ଇସଲାମାବାଦା: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିଗୁଡ଼ୁଥିବା ସ୍ୱାସ୍ଥ୍ୟବସ୍ଥାକୁ ନେଇ ଶୀର୍ଷ ଅଦାଲତ (ସୁପ୍ରିମକୋର୍ଟ) ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଆଦିଆଲା ଜେଲରେ ବନ୍ଦୀ ଥିବା ୭୩ ବର୍ଷୀୟ ଇମ୍ରାନଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ତାଙ୍କ ଦଳ 'ପାକିସ୍ତାନ ତେହରିକ-ଏ-ଇନସାଫ' (PTI) ଏବଂ ପରିବାରବର୍ଗଙ୍କ ଦୀର୍ଘଦିନର ଦାବି ପରେ କୋର୍ଟ ଏହି ଆଦେଶ ଦେଇଛନ୍ତି।  କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଇମ୍ରାନ ଖାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଇସଲାମାବାଦର 'ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲ'କୁ ନିଆଯିବ ଏବଂ ସେଠାରେ ସେ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ରହି ଚିକିତ୍ସିତ ହେବେ।  ତାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯିବ, ଯେଉଁଥିରେ ତାଙ୍କ ବ୍ୟକ୍ତିଗତ ଚିକିତ୍ସକ ଏବଂ ଭଉଣୀ ଡାକ୍ତର ଉଜମା ଖାନ ସାମିଲ ରହିବେ। 

ଏହା ସହିତ ପ୍ରତି ସପ୍ତାହରେ ପରିବାର ଲୋକଙ୍କ ସହ ସାକ୍ଷାତ ପାଇଁ ଅନୁମତି ଦିଆଯାଇଛି।  ମେଡିକାଲ ରିପୋର୍ଟକୁ ଗଣମାଧ୍ୟମରେ ପ୍ରକାଶ ନକରିବାକୁ କିମ୍ବା ଏହି ବିଷୟକୁ ନେଇ ରାଜନୀତି ନକରିବାକୁ କୋର୍ଟ ଓକିଲ ଓ ପରିବାରବର୍ଗଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛି ସମୟ ହେବ ଜେଲରେ ଇମ୍ରାନଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇବା ସହ ଅତ୍ୟଧିକ ଚିନ୍ତା, ହୃଦସ୍ପନ୍ଦନ ବୃଦ୍ଧି ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦେଇଛି। ପୂର୍ବତନ ରାଷ୍ଟ୍ରପତି ଆରିଫ ଆଲଭି ଏବଂ ଇମ୍ରାନଙ୍କ ପୁଅମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।  ଅଗଷ୍ଟ ୨୦୨୩ରୁ ଜେଲରେ ଥିବା ଇମ୍ରାନ ଖାନଙ୍କ ପ୍ରତି ଏହି କୋର୍ଟ ଆଦେଶ ତାଙ୍କ ସମର୍ଥକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।