ଓ୍ୱାଶିଂଟନ୍‌: ଡ଼ରିଗଲେ ଟ୍ରମ୍ପ। ବ୍ୟାକଫୁଟରେ ଆମେରିକା ରାଷ୍ଟ୍ରପତି। ପ୍ରଥମେ ଯୁଦ୍ଧ ଧମକ ଦେଇ ଏବେ ୟୁଟର୍ଣ୍ଣ। ଦକ୍ଷିଣ କୋରିଆ ସାମରିକ ସମ୍ପର୍କକୁ ନେଇ ବଡ଼ ବଡ଼ କଥା କହୁଥିଲା ଓ୍ୱାଶିଂଟନ। ଆଉ ଏବେ ତୋକ ସମୟ ବେଳକୁ ଦେଲା ପଛଘୁଞ୍ଚା। ଦକ୍ଷିଣ କୋରିଆ ସହ ହେଉଥିବା ମିଳିତ ସାମରିକ ଅଭ୍ୟାସକୁ ବହୁମାତ୍ରାରେ କମାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଏହି ଘୋଷଣା ପରେ କୋରିଆ ଉପଦ୍ୱୀପରେ ଆମେରିକାର ଆଗାମୀ ରଣନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏହି ଘୋଷଣା କରିଛନ୍ତି। ରଣନୀତିରେ ବି କରିଛନ୍ତି ବଡ଼ ପରିବର୍ତ୍ତନ। ତାଙ୍କ ଯୁକ୍ତି—ଆମେରିକା-ଦକ୍ଷିଣ କୋରିଆ ମିଳିତ ସାମରିକ ଅଭ୍ୟାସ ଅତ୍ୟଧିକ ଖର୍ଚ୍ଚବହୁଳ। ଉତ୍ତର କୋରିଆ ପାଇଁ ଏହା ଏକ ଉସୁକାଇବା ଭଳି ପଦକ୍ଷେପ। ଏପରି ଅଭ୍ୟାସ ପ୍ୟୋଙ୍ଗୟାଙ୍ଗ ବିରୋଧରେ ଶତ୍ରୁତାପୂର୍ଣ୍ଣ ସଙ୍କେତ ଦେଉଛି। ଟ୍ରମ୍ପ ନିଜ ପୋଷ୍ଟରେ ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍-ଉନ୍ଙ୍କ ସହ ନିଜର ‘ଭଲ ସମ୍ପର୍କ’ର କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା କଥା, କିମ୍ଙ୍କ ନେତୃତ୍ୱାଧୀନ ଉତ୍ତର କୋରିଆ ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଆମେରିକା ପାଇଁ କୌଣସି ବଡ଼ ବିପଦ ସୃଷ୍ଟି କରିନାହିଁ। ଏହି କାରଣରୁ ଉତ୍ତର କୋରିଆକୁ ନେଇ ଆମେରିକାର ସାମରିକ ଆଭିମୁଖ୍ୟରେ ନୂଆ ସନ୍ତୁଳନ ଆଣିବାକୁ ଟ୍ରମ୍ପ ଚାହୁଁଥିବା ସଙ୍କେତ ମିଳୁଛି।

ଟ୍ରମ୍ପ ତାଙ୍କ ପୋଷ୍ଟରେ ଆଉ ଏକ ରୋଚକ ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ସେ ନିକଟରେ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଇରାନ୍କୁ ପରମାଣୁ ଅସ୍ତ୍ରମୁକ୍ତ କରିବା ପ୍ରକ୍ରିୟାରେ ଆମେରିକା ସହ ଯୋଗଦେବାକୁ ପଚାରିଥିଲେ। ତେବେ ଦକ୍ଷିଣ କୋରିଆ ପକ୍ଷରୁ ଏହାକୁ ନା କୁହାଯାଇଥିବା ସେ ଦାବି କରିଛନ୍ତି। ଏହି ଘୋଷଣା ପରେ ଏକପଟେ ଦକ୍ଷିଣ କୋରିଆ ସହ ସାମରିକ ଅଭ୍ୟାସ ହ୍ରାସକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି, ଅନ୍ୟପଟେ ଆମେରିକାର ଏସିଆ ଓ ମଧ୍ୟପ୍ରାଚ୍ୟ ନୀତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି।

