍କ ସହ ଥିବା ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଖରାପ ହେଉ ଏକଥା ଆମେ ଚାହୁଁ ନାହୁଁ।" ତେବେ ଏହା ବାଂଲାଦେଶର ଭାରତକୁ ଧମକ ନା ସତରେ ଭାରତ ପ୍ରତି ବାଂଲାଦେଶ ଯତ୍ନଶୀଳ ବୋଲି ଦର୍ଶାଉଛି ? ଏହାକୁ ନଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଚୀନ୍ ସହଯୋଗରେ ତିସ୍ତା ପ୍ରକଳ୍ପ

ତିସ୍ତା ନଦୀକୁ ନେଇ ବାଂଲାଦେଶ ପକ୍ଷରୁ ପ୍ରସ୍ତାବିତ ‘ତିସ୍ତା ରିଭର କମ୍ପ୍ରିହେନ୍ସିଭ୍ ମ୍ୟାନେଜମେଣ୍ଟ ଆଣ୍ଡ ରେଷ୍ଟୋରେସନ୍ ପ୍ରୋଜେକ୍ଟ’ରେ ଚୀନ୍ର ସହଯୋଗ ରହିଛି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଉତ୍ତର ବାଂଲାଦେଶରେ ବନ୍ୟା, ନଦୀକୂଳ ଲଂଘିବା, ଏବଂ ଶୁଷ୍କ ଋତୁରେ ଜଳାଭାବ ଭଳି ସମସ୍ୟାର ସମାଧାନ କରିବା। ଫେବ୍ରୁଆରୀ ନିର୍ବାଚନ ପରଠାରୁ ପ୍ରକଳ୍ପ ସମ୍ପର୍କରେ ବିଶେଷଜ୍ଞଙ୍କ ମତାମତ ନେବା ପାଇଁ ଅନେକ ସେମିନାର ଓ ପରାମର୍ଶ ବୈଠକ କରାଯାଇଛି ବୋଲି ଆନି କହିଛନ୍ତି। ଏହି ସୁପାରିଶ ଆଧାରରେ ବିସ୍ତୃତ ଅଧ୍ୟୟନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିର୍ଣ୍ଣୟ ହେବ।

Also Read- ଜଲଦି ହସ୍ପିଟାଲ୍ ନିଅ... ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ପାକିସ୍ତାନ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ

ମନ୍ତ୍ରୀଙ୍କ ଅନୁସାରେ, ଉତ୍ତର ବାଂଲାଦେଶର ୫ରୁ ୬ଟି ଜିଲ୍ଲାର ଲୋକେ ଦୀର୍ଘଦିନ ଧରି ନଦୀ ଖୂଳ ଖାଇବା ଓ ଅନ୍ୟାନ୍ୟ ସମସ୍ୟାରେ ଭୋଗୁଛନ୍ତି। ତିସ୍ତା ପ୍ରକଳ୍ପ ରୂପାୟନ ନହେଲେ ଏହି ଅଞ୍ଚଳର ପରିବାରଗୁଡ଼ିକର କ୍ଷତି ଓ ସମସ୍ୟା ଆହୁରି ବଢ଼ିବ ବୋଲି ସେ କହିଛନ୍ତି।

ଦଶନ୍ଧି ଧରି ଅଟକିଛି ତିସ୍ତା ଚୁକ୍ତି

ତିସ୍ତା ନଦୀ ହିମାଳୟରୁ ଉତ୍ପତ୍ତି ହୋଇ ସିକ୍କିମ ଓ ପଶ୍ଚିମବଙ୍ଗ ଦେଇ ବାଂଲାଦେଶରେ ପ୍ରବେଶ କରେ। ପରେ ଏହା ଜମୁନା ନଦୀରେ ମିଶିଯାଏ। ଉତ୍ତର ବାଂଲାଦେଶର କୃଷି ଓ ଜୀବିକା ପାଇଁ ତିସ୍ତାର ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ପଶ୍ଚିମବଙ୍ଗ ପାଇଁ ମଧ୍ୟ ଏହାର ଜଳ ଜଳସେଚନ ଓ ଅନ୍ୟାନ୍ୟ ଆବଶ୍ୟକତାରେ ଗୁରୁତ୍ୱ ବହନ କରେ।

