ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ମୃତ୍ୟୁ ଗୁଜବ ମଧ୍ୟରେ ଆଦିୟାଲା ଜେଲ ପ୍ରଶାସନ ତାଙ୍କ ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରିଛି। ରିପୋର୍ଟ ଅନୁସାରେ ୭୪ ବର୍ଷ ବୟଷ୍କ ଇମ୍ରାନ ଖାନଙ୍କ ବ୍ଲଡ ପ୍ରେସର ଓ ହାର୍ଟବିଟ୍ ସ୍ୱଭାବିକରୁ ଭିନ୍ନ ରହୁଛି। ଅଗଷ୍ଟ ୧ ତାରିଖ ଦିନ ଇମ୍ରାନ ଖାନଙ୍କ ରକ୍ତ ଚାପ ୧୪୦/୧୦୦ ରେକର୍ଡ କରାଯାଇଥିଲା। ଏଥିରେ ତାଙ୍କ ପଲସ୍ ରେଟ୍ ୫୦ ଥିଲା। ଏହା ନର୍ମାଲ ରେଞ୍ଜରୁ ବହୁତ କମ୍। ଡାକ୍ତରଙ୍କ ଆଗରେ ଇମ୍ରାନ କହିଛନ୍ତି ଯେ ସେ ଏଙ୍ଗଜାଇଟି ଓ ମାନସିକ ଚାପରେ ଅଛନ୍ତି।

ଏହାର କାରଣ ହେଉଛି ଜେଲ ପ୍ରଶାସନ ତାଙ୍କୁ ପତ୍ନୀ ଓ ପରିବାରକୁ ଭେଟିବାକୁ ଦେଉ ନାହିଁ। ଏହି କାରଣରୁ ତାଙ୍କ ରକ୍ତଚାପ ଅସାମାନ୍ୟ ରହୁଥିବା ସେ କହିଛନ୍ତି। ମେଡିକାଲ ରିପୋର୍ଟରେ ଡାକ୍ତର ଇମ୍ରାନଙ୍କୁ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କ ସହିତ ଅଧିକରୁ ଅଧିକ ମିସିବାକୁ ଦିଆଯାଉ ବୋଲି ସୁପାରିଶ କରିଛନ୍ତି। ଏହା ଦ୍ୱାରା ତାଙ୍କ ମାନସିକ ଉତ୍ତେଜନା ହ୍ରାସ ପାଇବା ସହ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିପାରେ ବୋଲି କହିଛନ୍ତି। ଏହା ଛଡା ଜେଲରେ ଇମ୍ରାନଙ୍କୁ ପଢାପଢି କରିବା ପାଇଁ ପୁସ୍ତକ, ମ୍ୟାଗଜିନ ଆଦି ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ରିପୋର୍ଟରେ ଆଣ୍ଟି ଆଙ୍ଗାଜାଇଟି ଔଷଧ ସାଙ୍ଗକୁ କିଛି କିଛି ଅତିରିକ୍ତ ମେଡିକାଲ ଟେଷ୍ଟ ମଧ୍ୟ ଲେଖା ଯାଇଛି।

୭୪ ବର୍ଷ ବୟସ୍କ ଇମ୍ରାନ ଅଧିକ ସମୟ ଧରି ମାନସିକ ଅଶାନ୍ତିରେ ରହିଲେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ତା ବଢିପାରେ ବୋଲି ଡାକ୍ତର ଆଶଙ୍କା କରିଛନ୍ତି। ଇମ୍ରାନ ଡାକ୍ତରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଜେଲରେ ଟିଭି ଦେଖିବାକୁ ଓ ସମ୍ବାଦପତ୍ର ପଢିବାକୁ ଅନୁମତି ନାହିଁ। ତାଙ୍କ କହିବା କଥା ହେଉଛି ବାହ୍ୟ ଜଗତରୁ ପୃଥକ ରହିବା ଯୋଗୁ ତାଙ୍କ ଉତ୍ତେଜନା ବଢୁଛି। ଅନ୍ୟପଟେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଇସ୍ଲାମାବାଦ ହାଇକୋର୍ଟରେ କହିଛନ୍ତି ଯେ ଇମ୍ରାନଙ୍କୁ ସମ୍ବାଦପତ୍ର, ଟେଲିଭିଜନ,ପୁସ୍ତକ ଓ ସବୁ ଜରୁରି ସୁବିଧା ଦିଆଯାଉଛି। ତେବେ ୧ ଓ ୧୦ ଅଗଷ୍ଟରେ ସୁପ୍ରିମକୋର୍ଟରେ ଦିଆଯାଇଥିବା ରିପୋର୍ଟରେ ସୁପରିଣ୍ଟେଣ୍ଡେଣ୍ଟ ନିଜେ ମାନିଛନ୍ତି ଯେ ଡାକ୍ତର ତାଙ୍କୁ ପେପର, ଟିଭି ଓ ପରିବାରକୁ ଭେଟିବାକୁ ଅନୁମତି ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

ସରକାରଙ୍କ ଦ୍ୱାରା ଗଠିତ ମେଡିକାଲ ବୋର୍ଡ ଇମ୍ରାନଙ୍କ ଲାଗି ନିଦ ଔଷଧ ନିର୍ଦ୍ଧାରଣ କରିଛନ୍ତି। ତାଙ୍କୁ ସକାଳ ୧୦ଟା ବେଳେ ଅଧା ଟାବଲେଟ ଓ ରାତି ୮ଟା ବେଳେ ଆଉ ଅଧା ଟାବଲେଟ ଦେବାକୁ କୁହାଯାଇଛି। ଇମ୍ରାନଙ୍କ ପତ୍ନୀ ବୁସରା ବିବି ଅଟନ୍ତି। ସେ ମଧ୍ୟ ତାଙ୍କ ସହ ଜେଲରେ ଅଛନ୍ତି। ପାଖାପାଖି ରହୁଥିଲେ ହେଁ ସେମାନଙ୍କୁ ଭେଟିବାକୁ ଅନୁମତି ଦିଆଯାଉନି। ଏଣୁ ଲାଗାତାର ମୁଣ୍ଡବିନ୍ଧା, ବିଚଳିତ ଲାଗିବା, ଉଚ୍ଚରକ୍ତଚାପ ଆଦି ଅଭିଯୋଗ ମଧ୍ୟରେ ଏବେ କୋର୍ଟ ଦେଖିବ ଡାକ୍ତରଙ୍କ ପରାମର୍ଶକୁ ଜେଲ ପ୍ରଶାସନ କେତେପର୍ଯ୍ୟନ୍ତ ପାଳନ କରୁଛନ୍ତି।