ଦକ୍ଷିଣ କୋରିଆ ସହ ସାମରିକ ଅଭ୍ୟାସକୁ ଟ୍ରମ୍ପ ପ୍ରଥମ ଥର ପାଇଁ ପ୍ରଶ୍ନ କରିନାହାନ୍ତି। ପ୍ରଥମ କାର୍ଯ୍ୟକାଳ ସମୟରେ, ବିଶେଷକରି ୨୦୧୮ରେ କିମ୍ ଜଙ୍ଗ୍-ଉନ୍ଙ୍କ ସହ ସାକ୍ଷାତ ପରେ ସେ ଏହି ଯୁଦ୍ଧାଭ୍ୟାସକୁ ମହଙ୍ଗା ଏବଂ ଉତ୍ତର କୋରିଆ ପାଇଁ ଉସୁକାଇବା ଭଳି ବୋଲି କହିଥିଲେ। ଟ୍ରମ୍ପ ଓ କିମ୍ଙ୍କ ମଧ୍ୟରେ ତିନିଥର ସାକ୍ଷାତ ହୋଇଛି। ଉଭୟଙ୍କ ସମ୍ପର୍କକୁ ବିଶ୍ୱ କୂଟନୀତିର ସବୁଠାରୁ ଅପ୍ରତ୍ୟାଶିତ ସମୀକରଣ ମଧ୍ୟରୁ ଗୋଟିଏ ବୋଲି ଦେଖାଯାଏ।

କୋରିଆ ଉପଦ୍ୱୀପରେ ଆମେରିକା ଓ ଦକ୍ଷିଣ କୋରିଆର ମିଳିତ ସାମରିକ ଅଭ୍ୟାସକୁ ଉତ୍ତର କୋରିଆ ଦୀର୍ଘଦିନ ଧରି ବିରୋଧ କରିଆସୁଛି। ପ୍ୟୋଙ୍ଗୟାଙ୍ଗ ଏହାକୁ ନିଜ ବିରୋଧରେ ସମ୍ଭାବ୍ୟ ସାମରିକ ଆକ୍ରମଣର ପ୍ରସ୍ତୁତି ଭାବେ କହୁଛି। ଏପଟେ ଉତ୍ତର କୋରିଆ ନିଜର ମିସାଇଲ୍ ଓ ପରମାଣୁ କ୍ଷମତାକୁ ଦ୍ରୁତଗତିରେ ବଢ଼ାଇ ଚାଲିଛି। ଏଭଳି ସମୟରେ ଆମେରିକା ଯଦି ଦକ୍ଷିଣ କୋରିଆ ସହ ସାମରିକ ଅଭ୍ୟାସ କମାଏ, ତେବେ ଏହା ଉତ୍ତର କୋରିଆ ସହ କୂଟନୈତିକ ଆଲୋଚନାର ରାସ୍ତା ଖୋଲିପାରେ, କିନ୍ତୁ ଅନ୍ୟପଟେ ଦକ୍ଷିଣ କୋରିଆର ସୁରକ୍ଷା ନେଇ ପ୍ରଶ୍ନ ମଧ୍ୟ ଉଠିପାରେ।

ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ଓ ମିସାଇଲ୍ ପରୀକ୍ଷଣକୁ ରୋକିବା ପାଇଁ ଆମେରିକା ଦୀର୍ଘଦିନ ଧରି ପ୍ରତିବନ୍ଧ ଓ କୂଟନୈତିକ ଚାପର ରାସ୍ତା ଆପଣାଇଥିଲା। ଆମେରିକାର ଚିନ୍ତା ଥିଲା, ଉତ୍ତର କୋରିଆ ପରମାଣୁ ଅସ୍ତ୍ର କ୍ଷମତା ବଢ଼ାଇଲେ ସମଗ୍ର ଅଞ୍ଚଳରେ ଅସ୍ଥିରତା ବଢ଼ିପାରେ। ଦକ୍ଷିଣ କୋରିଆ ଓ ଜାପାନ ଭଳି ଏସିଆଇ ସହଯୋଗୀ ଦେଶଙ୍କ ସୁରକ୍ଷା ସୁନିଶ୍ଚିତ କରିବା ମଧ୍ୟ ଆମେରିକାର ରଣନୀତିର ଏକ ବଡ଼ ଅଂଶ ରହିଛି।

ଏବେ କୋରିଆକୁ ନେଇ ଟ୍ରମ୍ପଙ୍କ ନୂଆ ପଦକ୍ଷେପ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଯୁଦ୍ଧକୁ ନେଇ ବାହାସ୍ଫୋଟ ମାରୁଥିବା ଟ୍ରମ୍ପ କାହିଁକି ଏବେ ବ୍ୟାକଫୁଟରେ ? କାହିଁକି ଡରୁଛନ୍ତି ? କାହାକୁ ଡରୁଛନ୍ତି ? କିଛି ଦିନ ତଳେ ନାଟୋ ସମ୍ମିଳନୀରେ ଯୋଗଦେବା ପାଇଁ ତୁର୍କୀ ଯାତ୍ରା କରିଥିଲେ ଟ୍ରମ୍ପ । ଏହି ଯାତ୍ରା ପାଇଁ, ସେ କାତାର ଦ୍ୱାରା ପ୍ରଦାନ କରାଯାଇଥିବା ଏକ ନୂତନ ଭାବରେ ଉନ୍ନତ ଜେଟ ବ୍ୟବହାର କରିଥିଲେ। ବିମାନବନ୍ଦର କ୍ୟାଟରିଂ ଟ୍ରକ ଭିତରେ ଲୁଚି ରହି ସୁରକ୍ଷିତ ଭାବେ ଅନ୍ୟ ଏକ ସେନା ବିମାନକୁ ଯାଇଥିଲେ। ଇରାନ ପକ୍ଷରୁ ସମ୍ଭାବ୍ୟ ବିପଦ ଓ ସୁରକ୍ଷା ଆଶଙ୍କା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

କୂଟନୀତି ଡୋନାଲ୍ଡ ଟ୍ରମ୍ପଙ୍କ ପଛଘୁଞ୍ଚା କେବଳ ସାମରିକ ଖର୍ଚ୍ଚ କମାଇବାର ବାହାନା ନୁହେଁ, ବରଂ ଆମେରିକାର ଆଞ୍ଚଳିକ ପ୍ରଭାବ ଉପରେ ଏକ ବଡ଼ ପ୍ରଶ୍ନବାଚୀ। ଦକ୍ଷିଣ କୋରିଆ ଭଳି ପୁରୁଣା ସହଯୋଗୀଙ୍କୁ ବଳି ପକାଇ ଉତ୍ତର କୋରିଆ ଓ ଇରାନ୍ ସାମ୍ନାରେ କୋମଳ ମନୋଭାବ ଦେଖାଇବା, ସୁରକ୍ଷା ଭୟରେ ଗୋପନୀୟତାର ଆଶ୍ରୟ ନେବା, 'ଆମେରିକା ଫାଷ୍ଟ' ନୀତିର ଦୁର୍ବଳତାକୁ ସାମ୍ନାକୁ ଆଣୁଛି। ଆଗାମୀ ଦିନରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଆସିବ ନା ନୂଆ ଅସ୍ଥିରତାକୁ ଜନ୍ମ ଦେବ, ତାହା ଉପରେ ଏବେ ସାରା ବିଶ୍ୱର ନଜର!