୧୯୮୦ ଦଶକରୁ ଭାରତ ଓ ବାଂଲାଦେଶ ତିସ୍ତା ଜଳ ବଣ୍ଟନ ନେଇ ଆଲୋଚନା କରିଆସୁଛନ୍ତି। ୧୯୮୩ରେ ହୋଇଥିବା ଅନ୍ତରୀଣ ବ୍ୟବସ୍ଥା ଅନୁଯାୟୀ ୩୯ ପ୍ରତିଶତ ଜଳ ଭାରତ, ୩୬ ପ୍ରତିଶତ ବାଂଲାଦେଶ ଏବଂ ୨୫ ପ୍ରତିଶତ ଜଳର ବଣ୍ଟନ ହୋଇପାରି ନଥିଲା। ୨୦୧୧ରେ ଏକ ଅନ୍ତରୀଣ ଚୁକ୍ତିର ଖସଡ଼ା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ଚୂଡ଼ାନ୍ତ ରୂପ ନେଇପାରିନଥିଲା। ପଶ୍ଚିମବଙ୍ଗର ତତ୍କାଳୀନ ତୃଣମୂଳ କଂଗ୍ରେସ ସରକାର ରାଜ୍ୟରେ ଜଳ ଉପଲବ୍ଧତାକୁ ନେଇ ଚିନ୍ତା ପ୍ରକାଶ କରିବା ପରେ ଚୁକ୍ତି ଅଟକି ଯାଇଥିଲା।

ତିସ୍ତାକୁ ନେଇ ବଢ଼ୁଛି ଚୀନର ଭୂମିକା

ଜୁନ୍ରେ ବେଜିଂ ଗସ୍ତ ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ଚୀନ୍ ନେତାମାନଙ୍କ ସହ ଆଲୋଚନା କରିଥିଲେ। ତିସ୍ତା ପୁନରୁଦ୍ଧାର ପ୍ରକଳ୍ପର ବୈଷୟିକ ସମ୍ଭାବ୍ୟତା ଅଧ୍ୟୟନକୁ ଶୀଘ୍ର କରିବା ପାଇଁ ବେଜିଂ ପକ୍ଷରୁ ସହଯୋଗର ପ୍ରତିଶ୍ରୁତି ମିଳିଥିବା କୁହାଯାଇଛି।


ବାଂଲାଦେଶ ଜଳ ସମ୍ପଦ ମନ୍ତ୍ରୀ ଶାହିଦୁଦ୍ଦିନ ଚୌଧୁରୀ ଆନି

ତିସ୍ତା ଅଞ୍ଚଳ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସହ ଦେଶର ମୁଖ୍ୟ ଭୂ-ସଂଯୋଗ ‘ସିଲିଗୁଡ଼ି କରିଡର’ ନିକଟରେ ଥିବାରୁ ଚୀନର ଭୂମିକାକୁ ନେଇ ଭାରତରେ ରଣନୈତିକ ଚିନ୍ତା ମଧ୍ୟ ରହିଛି। ଭାରତ କହିଆସିଛି ଯେ ତିସ୍ତା ପ୍ରସଙ୍ଗର ସମାଧାନ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ଆଲୋଚନା ମାଧ୍ୟମରେ ହେବା ଆବଶ୍ୟକ, ଯେଉଁଥିରେ ପଶ୍ଚିମବଙ୍ଗ ମଧ୍ୟ ସାମିଲ। ଜୁଲାଇରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ ଯେ ପ୍ରସ୍ତାବିତ ତିସ୍ତା ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତ ବାଂଲାଦେଶକୁ ଜଣାଇ ଦିଆଯାଇଛି।

ତିସ୍ତା ଜଳ ବଣ୍ଟନ ପ୍ରସଙ୍ଗ ୧୯୯୬ର ଭାରତ-ବାଂଲାଦେଶ ଗଙ୍ଗା ଜଳ ବଣ୍ଟନ ଚୁକ୍ତିଠାରୁ ଅଲଗା। ଗଙ୍ଗା ଚୁକ୍ତିର ମିଆଦ ଡିସେମ୍ବର ୨୦୨୬ରେ ଶେଷ ହେବ। ଭାରତ ଓ ବାଂଲାଦେଶ ମଧ୍ୟରେ ୫୪ଟି ଆନ୍ତଃସୀମା ନଦୀ ରହିଛି ଏବଂ ଜଳସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଦୁଇ ଦେଶର ଯୁଗ୍ମ ନଦୀ କମିଶନ ମାଧ୍ୟମରେ ଆଲୋଚନା ହୋଇଥାଏ।